ମନରେ ନାହିଁ ମୋଦୀ ପ୍ରେମ !...

ହାତ ସହ ମିଳାଇଲେ ହାତ…

‘ରାମଙ୍କ ନାମକୁ ବଦନାମ ନକରିବାକୁ ପରାମର୍ଶ’

ନୂଆଦିଲ୍ଲୀ: ଦୀର୍ଘଦିନର ବ୍ୟବଧାନ ପରେ ତିରୁବନନ୍ତପୁରମ ସାଂସଦ ଶଶି ଥରୁର କଂଗ୍ରେସ ଦଳ ସହିତ ସ୍ବର ମିଳାଇଥିବା ଦେଖିବାକୁ ମିଳିଛି। ଥରୁର କେନ୍ଦ୍ର ସରକାରଙ୍କ ଦ୍ବାରା ମନରେଗା ନାମ ପରିବର୍ତ୍ତନ ବିଲ୍ ପ୍ରତି ଖୋଲାଖୋଲି ଭାବରେ ନିଜର ବିରୋଧ ପ୍ରକାଶ କରିଛନ୍ତି। ଲୋକସଭାରେ ବର୍ତ୍ତମାନ ଏହି ବିଲ୍ ଉପରେ ଆଲୋଚନା ହେଉଛି, ଯାହା ମନରେଗାକୁ "ବିକଶିତ ଭାରତ ଜୀ ରାମ ଜୀ" ବିଲ୍ ସହିତ ବଦଳାଇବ। ଗୃହରେ ଭାଷଣ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ସରକାରଙ୍କୁ ରାମଙ୍କ ନାମକୁ ବଦନାମ ନକରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିରୋଧୀଙ୍କ ବିରୋଧ ମଧ୍ୟରେ, ସରକାର ମଙ୍ଗଳବାର ଦିନ ଲୋକସଭାରେ "ବିକଶିତ ଭାରତ ଜୀ ରାମ ଜୀ ବିଲ୍, ୨୦୨୫" ଆଗତ କରିଛନ୍ତି, ଯାହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)କୁ ବଦଳାଯାଇଛି।

ଗୃହରେ କ’ଣ କହିଥିଲେ ଶଶି ଥରୁର ?

କଂଗ୍ରେସ ସାଂସଦ ଶଶି ଥରୁର ଆଜି (ମଙ୍ଗଳବାର) ଦିନ ଲୋକସଭାରେ "ବିକଶିତ ଭାରତ ଜୀ ରାମ ଜୀ" ବିଲ୍, ୨୦୨୫ ଆଗତ କରିବାର ବିରୋଧ କରିଥିଲେ। ଦେବ ଆନନ୍ଦଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର "ହରେ ରାମା ହରେ କୃଷ୍ଣା"ର ଏକ ଗୀତକୁ ଉଦ୍ଧୃତ କରି ସେ ଶାସକ ଦଳକୁ ବ୍ୟଙ୍ଗାତ୍ମକ ଭାବରେ ସମାଲୋଚନା କରିଥିଲେ, "ଦେଖ, ହେ ଭକ୍ତଗଣ, ଏହା କର ନାହିଁ, ରାମଙ୍କ ନାମକୁ ବଦନାମ କର ନାହିଁ।"

'ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟ ଏକ ରାଜନୈତିକ ପ୍ରକଳ୍ପ ନଥିଲା'

ଥରୁର କହିଥିଲେ କି, "ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟ ସମ୍ପର୍କିତ ଦୃଷ୍ଟିକୋଣ କେବେ ବି ସମ୍ପୂର୍ଣ୍ଣ ରାଜନୈତିକ ପ୍ରକଳ୍ପ ନଥିଲା। ଏହା ଗ୍ରାମ ଗୁଡ଼ିକୁ ସୁଦୃଢ଼ କରିବା ଉପରେ ଆଧାରିତ ଏକ ସାମାଜିକ-ଅର୍ଥନୈତିକ ବ୍ଲୁପ୍ରିଣ୍ଟ ଥିଲା। ଗ୍ରାମ ସ୍ୱରାଜ ପ୍ରତି ତାଙ୍କର ଅଟଳ ବିଶ୍ୱାସ ସେହି ଦୃଷ୍ଟିକୋଣର ଏକ ମୂଳ ଅଂଶ ଥିଲା।"ସେ ଅଭିଯୋଗ କରିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଦ୍ୱାରା ଏହାର ନୈତିକ ଭିତ୍ତିଭୂମି ଏବଂ ଐତିହାସିକ ବୈଧତା ନଷ୍ଟ ହେଉଛି।

ଉଲ୍ଲେଖନୀୟ କି, ବିରୋଧି ଦଳର ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଶାସକ ବିଜେପିକୁ ବିଭିନ୍ନ ସମୟରେ ସମର୍ଥନ ଜଣାଇଥିବା ନଜର ଆସିଛନ୍ତି ଶଶି ଥରୁର୍ । ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ହେଉ ଅବା ଦ୍ବୀପାକ୍ଷିକ ନୀତିକୁ ପ୍ରଶଂସା ନକରି ରହିପାରିନାହାଁନ୍ତି ଏହି ବରିଷ୍ଠ ନେତା। ଏଥିପାଇଁ ଦଳୀୟ ନେତା ଓ କର୍ମୀ ମାନେ ମଧ୍ୟ ତାଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ଥରୁର୍ ବୋଧେ ଦଳ ଠାରୁ କରଛଡା ଦେଉଛନ୍ତି । ଆଉ ମୋଦୀ ସରକାରଙ୍କୁ ସମର୍ଥନ କରିବା ବାହାନାରେ ବିଜେପି ଆଡକୁ ଢଳୁଛନ୍ତି । ଆଉ ଏଭଳି ସମୟରେ ମଙ୍ଗଳବାର ଗୃହରେ ଉଠାଇଥିବା ସ୍ବର କହୁଛି କି, ଥରୁର୍ ବିଜେପି ନୁହେଁ ବରଂ କଂଗ୍ରେସ ସହ ଏବେବି ଅଛନ୍ତି ।

ଏହା ସହ ପଢନ୍ତୁ : ଗାଡିର ପଲ୍ୟୁସନ ନଥିଲେ ମିଳିବନି ପେଟ୍ରୋଲ କି’ ଡିଜେଲ୍, ପ୍ରଦୂଷଣ ରୋକିବାକୁ କଠୋର ହେଲେ ଏହି ରାଜ୍ୟ ସରକାର…