ଖଡ୍ଗେଙ୍କୁ ରାବଣ କହିବା ପ୍ରସଙ୍ଗରେ ବର୍ଷିଲେ ରେଣୁକା; କହିଲେ ମତେ ସୁର୍ପଣଖା କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy: The Hans India
ନୂଆଦିଲ୍ଲୀ,୩୦/୧୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ ସହ ତୁଳନା କରିବା ପରେ ବିବାଦ ଉପୁଜିଛି। ଖଡ୍ଗେ ଏବଂ ସମଗ୍ର କଂଗ୍ରେସ ଉପରେ ବିଜେପି ଆକ୍ରମଣକାରୀ ହୋଇପଡ଼ିଛି। ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ରେଣୁକା ଚୌଧୁରୀ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସୁର୍ପଣଖାଙ୍କ ସହ ତୁଳନା କରିଥିଲେ, ସେତେବେଳେ ଗଣମାଧ୍ୟମ କେଉଁଠାରେ ଥିଲା? ରେଣୁକା ଗୌଧୁରୀଙ୍କ ଏହି ଟୁଇଟ୍ ପରେ ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ଅନେକ ଭିଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି।
ସୂଚନାଥାଉକି ଗୁଜୁରାଟରେ ଚାଲିଥିବା ଏକ ଜନସଭାକୁ ସମ୍ବୋଧିତ କରୁଥିବା ବେଳେ ଖଡ୍ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କଟାକ୍ଷ କରିଥିଲେ। ସେ କହିଛନ୍ତି ଯେ, ପୌର ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ, ପ୍ରଧାନମନ୍ତ୍ରୀ ତାଙ୍କର ଭାବମୁର୍ତ୍ତି ଦେଖାଇ ଲୋକଙ୍କୁ ମତଦାନ କରିବାକୁ କହୁଛନ୍ତି। ଆପଣ କ’ଣ ରାବଣଙ୍କ ଭଳି ଦଶାନନ କି?
ରେଣୁକା ଚୌଧୁରୀଙ୍କ ଟ୍ୱିଟ ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କ ସପକ୍ଷରେ ଏବଂ କିଛି ବିରୋଧରେ ବାହାରିଛନ୍ତି। ଅନେକ ଉପଭୋକ୍ତା କଂଗ୍ରେସ ନେତାଙ୍କୁ ସୂର୍ପଣଖା ଉପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିର ଭିଡିଓ ମାଗିଥିବାବେଳେ ଅନେକ ଏହି ଭିଡିଓ ପୋଷ୍ଟ କରି ରେଣୁକା ଚୌଧୁରୀଙ୍କୁ କୋଣ ଅନୁକୋଣରେ ପହଞ୍ଚାଇବାକୁ କରିବାକୁ ଚେଷ୍ଟା କରିଥିଲେ।
ବାସ୍ତବରେ, ଏହି ଭିଡିଓ ୨୦୧୮ ରେ ସଂସଦ ଅଧିବେଶନ ସମୟର ଅଟେ। ଆଉ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଚେୟାରମ୍ୟାନ୍ ମହୋଦୟ, ଆପଣ ରେଣୁକା ଚୌଧୁରୀଙ୍କୁ ଅଟକାନ୍ତୁ ନାହିଁ। ରାମାୟଣ ଧାରାବାହିକ ପରେ ଏପରି ହସ ଶୁଣିବାର ସୁଯୋଗ ମିଳିଛି। ତେବେ ଖଡ୍ଗେଙ୍କ ବିବୃତ୍ତି ପରେ ବିଜେପି ଏଥିରୁ ପ୍ରତିଶୋଧ ନେଇଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଏହା ଗୁଜରାଟର ଲୋକଙ୍କ ପାଇଁ ଅପମାନ। ଏନେଇ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।