ନୂଆଦିଲ୍ଲୀ, ୧୯/୧୨ : ସଂସଦ ଭବନ ପରିସରରେ କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଧକ୍କାମୁକ୍କି ଘଟଣା। ରାହୁଲ ଗାନ୍ଧୀ ଠେଲିଦେବାରୁ ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟ ଜଣେ ସାଂସଦ ଆହତ ହୋଇଥିବା ଅଭିଯୋଗ କରିବା ପରେ ପାଲଟା ଆକ୍ରମଣ କଲା କଂଗ୍ରେସ। ଭିଡିଓ ସେୟାର କରି ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାଜ୍ୟସଭା ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ସାଂସଦମାନେ ସଂସଦରେ ପ୍ରବେଶ କରିବା ସମୟରେ ଶାସକ ଦଳର ନେତାମାନେ ସେମାନଙ୍କୁ ଅଟକାଇଥିଲେ। ଯାହାଫଳରେ ସଂସଦ ପରିସରରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସେପଟେ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ, ବିଜେପି ସାଂସଦଙ୍କ ଠେଲାପେଲା ଯୋଗୁଁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଏ ସମ୍ପର୍କରେ ସେ ଲୋକସଭା ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଜଣାଇଛନ୍ତି।
ଏହି ଘଟଣାକୁ ନେଇ କଂଗ୍ରେସ କହିଛି ଯେ, ଏହା ଲୋକତନ୍ତ୍ରର ମନ୍ଦିର। ବିଜେପି ତାନାଶାହ ଶାସନ ଚଳାଇଛି। ବିଜେପିର ଗୁଣ୍ଡାଗର୍ଦ୍ଦିକୁ କଦାପି ବରଦାସ୍ତ କରାଯିବ ନାହିଁ। ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ସଂସଦରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେହି ସମୟରେ ବିଜେପି ସାଂସଦମାନେ ମୋତେ ଅଟକାଇବାକୁ ଚେଷ୍ଟା କରୁଥିଲେ। ମୋତେ ଧମକ ଦେଉଥିଲେ। ସଂସଦରେ ପ୍ରବେଶ କରିବାକୁ ମୋର ଅଧିକାର ରହିଛି। ମୁଖ୍ୟ ପ୍ରସଙ୍ଗ ହେଉଛି ଯେ, ସେମାନେ ସମ୍ଵିଧାନ ଉପରେ ଆକ୍ରମଣ କରୁଛନ୍ତି।
ସେପଟେ ବିଜେପି ଅଭିଯୋଗ କରିଛି ଯେ, ସଂସଦ ପରିସରରେ ରାହୁଲ ଗାନ୍ଧୀ ଧକ୍କାମୁକ୍କି କରିଛନ୍ତି। ରାହୁଲ ଠେଲାପେଲା କରିବା ଯୋଗୁଁ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ପ୍ରତାପଙ୍କୁ ଗୁରୁତର ଅବସ୍ଥାରେ ରାମ ମନୋହର ଲୋହିଆ ହସ୍ପିଟାଲ ICUରେ ଭର୍ତ୍ତି କରାଯାଇଛି। ଏନେଇ ବିଜେପି ପୋଲିସରେ ଏତାଲା ଦେଇଛି।