ଚେନ୍ନାଇ, ୦୬/୦୫: ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଟିଭିକେକୁ ବିପୁଳ ବିଜୟ ମିଳିଛି । ଥଲାପତି ବିଜୟଙ୍କ ପାର୍ଟି ୧୦୮ ସିଟରେ ବିଜୟୀ ହୋଇ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ତାମିଲନାଡ଼ୁରେ ସରକାର ଗଠନ କରିବା ଅଙ୍କକୁ ହିସାବ କଲେ । ରାଜ୍ୟରେ ମୋଟ୍ ୨୩୪ ବିଧାନସବା ସିଟରୁ ମ୍ୟାଜିକ୍ ଅଙ୍କ ହେଉଛି ୧୧୮ । ବିଜୟଙ୍କ ଟିଭିକେ ନିର୍ବାଚନରେ ୧୦୮ ସିଟ୍ ଅକ୍ତିଆର କରିଛି । ଦଳ ସରକାର ଗଠନ କରିବାକୁ ହେଲେ ମାତ୍ର ୧୦ଟି ଆସନ ଆବଶ୍ୟକ । ତେବେ ଏହାରି ଭିତରେ ଟିଭିକେକୁ ସମର୍ଥନ ଦେବାକୁ ଆଗ୍ରହ ପ୍ରକାଶ କରିଛି ଜାତୀୟ କଂଗ୍ରେସ । ତେଣୁ ତାମିଲନାଡ଼ୁରେ ମେଣ୍ଟ ସରକାର ଗଠନ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି ।

କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ପୂର୍ବରୁ ଦାବି କରିଛନ୍ତି, ଥଲାପତି ବିଜୟ ସରକାର ଗଠନ ପାଇଁ କଂଗ୍ରେସକୁ ଅନୁରୋଧ କରିଥିଲେ । ଦଳ ମଧ୍ୟ ବିଜୟଙ୍କ ସରକାରକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି । ତାମିଲନାଡ଼ୁ ପ୍ରଦେଶ କଂଗ୍ରେସ କମିଟିର ବିଧାୟକମାନଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ ହୋଇଥିଲା । ଏହାକୁ ଟିଏନସିସି ସଭାପତି କେ. ସେଲଭାପେରୁନ୍ଥାଗଇ ଅଧ୍ୟକ୍ଷତା କରିଥିଲେ । ଏଥିରେ ଦଳ ଟିଭିକେକୁ ସରକାର ଗଠନରେ ସମର୍ଥନ କରିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଦଳ ଏହି ସମର୍ଥନ ବଦଳରେ ଟିଭିକେ ଠାରୁ ଦୁଇଟି କ୍ୟାବିନେଟ୍ ପଦ ଚାହୁଁଛି । ଅନ୍ୟପଟେ ତାମିଲନାଡ଼ୁ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗଦେବେ ବୋଲି ଜଣାପଡ଼ିଛି ।

ଆସନ୍ତା ୭ ତାରିଖରେ ତାମିଲନାଡ଼ୁରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ । ଏଥିରେ ଟିଭିକେ ମୁଖ୍ୟ ଥଲାପତି ବିଜୟ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  । ଏହି ଶପଥ ଗ୍ରହଣ ସମାରୋହ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବା ନେଇ ଜଣାପଡ଼ିଛି । ଏହା ପୂର୍ବରୁ ସମସ୍ତ ଟିଭିକେ ବିଧାୟକଙ୍କୁ ଚେନ୍ନାଇ ନଛାଡିବାକୁ କୁହାଯାଇଛି । ମହାବଳୀପୁରମର ଏକ ହୋଟେଲରେ ୧୦୮ ନିର୍ବାଚିତ ବିଧାୟକଙ୍କୁ ରଖାଯାଇଥିବା ଜଣାପଡ଼ିଛି ।...

ଅଧିକ ପଢନ୍ତୁ- କିପରି ଥାଲାପତିଙ୍କ 'ବିଜୟ'ର ସୂତ୍ରଧର ହେଲେ ବାପା ଚନ୍ଦ୍ରଶେଖର? ୩୩ ବର୍ଷ ପୂର୍ବରୁ ପୁଅ ପାଇଁ ପ୍ରସ୍ତୁତ କରିଥିଲେ ରଣନୀତି​​​​​​​