ଚିନ୍ତନ ଶିବିର ପରେ ଆକ୍ସନ ମୁଡ୍ରେ କଂଗ୍ରେସ : ଟାସ୍କଫୋର୍ସ ସମେତ ୩ କମିଟି ଗଠିତ, ୨୩ ନେତା ସମ୍ଭାଳିବେ ଦାୟିତ୍ବ

ନୂଆଦିଲ୍ଲୀ, ୨୪।୫ ରାଜସ୍ଥାନର ଉଦୟପୁରେ ଚିନ୍ତନ ଶିବିର ପରେ କଂଗ୍ରେସ ଆକ୍ସନ ମୁଡରେ ରହିଛି। ଉଦୟପୁରର ନବ ସଂକଳ୍ପ ଘୋଷଣାପତ୍ର କାର୍ଯ୍ୟକାରୀ କରିବା ପାଇଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଟ୍ୟାସ୍କ ଫୋର୍ସ ଗଠନ କରିଛନ୍ତି। ଏହା ବ୍ୟତୀତ ପାର୍ଟି ପକ୍ଷରୁ ଆଉ ୨ଟି କମିଟି ମଧ୍ୟ ଗଠନ କରାଯାଇଛି। ଚିନ୍ତନ ଶିବିରର ଅନ୍ତିମ ଦିନରେ ପାର୍ଟି ଅଧ୍ୟକ୍ଷ ଘୋଷଣା କରିଥିଲେ କି ଦଳରେ ସୁଧାର ଆଣିବା ପାଇଁ ଏକ ଟ୍ୟାକ୍ସ ଫୋର୍ସ ଗଠନ କରାଯିବ।
ପଲିଟିକାଲ ଆଫାୟାର୍ସ ଗ୍ରୁପ, ଟ୍ୟାସ୍କ ଫୋର୍ସ ଏବଂ ସେଣ୍ଟ୍ରାଲ ପାନ୍ଲିଂ ଗ୍ରୁପ ଭଳି ୩ଟି କମିଟି ସୋନିଆ ଗାନ୍ଧୀ ଗଠନ କରିଛନ୍ତି। ପଲିଟିକାଲ ଆଫାୟାର୍ସ କମିଟି ଏବଂ ଟାସ୍କ ଫୋର୍ସ ପାଇଁ ୮ ଜଣିଆ ଟିମ୍ ଗଠନ କରାଯାଇଛି। ସେହିପରି ସେଣ୍ଟ୍ରାଲ ପ୍ଲାନିଂ କମିଟି ପାଇଁ ୯ ଜଣ ନେତାଙ୍କୁ ସାମିଲ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖାଯାଇ ଏହି କମିଟି ଗଠନ କରାଯାଇଛି।
Congress Interim President Sonia Gandhi constitutes Political Affairs Group, Task Force -2024 and Central Planning Group for 'Bharat Jodo Yatra'. pic.twitter.com/LQP1BhvImd
— ANI (@ANI) May 24, 2022
ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଦ୍ବାରା ଜାରି ତାଲିକା ଅନୁଯାୟୀ ପଲଟିକାର ଆଫାୟାର୍ସ ଗ୍ରୁପରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଦିଗବିଜୟ ସିଂ, ଆନନ୍ଦ ଶର୍ମା, କେ.ସି ବେନୁଗୋପାଲ, ଜିତେନ୍ଦ୍ର ସିଂ ରହିଛନ୍ତି। ସେହିପରି ଟାସ୍କ ଫୋର୍ସ -୨୦୨୪ରେ ପି ଚିଦାମ୍ବରମ, ମୁକୁଲ ୱାସନିକ, ଜୟରାମ ରମେଶ, କେ.ସି ବେଣୁଗୋପାଲ, ଅଜୟ ମାକେନ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରଣଦୀପ ସିଂ ସୁରେଜୱାଲା, ସୁନୀଲ କାନୁଗୋଲୁଙ୍କୁ ସାମିଲ କରାଯାଇଛି।
ସେହିପରି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରା ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ଭାରତ ଯୋଡ ଯାତ୍ରା ପାଇଁ ୯ ଜଣିଆ ଟିମ୍ ବିଶିଷ୍ଟ ସେଣ୍ଟ୍ରାଲ ପ୍ଲାନିଂ ଗ୍ରୁପରେ ଦିଗବିଜୟ ସିଂ, ସଚିନ ପାଇଲଟ, ଶଶି ଥରୁର, ରବଣୀତ ସିଂ ବିଟୁ, କେ.ଜେ ଜଜ୍, ଜ୍ୟୋତି ମଣି, ପ୍ରଦ୍ୟୁତ ବୋର୍ଡୋଲଇ, ଜିତୁ ପଟୱାରୀ ଏବଂ ସଲିମ ଅହମ୍ମଦ ରହିଛନ୍ତି।
ଚିନ୍ତନ ଶିବିର ସମୟରେ ସୋନିଆ ଗାନ୍ଧୀ କହିଥିଲେ ଯେ, କଂଗ୍ରେସ ଓ୍ବାକିଂ କମିଟିରୁ ଏକ ‘ପରାମର୍ଶଦାତା ଗ୍ରୁପ୍ ମଧ୍ୟ ଗଠନ କରାଯିବ। ଦଳ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ଉପରେ ଏହି ଗୋଷ୍ଠୀ ନିୟମିତ ଭାବରେ ଆଲୋଚନା କରିବ।