ଭୁବନେଶ୍ୱର,୨୫/୧୧: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ସିଭିଲ ସୋସାଇଟି ଫୋରମ ସୋମବାର ଗୃହ ବିଭାଗର ଦ୍ୱାରସ୍ଥ ହୋଇଛି । ହ୍ୟୁମାନଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ଥିବା ସଂଗଠନର ପ୍ରତିନିଧି ମଣ୍ଡଳୀ ଅଭିଯୋଗ ବାଢ଼ିଛନ୍ତି । ତାଙ୍କ ମୃତ୍ୟୁ ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ଦାବି ଜଣାଇଛନ୍ତି ।
ଲୋକସେବା ଭବନରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଭେଟି ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି ସିଭିଲ ସୋସାଇଟି ଓଡ଼ିଶାର ଏକ ପ୍ରତିନିଧି ଦଳ । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ହ୍ୟୁମାନଙ୍କ ଇଚ୍ଛା ବିରୋଧରେ ଷ୍ଟେଜ ସୋ’ କରାଇ ଜାଣିଶୁଣି ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିବା ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅନୁପସ୍ଥିତିରେ କାହିଁକି ତାଙ୍କୁ ମେଡିକାଲରେ ଆଡମିଟ କରାଗଲା? ଅଧ ରାତିରେ କିଏ ସେ ମହିଳା ମେଡିକାଲକୁ ଯାଇଥିଲେ? ଏହାର ରହସ୍ୟ ସାମ୍ନାକୁ ଆସୁ ବୋଲି ସେମାନେ ଦାବି କରିଛନ୍ତି । ବରିଷ୍ଠ ଅଧିକାରୀଙ୍କୁ ନେଇ ପୁଲିସ ଟିମ ଗଢ଼ାଯାଇ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ମାମଲା ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି)ରେ ପହଞ୍ଚିଛି । ଉତ୍କଳୀୟମ୍ ଫାଉଣ୍ଡେସନ ପକ୍ଷରୁ ଦାୟର ହୋଇଥିବା ପିଟିସନରେ ଉଲ୍ଲେଖ ହୋଇଛି ଯେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକମାନେ ହ୍ୟୁମାନଙ୍କ ଦେହ ଖରାପ ସତ୍ତେ୍ୱ ଜାଣିଶୁଣି ଷ୍ଟେଜ ସୋ କରାଉଥିଲେ । ତାଙ୍କ ମୃତ୍ୟୁ ପଛର ଷଡଯନ୍ତ୍ରକାରୀ ଓ ତାଙ୍କ ମାଆଙ୍କୁ ଅଶାଳୀନ ବ୍ୟବହାର ଓ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ସହ ମାମଲାର ଉପଯୁକ୍ତ ବିଚାର ପାଇଁ ସଂଗଠନ ଅଧ୍ୟକ୍ଷ ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନ ଆୟୋଗଙ୍କୁ ନିବେଦନ କରିଛନ୍ତି । କ୍ଷତିପୂରଣ ସ୍ୱରୂପ ୫୦ ଲକ୍ଷର କ୍ଷତିପୂରଣ ରାଶି ତାଙ୍କ ପରିବାରକୁ ପ୍ରଦାନ କରିବାକୁ ପିଟିସନରେ ଉଲ୍ଲେଖ ରହିଛି ।