ମନମୁଣ୍ଡା,୨୪।୫ : ଗର୍ଭବତୀଙ୍କୁ ଦୃଷ୍ଟିରେ ରଖି ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲା ଯାଇଥିଲା ମାତୃ ଓ ଶିଶୁ ସେବା ଚିକିତ୍ସାଳୟ। କିନ୍ତୁ ଏ ପର୍ଯ୍ୟନ୍ତ ଏହି ଚିକିତ୍ସାଳୟର ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ। ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ନିର୍ଦ୍ଧାରିତ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇ ନାହିଁ। ଫଳରେ ଗର୍ଭବତୀ କୌଣସି ସୁଫଳ ପାଇ ପାରୁ ନାହାନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ପଦବୀ ଖାଲି ପଡିଥିବାରୁ ଗର୍ଭବତୀ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।
ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ( ସିଏଚସି )ଉପରେ କଣ୍ଟାମାଳ ବ୍ଲକର ୨୪ ଟି ପଞ୍ଚାୟତ ସମେତ ବୌଦ୍ଧ ବ୍ଲକର ଅନେକ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ ସେବା କ୍ଷେତ୍ରରେ ଏହି ଡାକ୍ତରଖାନାର ସୁଖ୍ୟାତି ରହିଥିଲା । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅମିତ କୁମାର ଜେନା ୨୦୦୮ ମସିହାରେ ଏଠାରେ ଯୋଗ ଦେଇଥିଲେ। ତାଙ୍କ ଉତ୍ତମ ଚିକିତ୍ସା ଓ ସେବା ପାଇଁ ଜିଲ୍ଲାର କୋଣ ଅନୁକୋଣ ଏପରିକି ପଡୋଶୀ ଜିଲ୍ଲା ତଥା ଦୂର ଦୁରାନ୍ତ ଜିଲ୍ଲାର ଗର୍ଭବତୀଙ୍କ ସୁଅ ଛୁଟିଥିଲା। ୨୦୧୬ ରେ ଡାକ୍ତର ଜେନାଙ୍କ ବଦଳି ପରେ ଡାକ୍ତର ମନୋଜ ନାଏକ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ। ତାଙ୍କ ସମୟରେ ପୂର୍ବାପେକ୍ଷା ଅଧିକ ରୋଗୀ ଏଠାକୁ ଚିକିତ୍ସା ପାଇ ଆସିଥିଲେ। ସ୍ତ୍ରୀ ଓ ପ୍ରସୂତି କ୍ଷେତ୍ରରେ ଉତ୍ତମ ସେବା ପାଇଁ ଡାକ୍ତର ତଥା ଏହି ' ସିଏଚସି' ସରକାରଙ୍କ ଠାରୁ ଅନେକ ଥର ପୁରସ୍କୃତ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏଠାରେ ମାତୃ ଓ ଶିଶୁ ସେବା ଚିକିତ୍ସାଳୟ ( ଏମସି ଏଚ ) ପାଇଁ ୯.୮୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ବୌଦ୍ଧ ରାସ୍ତା ଓ କୋଠାବାଡ଼ି ବିଭାଜନ ତରଫରୁ ଠିକାଦାର ଅବନୀ କୁମାର ମହାପାତ୍ର ପ୍ରକଳ୍ପ କାମ ଆରମ୍ଭ କରିଥିଲେ। ଉକ୍ତ ପ୍ରକଳ୍ପ ର କାର୍ଯ୍ୟ ସମାପ୍ତି ୧୨-୧୧-୨୦୨୩ ରହିଥିଲା। କିନ୍ତୁ ସମୟ ଅବଧିର ୧ ବର୍ଷ ୭ ମାସ ବିତିଯାଇଥିବାବେଳେ କାମ ଅସମ୍ପୂର୍ଣ୍ଣ ହୋଇ ରହିଛି ।

୨୦୨୪ ଅଗଷ୍ଟ ମାସରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମନମୁଣ୍ଡା ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ମାର୍ଚ୍ଚ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ବୋଲି କହିଥିଲେ। କିନ୍ତୁ ଏବେ ବି ଆହୁରି ଅନେକ କାମ ବାକି ରହିଛି। ବର୍ତ୍ତମାନର ମନମୁଣ୍ଡା ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ଆଚାରିଙ୍କୁ ଏ ନେଇ ପଚାରିବାରୁ ସେ କହିଥିଲେ ଯେ ଦୁଇ ଦିନ ତଳେ ପିଡବ୍ଲୁଡି ବୌଦ୍ଧର ଅଧୀକ୍ଷଣ ଯନ୍ତ୍ରୀ ( ଏସ ଇ ) ଏବଂ ଫୁଲବାଣୀର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ( ସି ସି ଇ ) କ୍ଷେତ୍ର ପରିଦର୍ଶନ ସହ ଠିକାଦାର ଙ୍କ ସହ ଆଲୋଚନା କରି ଯାଇଛନ୍ତି । ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇଯିବ ବୋଲି ଠିକାଦାର କହିଥିବା ଶ୍ରୀ ଆଚରି ପ୍ରକାଶ କରିଛନ୍ତି। ବ୍ୟୟ ଅଟକଳ ଆହୁରି ଅଧିକ ୧୫ ପ୍ରତିଶତ ବୃଦ୍ଧି କରାଯିବାର ଯୋଜନା ରହିଥିବା ଏବଂ କାମ ର ମାନ ଠିକ୍ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ଆଚାରି କହିଛନ୍ତି।
ଅନ୍ୟ ପକ୍ଷରେ ୨୦୨୩ ମେ ମାସରେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ମନୋଜ ନାଏକଙ୍କ ଏଠାରୁ ବଦଳି ହୋଇଯିବା ପରେ ଉକ୍ତ ପଦବୀ ଖାଲି ପଡ଼ି ରହିଛି। ସାଧାରଣ ରୋଗୀ ବ୍ୟତୀତ ଅନ୍ୟ ରୋଗୀଙ୍କ ଦେଖା ମିଳୁ ନାହିଁ। ଗର୍ଭବତୀଙ୍କ ଭିଡ ଦେଖି ସରକାର ଏଠାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିଥିଲେ।କିନ୍ତୁ ୱାର୍ଡ ରେ ଶଯ୍ୟା ସର୍ବଦା ଖାଲି ରହୁଥିବା ଦେଖିବାକୁ ମିଳୁଛି। ଖାଁ ଖାଁ ଲାଗୁଛି ଡାକ୍ତରଖାନା। ବିଶେଷଜ୍ଞ ଡାକ୍ତର ନ ଥିବାରୁ ଗର୍ଭବତୀମାନେ ବୁର୍ଲା, ବଲାଙ୍ଗୀର ନ ହେଲେ ଡାକ୍ତରଖାନା ତଥା ନର୍ସିଂ ହୋମ୍କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ମାତୃ ଓ ଶିଶୁ ସେବା ଚିକିତ୍ସାଳୟ ଗୃହ ନିର୍ମାଣ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଶ୍ରୀଘ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ଦାବି ହେଉଛି।