ୱାଶିଂଟନ: ହ୍ୱାଇଟ ହାଉସ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋଙ୍କ ଏକ ବିବାଦୀୟ ମନ୍ତବ୍ୟ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଛି। ନାଭାରୋ ଅଭିଯୋଗ କରିଛନ୍ତି ଯେ ଭାରତ ରୁଷରୁ ରିହାତି ମୂଲ୍ୟରେ କ୍ରୁଡ ଅଏଲ କିଣି ତାହାକୁ ଶୋଧିତ କରି ପଶ୍ଚିମ ଦେଶମାନଙ୍କୁ ବିକ୍ରି କରୁଛି। ଏବଂ ଏହି ଲାଭରୁ “ବ୍ରାହ୍ମଣ” ମାନେ ମୁନାଫା ହାସଲ କରୁଛନ୍ତି, ଯାହା ସାଧାରଣ ଭାରତୀୟଙ୍କ ଖର୍ଚ୍ଚରେ ହେଉଛି। ଏହି ମନ୍ତବ୍ୟ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। କାରଣ “ବ୍ରାହ୍ମଣ” ଶବ୍ଦଟି ଭାରତୀୟ ସମାଜରେ ଜାତିଗତ ସମ୍ବେଦନଶୀଳତା ସହ ଜଡ଼ିତ।
ଫକ୍ସ ନ୍ୟୁଜରେ ନାଭାରୋ କହିଛନ୍ତି, “ମୋଦୀ ଜଣେ ମହାନ ନେତା। ମୁଁ ବୁଝିପାରୁନି ସେ କାହିଁକି ପୁଟିନ ଓ ସି ଜିନପିଙ୍ଗ ସହ ଘନିଷ୍ଠ ହେଉଛନ୍ତି। ଯେତେବେଳେ ସେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ନେତା। ଭାରତୀୟ ଜନତାଙ୍କୁ ମୁଁ କହିବି, ଦୟାକରି ବୁଝନ୍ତୁ, ଏଠାରେ କ’ଣ ଚାଲିଛି। ଆପଣଙ୍କର ବ୍ରାହ୍ମଣମାନେ ଆପଣଙ୍କ ଖର୍ଚ୍ଚରେ ମୁନାଫା ହାସଲ କରୁଛନ୍ତି। ଏହା ବନ୍ଦ ହେବା ଦରକାର।” ଏହି ବୟାନ ଭାରତୀୟ ବୁଦ୍ଧିଜୀବୀ ଓ ରାଜନେତାଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି କରିଛି। ଅନେକେ ଏହାକୁ ଜାତିବାଦୀ ଓ ଅପମାନଜନକ ବୋଲି ଅଭିହିତ କରିଛନ୍ତି।
କେତେକ ଭାରତୀୟ ରାଜନେତା ଓ ବିଶ୍ଳେଷକ ଯୁକ୍ତି ଦେଇଛନ୍ତି ଯେ ନାଭାରୋ ସମ୍ଭବତଃ “ବୋଷ୍ଟନ ବ୍ରାହ୍ମଣ” ଶବ୍ଦଟିକୁ ବ୍ୟବହାର କରିବାକୁ ଚାହିଁଥିଲେ। ଯାହା ଆମେରିକାରେ ଉଚ୍ଚଶ୍ରେଣୀର ଅଭିଜାତଙ୍କୁ ବୁଝାଏ। ତଥାପି, ଭାରତୀୟ ପ୍ରେକ୍ଷାପଟରେ ଏହା ଜାତିଗତ ସମ୍ବେଦନଶୀଳତାକୁ ଉସକାଇଛି। ଶିବସେନା (ୟୁବିଟି)ର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏହାକୁ ଅପମାନଜନକ ବୋଲି ଅଭିହିତ କରିଛନ୍ତି। ଅନ୍ୟପଟେ ବିଜେପି ସାଂସଦ ଦିନେଶ ଶର୍ମା ଏହାକୁ ତଥ୍ୟଗତ ଭୁଲ ଓ ସାଂସ୍କୃତିକ ଅସମ୍ବେଦନଶୀଳ ବୋଲି କହିଛନ୍ତି। କଂଗ୍ରେସ ନେତା ଉଦିତ ରାଜ ଅବଶ୍ୟ ନାଭାରୋଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି, ଦାବି କରିଛନ୍ତି ଯେ ତୈଳ ଶୋଧନ କ୍ଷେତ୍ରରେ ଉଚ୍ଚଜାତିର ଆଧିପତ୍ୟ ରହିଛି।
ନାଭାରୋଙ୍କ ଏହି ମନ୍ତବ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ପ୍ରଶାସନ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୫୦% ଶୁଳ୍କ ଆରୋପ ପରେ ଆସିଛି। ଯାହା ଭାରତର ରୁଷ ତୈଳ କ୍ରୟ ଜାରି ରଖିବା ପାଇଁ ଦଣ୍ଡ ସ୍ୱରୂପ କରାଯାଇଛି। ନାଭାରୋ ପୂର୍ବରୁ ମଧ୍ୟ ଭାରତକୁ “କ୍ରେମଲିନର ତ୍ରାଣକର୍ତ୍ତା” ବୋଲି ଅଭିହିତ କରିଥିଲେ ଏବଂ ରୁଷ-ୟୁକ୍ରେନ ଯୁଦ୍ଧକୁ “ମୋଦୀଙ୍କ ଯୁଦ୍ଧ” ବୋଲି ବିବାଦୀୟ ଭାବେ ଅଭିହିତ କରିଥିଲେ। ସେ ଦାବି କରିଛନ୍ତି ଯେ ଭାରତର ତୈଳ କ୍ରୟ ରୁଷିଆର ଯୁଦ୍ଧକୁ ଅର୍ଥନୈତିକ ସହାୟତା ଯୋଗାଉଛି, ଯାହା ଆମେରିକୀୟ କରଦାତା ଓ ୟୁକ୍ରେନୀୟ ନାଗରିକଙ୍କ ଉପରେ ଚାପ ସୃଷ୍ଟି କରୁଛି।
ବିଭିନ୍ନ ସୋସିଆଲ ମିଡିଆରେ ଏହି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଟ୍ରୋଲରେ ପୁଟିନଙ୍କୁ ଭ୍ଲାଦିମିର ପାଣ୍ଡେ ଭାବେ ଚିତ୍ରଣ କରାଯାଇଛି ଏବଂ ବ୍ରାହ୍ମଣମାନେ ଶୁଦ୍ଧ ରୁଷ ତୈଳ ବ୍ୟବହାର କରି ହୋମ କରୁଥିବା ଚିତ୍ର ଭାଇରାଲ ହୋଇଛି। ବିଶ୍ଳେଷକମାନେ ନାଭାରୋଙ୍କ ଏହି ଅଭିଯୋଗକୁ ଅସଙ୍ଗତ ବୋଲି କହି ଖାରଜ କରିଛନ୍ତି। ଏହା ସହ ଆମେରିକା ନିଜେ ରୁଷରୁ ପାରମାଣବିକ ଇନ୍ଧନ ଓ ମୂଲ୍ୟବାନ ଧାତୁ କିଣୁଛି, ଏବଂ ଚୀନ ଓ ୟୁରୋପୀୟ ସଂଘ ମଧ୍ୟ ରୁଷରୁ ବହୁ ପରିମାଣରେ ଶକ୍ତି କିଣୁଛନ୍ତି, କିନ୍ତୁ ଟ୍ରମ୍ପ ପ୍ରଶାସନ କେବଳ ଭାରତକୁ ଟାର୍ଗେଟ କରୁଛି ବୋଲି ଅଭିଯୋଗ ଆଣିଛନ୍ତି।
ଏହି ବିବାଦ ତିଆନଜିନରେ ଅନୁଷ୍ଠିତ SCO ସମ୍ମିଳନୀରେ ମୋଦୀ, ପୁଟିନ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ଘନିଷ୍ଠତା ଦେଖାଯିବା ପରେ ଆହୁରି ଜୋରଦାର ହୋଇଛି। ଭାରତୀୟ ବିଶ୍ଳେଷକମାନେ ନାଭାରୋଙ୍କ ମନ୍ତବ୍ୟକୁ କୂଟନୈତିକ ଅଭଦ୍ରତା ଓ ଭାରତ-ଆମେରିକା ସମ୍ପର୍କକୁ କ୍ଷତି ପହଞ୍ଚାଇବାର ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି।