ରାଞ୍ଚି: ଝାଡ଼ଖଣ୍ଡରେ ମହାଶିବରାତ୍ରି ଅବସରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶିବରାତ୍ରି ଅବସରରେ ଧାର୍ମିକ ପତାକା ଲଗାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହଁମୁହିଁ ହୋଇଥିଲେ । ପଥର ମାଡ଼ ହେବା ଫଳରେ ଉଭୟ ଗୋଷ୍ଠୀର ଲୋକେ ଆହତ ହୋଇଥିବା ଜଣାପଡ଼ିଛି । ଦୁଇ ଗୋଷ୍ଠୀର ସଂଘର୍ଷ ମଧ୍ୟରେ ଉତ୍ତ୍ୟକ୍ତ ଲୋକେ ଗୋଟିଏ କାର ଏବଂ ୩ଟି ବାଇକ୍‌ ଜାଳି ଦେଇଛନ୍ତି । ପାଖରେ ଥିବା ଏକ ଦୋକାନରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି । 

ଅନେକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ହଜାରିବାଗ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ହଜାରିବାଗର ଇଚାକ ବ୍ଲକ ଡୁମରୌନ ଗାଁରେ ମହାଶିବରାତ୍ରି ପାଳନ ପାଇଁ ପତାକା ଏବଂ ଲାଉଡସ୍ପିକର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ।

ଗୋଷ୍ଠୀ ସଂଘର୍ଷ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଏବେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ତିନୋଟି ପୋଲିସ ଷ୍ଟେସନରୁ କର୍ମଚାରୀଙ୍କୁ ମୁତୟନ କରିଛି । ଅତିରିକ୍ତ ଏସପି ସମେତ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ତଦାରଖ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ହିନ୍ଦୁସ୍ତାନ ଚୌକରେ ଧାର୍ମିକ ପତାକା ଏବଂ ଲାଉଡସ୍ପିକର ସ୍ଥାପନକୁ ନେଇ ଯୁକ୍ତିତର୍କ ହେବା ପରେ ହିଂସା ଆରମ୍ଭ ହୋଇଥିଲା। ଏକ ସାମାନ୍ୟ ବିବାଦରୁ ଆରମ୍ଭ ହୋଇଥିବା ଘଟଣା ଶୀଘ୍ର ଏକ ସାମ୍ପ୍ରଦାୟିକ ସଂଘର୍ଷରେ ପରିଣତ ହୋଇଥିଲ । ଫଳରେ ପଥର ମାଡ଼ ଏବଂ ପୋଡ଼ାଜଳା ହୋଇଛି ।

ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।  ପୋଲିସ ଅଧିକାରୀମାନେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାନ୍ତି । ସେପଟେ ଅଶାନ୍ତି ଯେଉଁଭଳି ଆଗକୁ ଆହୁରି ବୃଦ୍ଧି ନପାଉ ସେଥିପାଇଁ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।