• ଖାଲିଦାଙ୍କ ପୁଅଙ୍କର ବାଂଲାଦେଶ ପ୍ରତ୍ୟାବର୍ତ୍ତନ

  • ବାଂଲାଦେଶ ରାଜନୀତି ସରଗରମ

  • ୧୭ ବର୍ଷ ପରେ ବାଂଲାଦେଶ ଫେରିଲେ ତାରିକ୍ ରହମାନ

  • ୨୦୦୮ରୁ ଲଣ୍ଡନରେ ରହୁଥିଲେ ତାରିକ୍ ରହମାନ

ଢାକା : ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିୟାଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି( ବିଏନପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍ ରହମାନଙ୍କ ୧୭ ବର୍ଷ ପରେ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ପଡୋଶୀ ଦେଶରେ ରାଜନୀତି ସରଗରମ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ଅୱାମୀ ଲିଗ୍‌ର ଛାତ୍ର ସଂଗଠନ ବାଂଲାଦେଶ ଷ୍ଟୁଡେଣ୍ଟସ ଲିଗ୍ ତାଙ୍କ ଫେରିବାକୁ ନେଇ ଗୁରୁତର ଅଭିଯୋଗ କରିଛି। ବାଂଲାଦେଶ ଷ୍ଟୁଡେଣ୍ଟସ୍ ଲିଗ୍‌ର ଅଧ୍ୟକ୍ଷ ସଦ୍ଦାମ ହୁସୈନ କହିଛନ୍ତି ଯେ, ତାରିକ୍ ରହମାନଙ୍କ ଘର ପ୍ରତ୍ୟାବର୍ତ୍ତନ କୌଣସି ଗଣତାନ୍ତ୍ରିକ ସୁଧାର ପାଇଁ ନୁହେଁ , ବରଂ ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବାକୁ ଥିବା ସଂସଦୀୟ ନିର୍ବାଚନକୁ ଏକତରଫା କରିବା ପାଇଁ କରାଯାଇ ଥିବା “ବ୍ୟାକଡୋର ଡିଲ୍”ର ଅଂଶବିଶେଷ। ତାଙ୍କର ଦାବି ଯେ, ଏଥିରେ ଦେଶରେ ରାଜନୀତିକ ସ୍ଥିରତା ଆସିବ ନାହିଁ, ବରଂ ଧ୍ରୁବୀକରଣ ଆହୁରି ବଢିବ।

​​​​​​​ଏହାସହ ମଧ୍ୟ ପଢନ୍ତୁ : କାନାଡାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ, ହସ୍ପିଟାଲରେ ୮ ଘଣ୍ଟା ଯାଏ ଅପେକ୍ଷା କରି ଚାଲିଗଲା ଜୀବନ

ସଦ୍ଦାମ ହୁସୈନ କହିଛନ୍ତି ଯେ, ଯେବେ ତାରିକ ରହମାନ କ୍ଷମତାରେ ଥିଲେ , ସେତେବେଳେ ଦେଶରେ ଆଇନ –ବ୍ୟବସ୍ଥା ବିଗିଡ଼ି ଥିଲା , ଉଗ୍ରବାଦ ବଢିଥିଲା , ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହୋଇଥିଲା ଏବଂ ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା। ସେ ଏହା ମଧ୍ୟ ଅଭିଯୋଗ ଲଗାଇଛନ୍ତି ଯେ, ତାରିକ୍ ରହମାନ ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ନ୍ୟାୟିକ ପ୍ରକ୍ରିୟାକୁ ତ୍ୟାଗ କରି ତାଙ୍କୁ ରିଲିଜ କରାଯାଇଛି।

ତାରିକ୍ ରହମାନ , ଯିଏକି ପୂର୍ବତନ ରାଷ୍ଟ୍ରପତି ଜିୟାଉର ରହମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ, ଗୁରୁବାର ଲଣ୍ଡନରୁ ବାଂଲାଦେଶ ଫେରିଛନ୍ତି। ସେ ୨୦୦୮ରୁ ଲଣ୍ଡନରେ ରହୁ ଥିଲେ। ବାଂଲାଦେଶୀ ମିଡ଼ିଆ ଅନୁସାରେ, ତାଙ୍କର ବିମାନ ସକାଳ ସମୟ ପାଖାପାଖି ୯ ଟା ୫୬ଟାରେ ସିଲହଟର ଉସ୍ମାନୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ତାଙ୍କର ସ୍ୱାଗତ ପାଇଁ ବହୁ ସଂଖ୍ୟାରେ ବିଏନପି ସମର୍ଥକ ଓ ନେତା ଉପସ୍ଥିତ ଥିଲେ। ବିଏନପି ଏହି ପାର୍ଟି ପାଇଁ ନୂଆ ଅଧ୍ୟାୟର ଆରମ୍ଭ କହିଛନ୍ତି।

ତାରିକ୍ ରହମାନଙ୍କ ପ୍ରତ୍ୟାବର୍ତ୍ତନ ଏମିତି ସମୟରେ ହୋଇଛି, ଯେବେ ବାଂଲାଦେଶରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଛାତ୍ର ନେତା ଉସ୍ମାନ ହାଦିଙ୍କ ହତ୍ୟା ପରେ ଅନେକ ଅଞ୍ଚଳରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇଛି। ଏହା ବ୍ୟତୀତ , ଫେବ୍ରୁଆରୀ ୧୭ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆଇନ-ବ୍ୟବସ୍ଥା , ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ନିରପେକ୍ଷ ନିର୍ବାଚନକୁ ନେଇ ଚିନ୍ତା ବଢି ଯାଇଛି।

ଏହି ମଧ୍ୟରେ, ୟୁନୁସ୍ ସରକାରଙ୍କ ଦ୍ୱାରା ଅୱାମୀ ଲିଗ୍‌କୁ ନିର୍ବାଚନ ଲଢିବାରୁ ରୋକିବା ନିଷ୍ପତ୍ତି ଉପରେ ମଧ୍ୟ ବିବାଦ ରହିଛି। ଛାତ୍ର ସଙ୍ଗଠନର କହିବାନୁସାରେ , ଏଥିରେ ଜନତାଙ୍କ ସ୍ୱରକୁ ଚପାଇ ଦିଆ ଯାଇଛି ଏବଂ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଠିଆ ହୋଇଛି। ସଦ୍ଦାମ ହୁସୈନ କହିଛନ୍ତି, ନିରପେକ୍ଷ ନିର୍ବାଚନ ପାଇଁ ସରକାରଙ୍କର ଆଇନ, ସାମ୍ୱିଧାନିକ ଓ ତଟସ୍ଥ ହେବା ଜରୁରୀ, କିନ୍ତୁ ବର୍ତ୍ତମାନର ସ୍ଥିତିରେ ଏହି ସର୍ତ୍ତ ପୂରଣ ହେଉ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ, ଯାହା ହେବାକୁ ଯାଉଛି , ତାହା ନିର୍ବାଚନ ନୁହେଁ, ବରଂ ପୂର୍ବରୁ ସ୍ଥିର ହୋଇଛି। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ରାଜନୀତିକ ପ୍ରକ୍ରିୟା ସମାବେଶୀ ଓ ଗଣତାନ୍ତ୍ରିକ ହେବ ନାହିଁ, ତ ବାଂଲାଦେଶର ରାଜନୀତିକ ସଙ୍କଟ ଆହୁରି ଗମ୍ଭୀର ହୋଇଯିବ।