ଭୁବନେଶ୍ଵର, ୨୧/୦୩ : ୪ ଦିନ ହେବ ଅହୋରାତ୍ର ଆନ୍ଦୋଳନରେ ପାଚିକା ସଙ୍ଘ। ଦାବି ପୂରଣ ନହେବାରୁ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲେ ପାଚିକା। ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି। ଆତ୍ମହତ୍ୟା ଉଦ୍ୟମ କରି ଜଣେ ପାଚିକା ଆହତ ହୋଇଛନ୍ତି। ଆହତ ପାଚିକାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମାନ କାମକୁ ସମାନ ଦରମା ଦେବାକୁ ପାଚିକା ସଙ୍ଘ ଅଡ଼ି ବସିଛନ୍ତି।

ସୂଚନାନୁଯାୟୀ, ପରିଚୟ ପତ୍ର ଓ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟ ସଂଘ ଧାରଣାରେ ବସିଛନ୍ତି। ୮୦ ଟଙ୍କା ଦିନକ ଭତ୍ତା ହିସାବରେ ସେମାନଙ୍କୁ ୩ ମାସ ହେଲା ଦରମା ମିଳିନି। ତେଣୁ ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଦରମା ବୃଦ୍ଧି ସହିତ ଅବସରକାଳୀନ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଛଟେଇ ହୋଇଥିବା ପାଚିକାମାନଙ୍କୁ ପୁନଃ ନିଯୁକ୍ତି , ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ପୂର୍ବ ସରକାରଙ୍କର ଘୋଷଣା ଅନୁସାରେ ଏକ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି  ପ୍ରଦାନ ସହିତ ବିଭିନ୍ନ ଦାବି ନେଇ ପାଚିକା ସଙ୍ଘ ରାଜରାସ୍ତାରେ ବସିଛି। 

ଏହି ଖବରଟିକୁ ପଢନ୍ତୁ- ‘ବିଜୁ ବାବୁ’ ନାଁ ନେଇ ବାଙ୍କୀରେ ଦେବୀଙ୍କ ରାଲି, ଶଙ୍ଖ ଚିହ୍ନ ନାହିଁ କି ନବୀନ ନାହାନ୍ତି