ନୂଆଦିଲ୍ଲୀ, ୧୮/୦୭: ଫ୍ରାନ୍ସର ନ୍ୟାସନାଲ ଆସେମ୍ବ୍ଲି ଆସିଷ୍ଟେଡ୍ ଡାଇଙ୍ଗ (ଚିକିତ୍ସା ସହାୟତାରେ ମୃତ୍ୟୁ) ସମ୍ବନ୍ଧୀୟ ବିଧେୟକକୁ ୨୯୧-୨୪୧ ଭୋଟ୍‌ରେ ଚୂଡ଼ାନ୍ତ ମଞ୍ଜୁରି ଦେଇଛି । ଏହି ଆଇନ ଲାଗୁ ହେଲେ, ଅସାଧ୍ୟ ଓ ଘାତକ ରୋଗରେ ପୀଡ଼ିତ ପ୍ରାପ୍ତ ବୟସ୍କ ରୋଗୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ କଠୋର ନିୟମ ଅନୁସାରେ ଘାତକ ଔଷଧ ଖାଇ ଜୀବନ ସମାପ୍ତ କରିପାରିବେ । ତେବେ ଆଇନ ଲାଗୁ ହେବା ପୂର୍ବରୁ ଏହାକୁ ସାମ୍ବିଧାନିକ ପରିଷଦର ମଞ୍ଜୁରି ମିଳିବା ଉଚିତ୍ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ୨୦୨୨ରେ ଫ୍ରାନ୍ସ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ସେ ପାଳନ କରିଛନ୍ତି । ବିଧେୟକ ଅନୁସାରେ କେବଳ ୧୮ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ଫ୍ରାନ୍ସ ନାଗରିକ କିମ୍ବା ଆଇନଗତ ରୂପେ ବୈଧ ବାସିନ୍ଦା, ଯେଉଁମାନେ ଦୁରାରୋଗ୍ୟ ବ୍ୟାଧିର ଅନ୍ତିମ ଚରଣରେ ଅଛନ୍ତି ତଥା ଅସହ୍ୟ ଯନ୍ତ୍ରଣା ପାଉଛନ୍ତି, ସେମାନେ ମୃତ୍ୟୁ ପାଇଁ ଆବେଦନ କରିପାରିବେ ।

ଆହୁରି ପଢ଼ନ୍ତୁ...Crow Population Decline: ଦେଶରେ କମୁଛି କାଉ ସଂଖ୍ୟା, ସହରୀକରଣ ପାଇଁ ବିପଦରେ କାଉ ବଂଶ

ରୋଗୀଙ୍କ ଆବେଦନକୁ ପ୍ରଥମେ ଚିକିତ୍ସା ବିଶେଷଜ୍ଞମାନେ ଯାଞ୍ଚ କରିବେ । ସମୀକ୍ଷା ପାଇଁ ୧୫ ଦିନ ସମୟ ରହିବ ଏବଂ ଅତିକମ୍‌ରେ ଦୁଇ ଦିନର ବିଚାର-ଅବଧି ପରେ ରୋଗୀଙ୍କୁ ପୁନଃ ଏଥିନିମନ୍ତେ ସହମତି ଦେବାକୁ ପଡ଼ିବ । ମଞ୍ଜୁରି ମିଳିବା ପରେ ସେ ଘର କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନିଜ ପସନ୍ଦର ସ୍ଥାନରେ ଔଷଧ ଖାଇପାରିବେ । ଏହି ଆଇନରେ କେବଳ ମାନସିକ ପୀଡ଼ାକୁ ପାତ୍ରତାର ଆଧାର ବୋଲି ବିବେଚନା କରାଯାଇ ନାହିଁ । ଗମ୍ଭୀର ମାନସିକ ରୋଗ କିମ୍ବା ଅଲ୍ଜାଇମର ଭଳି ନ୍ୟୁରୋଡିଜେନେରେଟିଭ୍ ରୋଗରେ ପୀଡ଼ିତ ବ୍ୟକ୍ତି ଏହା ଅଧୀନକୁ ଆସିବେ ନାହିଁ । ଫ୍ରାନ୍ସର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ପ୍ରଣାଳୀ ଏହି ସମଗ୍ର ପ୍ରକ୍ରିୟାର ଖର୍ଚ୍ଚ ବହନ କରିବ ।