ଭୁବନେଶ୍ୱର,୦୮/୦୪: ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ଆମ୍‌ ଆଦ୍‌ମୀଙ୍କୁ ମିଳିଛି ଝଟ୍‌କା । ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଇଁଥିବା ବେଳେ ଲୋକେ ବହୁ କଷ୍ଟରେ ଘର ଚଳାଉଛନ୍ତି । ଏଭଳି ସ୍ଥିତିରେ ଗ୍ୟାସ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସାଜିଛି । ନୂଆ ଏଲ୍‌ପିଜି ଦର ଲାଗୁ ହୋଇଛି।

ସୋମବାର ତୈଳ ବିପଣନ କମ୍ପାନିଗୁଡ଼ିକ ସିଲିଣ୍ଡର ପିଛା ଘରୋଇ ଏଲ୍‌ପିଜି ଦରରେ ୫୦ ଟଙ୍କା ବୃଦ୍ଧି ଘୋଷଣା  କରିଛନ୍ତି । ନୂଆ ଦର ମଙ୍ଗଳବାରଠାରୁ ଲାଗୁ।  ସବ୍‌ସିଡି ଏବଂ ଅଣ-ସବ୍‌ସିଡି ଉଭୟ ଗ୍ରାହକଙ୍କ ପାଇଁ  ଏହି ଦରବୃଦ୍ଧି କାର୍ଯ୍ୟକାରୀ । ଭୁବନେଶ୍ୱରରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଅଣ-ସବ୍‌ସିଡି ଏଲ୍‌ପିଜି ଦର  ୮୨୯ ଟଙ୍କାରୁ ବଢ଼ି ୮୭୯ ଟଙ୍କା ହେବ । 

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା  ହିତାଧିକାରୀଙ୍କ ପାଇଁ ନୂଆ ଦର ୫୦୦ ଟଙ୍କାରୁ ବୃଦ୍ଧି ପାଇ ୫୫୦ ଟଙ୍କା ହେବ । ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, ଖର୍ଚ୍ଚଠାରୁ କମ୍‌ ଦରରେ ସିଲିଣ୍ଡର ବିକ୍ରି କରିବା କାରଣରୁ ତୈଳ ବିପଣନ କମ୍ପାନିଗୁଡ଼ିକ ପ୍ରାୟ ୪୧,୦୦୦ କୋଟି ଟଙ୍କାର  କ୍ଷତି ସହିଛନ୍ତି । ଏହି କ୍ଷତିକୁ ଭରଣା କରିବା ପାଇଁ ଗ୍ୟାସ ଦର ବଢ଼ାଇବାକୁ  ନିଷ୍ପତ୍ତି ନିଆଯାଇଛି ।

 ଚଳିତମାସ ୧ ତାରିଖରେ କମର୍ସିଆଲ ଏଲ୍‌ପିଜି ଗ୍ୟାସ  ସିଲିଣ୍ଡର ଦରରେ ୪୪.୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । ଅନ୍ତିମ ଥର  ପାଇଁ ସରକାର ୨୦୨୪ ମାର୍ଚ୍ଚ ୮ରେ ମହିଳା ଦିବସ ଉପଲକ୍ଷେ ଘରୋଇ ଏଲ୍‌ପିଜି  ଦରରେ ୧୦୦ ଟଙ୍କା ହ୍ରାସ କରିଥିଲେ । 

ସୂଚନାଯୋଗ୍ୟ, ତୈଳ କମ୍ପାନିଗୁଡ଼ିକ  ପ୍ରତିମାସ ପୂର୍ବ ମାସର ଅନ୍ତରାଷ୍ଟ୍ରୀୟ ଦର, ମୁଦ୍ରାର ବିନିମୟ ମୂଲ୍ୟ ଏବଂ ଅନ୍ୟ ଖର୍ଚ୍ଚ  ଆଧାରରେ ଏଲ୍‌ପିଜିର ମୂଳଦର ଧାର୍ଯ୍ୟ କରିଥାନ୍ତି । ଏହାପରେ ଟିକସ, ପରିବହନ  ଖର୍ଚ୍ଚ ଏବଂ ଡିଲର କମିଶନ ଯୋଡ଼ି ଖୁଚୁରା ଦର ନିର୍ଦ୍ଧାରଣ କରାଯାଇଥାଏ ।  ସବ୍‌ସିଡିଯୁକ୍ତ ସିଲିଣ୍ଡର ପାଇଁ ସରକାର ଅନ୍ତରକୁ ଭରଣା କରିଥାନ୍ତି । କିନ୍ତୁ  ଅଣ-ସବ୍‌ସିଡିଯୁକ୍ତ ସିଲିଣ୍ଡର ପାଇଁ ଗ୍ରାହକ ସମ୍ପୂର୍ଣ୍ଣ ମୂଲ୍ୟ ଦେଇଥାନ୍ତି ।