ଝାରସୁଗୁଡ଼ା,୨୨/୦୨: ମହାମାରୀ କରୋନା ଅନେକଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଲକଡାଉନ ଏବଂ ସଟ୍ଡାଉନ ସମୟ ଅନେକଙ୍କ ଜୀବନରେ ବିଷାଦ, ଦୁଃଖ ଭରି ଦେଇଥିଲା । ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁ ବର୍ଗଙ୍କୁ ହରାଇବାର ଦୁଃଖର ଖବର ସାଙ୍ଗକୁ ଘରେ ବନ୍ଦୀ ଭଳି ଜୀବନ ଜିଇଁ ପ୍ରତିକୂଳତା ଭିତରେ ସଂଘର୍ଷ କରି ଚାଲିଥିଲେ । ହେଲେ ଏଭଳି ଏକ ଦୁଃ ସମୟରେ ବି ଜଣେ ଉଚ୍ଚ ଶିକ୍ଷିତା ଝିଅ ନିଜର ସମୟର ସଦୁପଯୋଗ କରି ନିଜେ କିଭଳି ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆୟ ଦିଗରେ ସହାୟକ ହେବେ ସେହି ଚିନ୍ତାରେ ଲାଗି ପଡ଼ିଥିଲେ । ତାଙ୍କ ପ୍ରୟାସ ତାଙ୍କୁ ସଫଳତା ଆଣି ଦେଇଥିଲା । ଝାରସୁଗୁଡ଼ାଠାରେ ରଙ୍ଗିନ ମାଛ ଚାଷ ସହ ଘର ଅଗଣାକୁ ବିରାଟ ଏକ୍ୱାରିୟମର ରୂପ ଦେଇ ବ୍ୟବସାୟ କରି ଚାଲିଛନ୍ତି ।
ଏହି ରଙ୍ଗୀନ ମାଛ ବ୍ୟବସାୟରୁ ସେ ଯେଉଁ ସଫଳତା ପାଇଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଅନୁକରଣୀୟ ହୋଇ ପାରିଛି । ସଂଘର୍ଷ ଭିତରେ ସଫଳତାର କାହାଣୀ ଲେଖିଥିବା ଏହି ଝିଅ ହେଉଛନ୍ତି ଝାରସୁଗୁଡ଼ା ସହରର କକ୍ସ କଲୋନୀ ବବୁଆ ବଗିଚାରେ ରହୁଥିବା ଡେଭିଡ ହରିଙ୍କ ଝିଅ ଡୋରିନା ରୋଜ ହରି । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ ପରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ବିଇଡି କରିଥିବା ଡୋରିନା ଚାକିରୀ ପଛରେ ଧାଇଁ ନ ଥିଲେ । କରୋନା ମହାମାରୀ ଯୋଗୁଁ ଘରୁ ବାହାରକୁ ଯିବା ସମ୍ଭବ ନ ଥିବା ବେଳେ ସେହି ସମୟରେ ସେ ରଙ୍ଗୀନ ମାଛ ଚାଷ ବ୍ୟବସାୟ ଉପରେ କେନ୍ଦ୍ରୀଭୂତ କରିଥିଲେ । ଡୋରିନା କହନ୍ତି ସେ ୨୦୧୮ ମସିହାରେ ଛୁଟି ଦିନ କାଟିବାକୁ ଯାଇ ରାଞ୍ଚିରେ ଏକ୍ୱାଟିକ ୱାର୍ଲଡ ବୁଲି ଦେଖିଥିଲେ । ଯାହାକି ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା । ରଙ୍ଗିନ ମାଛ ଚାଷ କରିବା ଲାଗି ତାଙ୍କୁ ପ୍ରେରିତ କରିଥିଲା । ପ୍ରଥମେ ସେ ବଜାରରୁ ୨-୩ ପ୍ରକାର ରଙ୍ଗିନ ମାଛ ଆଣି ରଖିଥିଲେ ।
ଧୀରେ ଧୀରେ ଏଥିରେ ସେ ଅଧିକ ମନୋନିବେଶ କରି ଲାଗିଲେ । ଇଚ୍ଛା ଥିଲେ ସଫଳତା ଆପେ ଆସେ । ଏହି ନ୍ୟାୟରେ ବିଭିନ୍ନ ସୂତ୍ରରୁ ଜ୍ଞାନ ଆହରଣ କରି ରଙ୍ଗିନ ମାଛକୁ ନେଇ ତଥ୍ୟ ସଂଗ୍ରହ ପୂର୍ବକ ମାଛ ଚାଷର ପରିସରକୁ ଅଧିକ ବ୍ୟାପକ କରିଥିଲେ । କନୋରାର ପ୍ରଭାବ ଥିବା ୨୦୨୦ର ମାର୍ଚ୍ଚରେ ସେ ଲକଡାଉନ ଯୋଗୁଁ ଘରେ କୈଦ ରହିବା ପରେ ମାଛ ଚାଷ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା । ବିଭିନ୍ନ ପ୍ରଜାତିର ରଙ୍ଗୀନ ମାଛ ସଂଗ୍ରହ କରି ସେମାନଙ୍କ ପ୍ରଜନନ, ବଂଶ ବିସ୍ତାର ଲାଭ କରାଇଥିଲେ । ୧୦ରୁ ୧୨ ପ୍ରଜାତିର ବିଭିନ୍ନ ପ୍ରକାର ରଙ୍ଗିନ ମାଛ ତାଙ୍କ ଏକ୍ୱାରିୟମରେ ଉପଲବ୍ଧ ରହିବା ସହ ସେ ସବୁ ମାଛର ଯଥେଷ୍ଟ ଗ୍ରାହକ ଚାହିଦା ରହିଛି । ବିଭିନ୍ନ ସମୟରେ ସେ ନୂଆ ନୂଆ ପ୍ରଜାତିର ରଙ୍ଗିନ ମାଛ ଆଣି ଗ୍ରାହକଙ୍କୁ ଯୋଗାଇ ଚାଲିଛନ୍ତି । ତାଙ୍କର ମାଛ ଚାଷର ଦୁନିଆଁ ସଂପର୍କରେ ପ୍ରଚାରିତ ହେବା ପରେ ସେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଆସି ମାଛ କିଣି ନେଉଛନ୍ତି । ପ୍ରତି ମାସ ଡୋରିନା ସମସ୍ତ ବ୍ୟୟକୁ ବାଦ୍ ଦେବା ପରେ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରି ନିଜ ଏବଂ ପରିବାରର ଆୟରେ ସହାୟକ ହେଉଛନ୍ତି ।
ଆହୁର ପଢନ୍ତୁ-"ସେବାର ଅନନ୍ୟ ଉଦାହରଣ 'ସ୍ନେହଲତା': ଗୋଶାଳାରେ ପାଳିଛନ୍ତି ୧୫୦ରୁ ଉର୍ଦ୍ଧ୍ୱ ଗୋରୁ, ଦୁଃସ୍ଥଙ୍କ ପାଇଁ ଆଶାର କିରଣ
ଏଥିସହ ସେ ରଙ୍ଗୀନ ଫୁଲ ଗଛ ଚାରା ସୃଷ୍ଟି କରି ସମଗ୍ର ଘର ଅଗଣାକୁ ସୁନ୍ଦର ଭାବେ ସଜାଇ ପାରିଛନ୍ତି । ଯାହା ଦେଖିବାକୁ ଲୋକ ଆସିଥାନ୍ତି । ସେ ଉଚ୍ଚ ଶିକ୍ଷିତା ହୋଇଥିବାରୁ ବିଭିନ୍ନ ସମୟରେ ଚାକିରୀ ଲାଗି ସୁଯୋଗ ପାଇଥିଲେ । ମାତ୍ର ସେ ଚାକିରୀ ମୋହରେ ପଡ଼ି ନ ଥିଲେ । ଏବେ ସୁନ୍ଦରଗଡ଼ ଦର୍ଲିପାଲି ଠାରେ ଥିବା ଏକ ପଲିଟେକ୍ନିକରେ ଅଧ୍ୟାପନା କରୁଛନ୍ତି । ମାତ୍ର ସେ ରଙ୍ଗିନ ମାଛର ବ୍ୟବସାୟ ତଥା ଏକ୍ୱାରିୟମ କାରବାର ଛାଡ଼ି ନାହାଁନ୍ତି । ଦିନକୁ ଦିନ ତାଙ୍କ ବ୍ୟବସାୟ ବୃଦ୍ଧି ହେବା ସହ ତାଙ୍କର ଗବେଷଣାଧର୍ମୀ ଆଭିମୁଖ୍ୟରେ ନୂଆ ନୂଆ ପ୍ରୟୋଗ ଆଣି ନିଜ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛନ୍ତି । ସେ ଅଧ୍ୟାପନା କଲେ ବି ରଙ୍ଗିନ ମାଛ ବ୍ୟବସାୟରୁ ହଟିବେ ନାହିଁ ବୋଲି କହିଛନ୍ତି । ବାପା ଡେଭିଡ ହରି ମଧ୍ୟ ଝିଅର ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି । ଡୋରିନାଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ଓ ପ୍ରେରଣାଦାୟୀ ହୋଇପାରିଛି ।