ସୁନ୍ଦରଗଡ଼, ୨୨।୨: କାହାର ବୟସ ୧୭ ତ ଆଉ କାହାର ୭୦ । ସମସ୍ତେ ମାନସିକ ଭିନ୍ନକ୍ଷମ । ଘର କେଉଁଠି, ପରିଚୟ କ’ଣ ସବୁ ଅଜଣା । କିଏ ରାସ୍ତା କଡ଼ରୁ ତ ଆଉ କିଏ ଉଦ୍ଧାର ହୋଇ ଆସିଛନ୍ତି ବସ୍ତିରୁ । ଖାଇବା-ପିଇବା, ସ୍ନାନ-ଶୌଚ, ଠିକ୍ ସମୟରେ ଔଷଧ ଖାଇବା ସବୁଥିରେ ଅନ୍ୟ ଉପରେ ନିର୍ଭରଶୀଳ । ୨୫୦ରୁ ଊର୍ଦ୍ଧ୍ୱ ଏଭଳି ମାନସିକ ଅନଗ୍ରସରଙ୍କ ଅନ୍ଧକାରମୟ ଜୀବନରେ ଆଲୋକବର୍ତ୍ତିକା ସାଜିଛନ୍ତି ୬୩ ବର୍ଷୀୟା ସ୍ନେହଲତା ପଟେଲ । ମା’ ସାଜି ସେମାନଙ୍କ ସେବାଶୁଶ୍ରୂଷା କରୁଛନ୍ତି । ତାଙ୍କ ଉଦ୍ୟମରେ ଅନେକ ଅସହାୟ ମାନସିକ ଭିନ୍ନକ୍ଷମ ସୁସ୍ଥ ହୋଇ ପରିବାରକୁ ଫେରିଲେଣି । ସେମାନଙ୍କ ଉଜୁଡ଼ା ସଂସାରରେ ପୁଣି ଖୁସି ବାହୁଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ନୂଆଁଡିହି ଗ୍ରାମରେ ସ୍ନେହଲତାଙ୍କ ଘର । ପେସା ଓକିଲାତି । ତିନିବର୍ଷ ଧରି ହାଇକୋର୍ଟରେ ଓକିଲାତି କରି ଭଲ ରୋଜଗାର କରୁଥିଲେ । ଶିକ୍ଷକ ସ୍ୱାମୀ ଏବଂ ପୁଅଙ୍କୁ ନେଇ ତାଙ୍କ ସଂସାର ଭଲରେ ଚାଲିଥିଲା । କିନ୍ତୁ ମାନସିକ ଭିନ୍ନକ୍ଷମ ବ୍ୟକ୍ତି, ପରିତ୍ୟକ୍ତ ଗୋରୁଙ୍କ ଯନ୍ତ୍ରଣା ତାଙ୍କୁ ଟାଣି ଆଣିଲା ଭିଟାମାଟିକୁ ।
ଏହା ବି ପଢ଼ନ୍ତୁ... ଗୁହାଳରେ ବିତୁଛି ରାଜକୁମାରୀଙ୍କ ଜୀବନ, ବୁଲା ପଶୁପକ୍ଷୀଙ୍କ ସାଜିଛନ୍ତି ଜୀବନଦାତ୍ରୀ
ପ୍ରାରମ୍ଭିକ ଭାବେ ଗାଁରେ ଗୋଶାଳା କରି ଦେଢ଼ଶହ ଗୋରୁଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ ସ୍ନେହଲତା । ତନ୍ମଧ୍ୟରୁ ଅଧିକାଂଶ ଥିଲେ ରୋଗଣା ଓ ଦୁର୍ଘଟଣାଗ୍ରସ୍ତ । ଏବେ ଏହି ଗୋଶାଳା କୁତ୍ରା ବ୍ଲକ ରଜାବସାକୁ ସ୍ଥାନାନ୍ତର କରିଛନ୍ତି । ପରବର୍ତ୍ତୀ ସମୟରେ ସେବା ପାଇଁ ଆଉ ଗୋଟିଏ ପାଦ ଆଗକୁ ବଢ଼ିଥିଲେ ସ୍ନେହଲତା । ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଥଇଥାନ କରିବାକୁ ମନବଳାଇ ଜିଲ୍ଲା ରେଡକ୍ରସ୍ ସହାୟତାରେ ଆରମ୍ଭ କରିଥିଲେ ଆସ୍ଥା ଗୃହ । ୧୨ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଥଇଥାନ କେନ୍ଦ୍ର ପଞ୍ଜିକୃତ ହୋଇଛି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ୨୦୧୭ ମସିହାରୁ ୨୧୦ ଜଣ ଅନ୍ତେବାସିନୀଙ୍କ ନିମନ୍ତେ ଅନୁଦାନ ବ୍ୟବସ୍ଥା କରାଯାଇଛି । ଏବେ ଆସ୍ଥା ଗୃହରେ ୨୭୦ ଜଣ ରହୁଛନ୍ତି । ତେଣୁ ଅବଶିଷ୍ଟ ଖର୍ଚ୍ଚ ସ୍ନେହଲତାଙ୍କୁ ଭରଣା କରିବାକୁ ପଡୁଛି । ସ୍ନେହଲତାଙ୍କ ଅନାବିଳ ସ୍ନେହ ଓ ସମୟୋପଯୋଗୀ ଚିକିତ୍ସା କାରଣରୁ ଅନେକ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନେକ ବିବାହିତା ମହିଳାଙ୍କ ଦାମ୍ପତ୍ୟ ଜୀବନ ପୁଣି ହସି ଉଠିଛି । ଅନେକ ଯୁବତୀଙ୍କୁ ଫେରି ପାଇ ବାପା-ମା’ଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି ।
କେବଳ ଏତିକି ନୁହେଁ ଆସ୍ଥାଗୃହରେ ଜନ୍ମିତ ଜଣେ ଅନ୍ତେବାସିନୀଙ୍କ ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରି ନିଜର ବଡ଼ପଣର ପରିଚୟ ଦେଇଛନ୍ତି ସ୍ନେହଲତା । ସ୍ନେହଲତା କୁହନ୍ତି, ଗୋସେବା-ମାନବସେବା ତାଙ୍କୁ ଆତ୍ମସନ୍ତୋଷ ଦେଉଛି । ପରିଣତ ବୟସରେ ବୟସ୍କଙ୍କ ଜୀବନ ଦୁର୍ବିସହ ହେଉଛି । ଅନେକ କ୍ଷେତ୍ରରେ ସେମାନେ ଘରୋଇ ହିଂସାର ଶିକାର ହେଉଛନ୍ତି । ଏଭଳି ମଣିଷଙ୍କୁ ସ୍ନେହଯତ୍ନରେ ରଖିବାକୁ ସେ ଏକ ବୃଦ୍ଧାଶ୍ରମ କରିବାକୁ ଯୋଜନା କରିଛନ୍ତି । ସେହିପରି ପୃଥକ୍ ଭାବେ ପୁରୁଷ ମାନସିକ ଅନଗ୍ରସରଙ୍କ ନିମନ୍ତେ ଆଶ୍ରୟସ୍ଥଳୀ କରିବା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି ସେ କହିଛନ୍ତି ।