ପ୍ରମୂଖ ଖବର
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ହଇଜା ହାହାକାର... ମାଡ଼ୁଛି କରୋନା ଓ ଜଣ୍ଡିସ୍, ଆଗକୁ ରଥଯାତ୍ରା, ଚିନ୍ତାରେ ସରକାର

Published By : Rasmita Pradhan | June 18, 2025 8:31 AM

ଭୁବନେଶ୍ୱର,୧୮/୬ : ମାଡ଼ି ଚାଲିଛି ଝାଡ଼ାବାନ୍ତି। ଜିଲ୍ଲା ପରେ ଜିଲ୍ଲାକୁ ଡେଇଁବାରେ ଲାଗିଛି। ହଇଜା ଭୂତାଣୁ ଠାବ ହେଲାଣି ବିଭିନ୍ନ ଜିଲ୍ଲାରୁ। ଏପଟେ କରୋନା, ଜଣ୍ଡିସ୍‌ ଭୟ ବି ଘାରିଛି। ଏଭଳି ସ୍ଥିତିରେ ଆଉ ଦିନ କେଇଟା ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ରାଜ୍ୟର କୋଣ ଅନୁକୋଣ ସହ ଦେଶ ବିଦେଶରୁ ଛୁଟି ଆସିବେ ପୁରୀକୁ । ଲୋକାରଣ୍ୟ ହେବ ପୁରୀ ସହର । ତେଣୁ ଏବେଠାରୁ ଛାତିରେ ଛନକା ପଶିଲାଣି । ଯଦି ରଥଯାତ୍ରା ସମୟରେ ପୁରୀରେ ଝାଡ଼ାବାନ୍ତି ବ୍ୟାପିଲା କିମ୍ବା ହଇଜା ମାଡ଼ିଲା... ତେବେ କ’ଣ ହେବ ? ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ। 

ସରକାରୀ ରିପୋର୍ଟ ଅନୁସାରେ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ ଓ କଟକରେ ଝାଡ଼ାବାନ୍ତି ବ୍ୟାପିଛି । ୪୨୯ ଜଣ ନୂଆ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମାତ୍ର ବେସରକାରୀ ତଥ୍ୟ ଅନୁସାରେ ୯ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଛି । ମୁଖ୍ୟତଃ ଦୂଷିତ ପାଣି ଓ ନିମ୍ନମାନର ଖାଦ୍ୟ ହିଁ ଏହାର କାରଣ ବୋଲି କୁହାଯାଉଛି । ବିଶେଷଜ୍ଞ ଟିମ୍‌ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଯାଇ ନିତି ତନାଘନା କରୁଛନ୍ତି । ହେଲେ ବର୍ଷା ଦିନ ଆରମ୍ଭ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିବା ଏତେ ସହଜ ହେଉନି। ଏଭଳି ସମୟରେ ପୁରୀରେ ରଥଯାତ୍ରା ଆୟୋଜନ ସରକାର ଓ ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି। 

ରଥଯାତ୍ରା ସମୟରେ ପୁରୀକୁ ଝାଡ଼ାବାନ୍ତି ସଂକ୍ରମିତ ଅଞ୍ଚଳ ସହ ପ୍ରତି ଜିଲ୍ଲାରୁ ଲୋକେ ଆସିବେ। ବଡ଼ଦାଣ୍ଡରୁ ନେଇ ସମୁଦ୍ରକୂଳ ଓ ଗଳିକନ୍ଦିରେ ଭଳିକି ଭଳି ଖାଦ୍ୟ ପସରା ସହ ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା ଲାଗିବ। ତେବେ ଏ ଖାଦ୍ୟ କେତେ ସୁରକ୍ଷିତ, ସ୍ୱଚ୍ଛ, ତାହାର ମାନ ଯାଞ୍ଚ କରିବା ସ୍ୱାସ୍ଥ୍ୟ ବିଭାଗ ଏବଂ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଆହ୍ୱାନ ହେବ । ରଥଯାତ୍ରା ସମୟରେ ଭୀଷଣ ଗରମକୁ ଲକ୍ଷ୍ୟ କରି ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ, ସରବତ୍‌, ମୃଦୁ ପାନୀୟ, ଦହି ପାଣି, ଟଙ୍କ ତୋରାଣି ବ୍ୟବସ୍ଥା ବି କରାଯାଏ । ଏହି ପାଣିର ମାନ ଯଦି ବିଶୁଦ୍ଧ ହୋଇନଥିବ, ସ୍ଥିତି ବିଗାଡ଼ିପାରେ । ଭିଡ଼କୁ ଦେଖି ହୋଟେଲ, ଫାଷ୍ଟ୍‌ଫୁଡ୍‌, ଜଳଖିଆ ଦୋକାନ ଓ ରାସ୍ତାପାର୍ଶ୍ୱ ବୁଲା ବିକାଳିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଚା’ ମଧ୍ୟ ଝାଡ଼ାବାନ୍ତି, ହଇଜା ଓ ଜଣ୍ଡିସ ଭଳି ରୋଗକୁ ଡାକି ଆଣିପାରେ । ଯଦି ଥରେ ଏଭଳି କିଛି ସଂକ୍ରମଣ ବ୍ୟାପିବ, ନିୟନ୍ତ୍ରଣକୁ ଆଣିବା କଷ୍ଟକର ହୋଇପଡ଼ିବ । ତା’ ଛଡ଼ା ବାସି ଓ ନିମ୍ନମାନର ଖାଦ୍ୟ ଉପରେ କିଭଳି କଡ଼ା ନଜର ରଖିହେବ ତାହା ଜନସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଲାଣି । 

କେବଳ ପୁରୀ ସହର ନୁହେଁ, ଭୁବନେଶ୍ୱରରୁ ପୁରୀ ଯିବାବେଳେ ରାସ୍ତାପାର୍ଶ୍ୱ ହୋଟେଲ, ରେସ୍ତୋରାଁ, ଜଳଖିଆ ଦୋକାନ, ଚା’ ଦୋକାନ ଏବଂ ଉଠାଦୋକାନରେ ପ୍ରସ୍ତୁତ ଖାଦ୍ୟ ଓ ପାନୀୟ ଜଳ ମଧ୍ୟ ବିଭିନ୍ନ ସଂକ୍ରମିତ ରୋଗର କାରଣ ହୋଇପାରେ । ବହୁ କମ୍ପାନି ଶସ୍ତାରେ ବଜାରକୁ ପାଣି ବୋତଲ ଛାଡ଼ିଛନ୍ତି । ଅଧିକାଂଶ କମ୍ପାନିର ପାଣି ବିଶୁଦ୍ଧ ନଥିବାବେଳେ କେବଳ ଷ୍ଟିକର୍‌ ମାରି ବଜାରକୁ ଛଡ଼ାଯାଇଛି । ଏଭଳି ନିମ୍ନମାନର ପାଣି ପିଇଲେ ମଧ୍ୟ ସଂକ୍ରମଣ ବ୍ୟାପିପାରେ । ଖାଲି ସେତିକି ନୁହେଁ, କରୋନା ଉପରେ ବି ନଜର ଦେବାକୁ ହେବ । ସଂକ୍ରମଣ ବ୍ୟାପିଲେ ଆଗକୁ ସ୍ଥିତି ବିଗିଡ଼ିପାରେ । ଜ୍ୱର, ଥଣ୍ଡା, ଝାଡ଼ା ଲକ୍ଷଣ ଥିବା ଲୋକେ ରଥଯାତ୍ରା ସମୟରେ ପୁରୀ ଆସିଲେ ସ୍ଥିତି ବିଗିଡ଼ିପାରେ । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ହେବ । ସବୁଦିଗକୁ ଧ୍ୟାନରେ ରଖି ସରକାର ସତର୍କତାମୂଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.