କୋରିଅର ସେବାରେ ମହିଳା

ଗୁରୂତ୍ୱପୂର୍ଣ୍ଣ ଚିଠି ତଥା ଜିନିଷପତ୍ର ପଠାଇବା ପାଇଁ ଅଧିକାଂଶ ଲୋକ ପୋଷ୍ଟ ଅଫିସ ଅପେକ୍ଷା କୋରିଅର କେନ୍ଦ୍ରକୁ ଅଧିକ ଶ୍ରେୟ ମଣିଥାନ୍ତି । ଯଦିଓ ବଡ଼ ବଡ଼ ସହରର କୋଣ ଅନୁକୋଣରେ ଅତି ସହଜରେ ଆପଣଙ୍କୁ କୋରିଅର କେନ୍ଦ୍ର ମିଳିଯିବ । କିନ୍ତୁ ଗାଁ ତଥା ଛୋଟ ସହରମାନଙ୍କରେ ଖୁବ୍କମ୍ କିମ୍ବା ଆଦୌ ବି କୋରିଅର କେନ୍ଦ୍ର ନଥାଏ । ଏଣୁ ସେହି ଅଞ୍ଚଳର ଲୋକମାନଙ୍କୁ ଗୁରୂତ୍ୱପୂର୍ଣ୍ଣ ଚିଠି କିମ୍ବା ଜିନିଷ ପଠାଇବା ପାଇଁ ସହରକୁ ଆସିବାକୁ ପଡ଼ିଥାଏ । ଏଣୁ ଗାଁରେ କିମ୍ବା ଛୋଟ ସହରରେ ରହୁଥିବା ମହିଳାମାନେ ନିଜ ଘରେ କୋରିଅର ସଂସ୍ଥା ଖୋଲି ହୋଇପାରିବେ ଲାଭବାନ ।
କିପରି କରିବେ ଆରମ୍ଭ: କମ୍ପ୍ୟୁଟର, ପ୍ରିଣ୍ଟର ଥିବା ସହ ଜିନିଷପତ୍ର ରଖିବା ପାଇଁ ପର୍ଯ୍ୟାପ୍ତ ତଥା ସୁରକ୍ଷିତ ସ୍ଥାନ ଥିଲେ ପ୍ରାଥମିକ ଭାବେ ଆପଣ ଏହି ବ୍ୟବସାୟ ଆରମ୍ଭ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନଙ୍କ ସହ ଯୋଡ଼ିହୋଇ ରହିବା ପାଇଁ ଏକ ମୋବାଇଲ ଫୋନ ମଧ୍ୟ ଆବଶ୍ୟକ । କମ୍ପ୍ୟୁଟର ସମ୍ବନ୍ଧିତ ସମ୍ୟକ୍ ଜ୍ଞାନ ରହିଥିଲେ ଏହି ସଂସ୍ଥା ଚଲାଇବା ଆହୁରି ସହଜ ହୋଇପାରିବ । ଚିଠି ତଥା ଜିନିଷପତ୍ର ନେବାଆଣିବା କରିବା ପାଇଁ ସ୍ଥାନୀୟ ଅଞ୍ଚଳ ସମ୍ବନ୍ଧରେ ଜ୍ଞାନ ରଖିଥିବା ଜଣେ ଯୁବକଙ୍କୁ ନିଯୁକ୍ତି ଦେଇପାରିବେ । ସଂସ୍ଥା ଖୋଲିସାରିବା ପରେ ପ୍ରଥମେ ଆପଣଙ୍କୁ ପ୍ରଥମେ ଏକ ବିଶ୍ୱାସନୀୟ କୋରିଅର କମ୍ପାନୀ ସହ ଚୁକ୍ତି କରିବାକୁ ହେବ । ବ୍ଲୁ ଡାର୍ଟ, ଫେଡ୍ ଏକ୍ସ, ଫାର୍ଷ୍ଟ ଫ୍ଲାଇଟ, ଟ୍ରାକ୍ ଅନ, ଏକ୍ସପ୍ରେସ୍ ବିସ୍ ଭଳି ଅନେକ ଲୋକପ୍ରିୟ ତଥା ବିଶ୍ୱସ୍ତ କୋରିଅର କମ୍ପାନୀ ରହିଛି । ଆପଣ ଚାହିଁଲେ ଏହା ମଧ୍ୟରୁ କୌଣସି କମ୍ପାନୀକୁ ଚୟନ କରିପାରିବେ । ଏହା ବ୍ୟତୀତ ଆମାଜନ, ସ୍ନାପଡିଲ, ଫ୍ଲିପକାର୍ଟ, ସପ୍କ୍ଲ୍ୟୁସଭଳି ଇ-କମର୍ସ କମ୍ପାନୀଗୁଡ଼ିକ ସହ ଚୁକ୍ତି କରି ମଧ୍ୟ ଆପଣ ଆପଣଙ୍କ ସଂସ୍ଥାକୁ ଆଗେଇ ପାରିବେ ।

କେତେ ପ୍ରକାର: କୋରିଅର ସେବା ସାଧାରଣତଃ ୨ ପ୍ରକାର ହୋଇଥାଏ ଆଉଟ ୱାର୍ଡ ସେବା ଏବଂ ଇନ୍ୱାର୍ଡ ସେବା । ଆଉଟ୍ ୱାର୍ଡ ସେବା ଅର୍ଥାତ୍ ବାହାର ସ୍ଥାନରୁ ଆସୁଥିବା ଜିନିଷପତ୍ର ନିଜ ଅଞ୍ଚଳରେ ଠିକ୍ ଠିକଣାରେ ପହଞ୍ଚାଇବା । ସେହିପରି ଇନ୍ୱାର୍ଡ ସେବାରେ ନିଜ ଅଞ୍ଚଳର ଜିନିଷପତ୍ର ତଥା ଚିଠିକୁ ବାହାର ସ୍ଥାନକୁ ପ୍ରେରଣ କରିବା । ଇନ୍ୱାର୍ଡ ସେବା ଯୋଗାଇବା ତୁଳନାରେ ଆଉଟୱାର୍ଡ ସେବା ଯୋଗାଇବା ସହଜ । ଏଣୁ କେବଳ ଆଉଟ୍ୱାର୍ଡ ସେବା ଯୋଗାଇ ଆପଣ ଏହି ବ୍ୟବସାୟ ଆରମ୍ଭ କରିପାରିବେ । ଯୋଗାଉଥିବା ସେବାମୂଲ୍ୟ ସ୍ୱରୂପ ଆବଶ୍ୟକୀୟ ଲାଭରଖି ଏହି ବ୍ୟବସାୟରେ ଆପଣ ମଧ୍ୟ ହୋଇପାରିବେ ଲାଭବାନ ।