ଦାରିଙ୍ଗବାଡି,୧୧/୦୮: ସ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀକୁ ସ୍ୱାମୀ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ । ଦୁହେଁ ଗୋଟିଏ ଅଞ୍ଚଳରେ କର୍ତ୍ତବ୍ୟରତ ଥିବା ବେଳେ ମାନବିକତା ଭୁଲି ଯାଇ ଗରିବ ନିରୀହ ଗର୍ଭବତୀ ମହିଳାଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରି ଦୁର୍ନୀତି କରୁଥିବା ନେଇ ମାଳମାଳ ଅଭିଯୋଗ । ସରପଞ୍ଚଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ପରେ ସରପଞ୍ଚ ଡାକିଥିଲେ ଜରୁରୀ ବୈଠକ । ବୈଠକକୁ ସ୍ୱାସ୍ଥ୍ୟ,ସ୍ତ୍ରୀ ଦୁହିଁଙ୍କୁ ଡାକିଥିଲେ ସରପଞ୍ଚ । ବୈଠକରେ ସ୍ୱାସ୍ଥ୍ୟ ଓ ସ୍ତ୍ରୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲେ ଗ୍ରାମବାସୀ । ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା କିଛି ଏଭଳି ପରିସ୍ଥିତି ।
ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ, ଗୁମିକିଆ ପଞ୍ଚାୟତ ଅଞ୍ଚଳର ସ୍ୱାସ୍ଥ୍ୟ କର୍ମୀ ମିନତି ସ୍ୱାଇଁ ଓ ସ୍ୱାମୀ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଶିବ ପ୍ରସାଦ ପାଢ଼ୀ ଦୁହେଁ ମିଶି ଗର୍ଭବତୀ ମହିଳାଙ୍କ ମମତା କାର୍ଡ କରିଦେବା ବାବଦରେ କାହାଠାରୁ ୨୦୦ ଟଙ୍କା ତ ଆଉ କାହା ଠାରୁ ୩୦୦ ସହ ଟଙ୍କା ହାତଗୁଞ୍ଜା ନେଉଛନ୍ତି । ଆଉ ଯିଏ ଟଙ୍କା ଦେଉନଥିଲା ସେହି ଗର୍ଭବତୀ ମହିଳାଙ୍କୁ ମମତା କାର୍ଡ ପ୍ରଦାନରେ ଅବହେଳା କରାଯାଉଥିଲା । ଏପରିକି ସଠିକ୍ ସମୟରେ ଗର୍ଭବତୀ ମହିଳାଙ୍କ ରେଜିଷ୍ଟ୍ରେସନ କରୁ ନଥିଲେ ସ୍ୱାସ୍ଥ୍ୟ କର୍ମୀ ମିନତି । ଖାଲି ଏତିକି ନୁହଁ ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ବାମୀ ଶିବ ପ୍ରସାଦ ପାଢ଼ୀ ଉକ୍ତ ଅଞ୍ଚଳର ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ରହିଥିବା ବେଳେ ଲୋକଙ୍କ ପାଇଁ ଯାହା ସବୁ ମଶାରୀ ଆସୁଛି ତାକୁ ଲୋକଙ୍କୁ ନଦେଇ ବାହାରେ ବିକ୍ରୟ କରୁଛନ୍ତି । ଫଳରେ ଗୁମିକିଆ ଭଳି ଉପାନ୍ତ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଲୋକେ ମଶାରୀ ନପାଇ ନିରାଶ ହେବା ସହ ମଶା ଦାଉରୁ ନିଜକୁ ସୁରକ୍ଷିତ ରଖି ପାରୁ ନାହାନ୍ତି । ଏପରିକି ଉକ୍ତ ଅଂଚଳରେ ମ୍ୟାଲେରିଆ ହୁ ହୁ ହୋଇ ବଢୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଭାବେ ସ୍ବାମୀ ଓ ସ୍ତ୍ରୀ ମିଶି ବେଆଇନ କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ବାସ୍ଥ୍ୟ କର୍ମୀ ଆଶା କର୍ମୀ ଓ ସିଏଚଓଙ୍କୁ ମଧ୍ୟ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସ୍ବାମୀ ଓ ସ୍ତ୍ରୀଙ୍କ ଦୁର୍ନୀତି ଚରମ ସୀମାରେ ପହଞ୍ଚିବା ଯୋଗୁଁ ଲୋକେ ଗୁମିକିଆ ସରପଞ୍ଚ ତ୍ରିନାଥ ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ସରପଞ୍ଚ ସ୍ଵାମୀ- ସ୍ତ୍ରୀଙ୍କୁ ପଞ୍ଚାୟତକୁ ଡାକି ଗ୍ରାମବାସୀ ଓ ୱାର୍ଡ ମେମ୍ବରମାନଙ୍କ ଉପସ୍ଥିତରେ ବୈଠକ କରିଥିଲେ । ବୈଠକରେ ସ୍ବାମୀ-ସ୍ତ୍ରୀ ଦୁହିଁଙ୍କୁ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ ରହିବା ସହ ମମତା କାର୍ଡ ବାବଦକୁ ନେଇ ଥିବା ଟଙ୍କା ଫେରାଇବାକୁ କହିଥିଲେ । ଆଗକୁ ଯେଭଳି ଏମିତି ଘଟଣା ପୁନରାବୃତ୍ତି ନହେବ ସେଥି ପ୍ରତି ଧ୍ୟାନ ଦେବାକୁ କହିବା ସହ ସ୍ୱାସ୍ଥ୍ୟ ବିଭାଗରେ ଉକ୍ତ ଘଟଣାର ସଠିକ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ମମତା କାର୍ଡ ବାବଦକୁ ଟଙ୍କା ମାଗିବା ଅଭିଯୋଗ କଥାକୁ ସ୍ୱାସ୍ଥ୍ୟ କର୍ମୀ ମିନତି ସ୍ୱାଇଁ ଖଣ୍ଡନ କରିଥିବା ବେଳେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ତାଙ୍କ ନାମରେ ଥିବା ଅଭିଯୋଗକୁ ଖଣ୍ଡନ କରି ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଜାକେଶ ସାମନ୍ତରାୟଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟ ତଦନ୍ତ ସରିଛି, ପରବର୍ତ୍ତୀ ତଦନ୍ତ ପୁଣି ଥରେ ହେବ ବୋଲି କହିଥିଲେ ।