ଭୁବନେଶ୍ୱର,୦୨/୦୮: କଫ୍‌ ସିରପ୍‌ ଗଚ୍ଛିତ ରଖିବା ଘଟଣାରେ ଏସ୍‌ଟିଏଫ୍‌  ପଞ୍ଝାରେ ପଡ଼ିଥିବା ବ୍ୟବସାୟୀ ଅଂଶୁମାନ ଅଭିଜିତ୍‌ ସାହୁଙ୍କୁ ଶୁକ୍ରବାର କୋର୍ଟ ଚାଲାଣ  କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ  ପଠାଇ ଦିଆଯାଇଛି । କ’ଣ ପାଇଁ ଏତେ ପରିମାଣରେ ନିଷିଦ୍ଧ କଫ ସିରପ୍‌  ରଖିଥିଲେ ସେ ବିଷୟରେ କିଛି ଟେର ପାଇ ନାହିଁ ଏସ୍‌ଟିଏଫ୍‌ । ଘଟଣାର ଅଧିକ  ତଦନ୍ତ ପାଇଁ ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି ।  

ଏସ୍‌ଟିଏଫ୍‌ ସୂଚନା ମୁତାବକ, ବ୍ୟବସାୟୀ ଅଂଶୁମାନଙ୍କ ଘର ଭରତପୁର ପ୍ଲଟ୍‌  ନଂ.୬୪୪ରେ । ଦୁଇ ମାସ ହେବ ସେ ଟାଙ୍ଗୀରେ ଘର ଭଡ଼ା ନେଇ ରହୁଥିଲେ ।  ତାଙ୍କର ‘ଟ୍ରାକନ୍‌ କୋରିଅର୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏକ ସଂସ୍ଥା ରହିଛି ।  କଟକର ବାଦାମବାଡିର ନ୍ୟୁ ଏଲଆଇସି କଲୋନି ନିକଟରେ ଏକ ଗୋଦାମ  ଘର ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଆଉ ଏକ ଗୋଦାମ ଘର ରହିଛି । ଏକ ନିର୍ଦ୍ଦିଷ୍ଟ  ବ୍ରାଣ୍ଡର କଫ୍‌ ସିରପ୍‌କୁ ଗତ କିଛି ମାସ ହେବ ସରକାର ନିଷିଦ୍ଧ କରିଥିଲେ ।  ହେଲେ ବ୍ୟବସାୟୀ ଅଂଶୁମାନ ସେ ସବୁ ଆଣି ନିଜ ଗୋଦାମରେ ମହଜୁଦ  କରି ଚୋରାରେ ବିକ୍ରି କରୁଥିଲେ । ଏ ବିଷୟରେ ଖବର ପାଇଥିଲେ ଡ୍ରଗ୍ସ  କଣ୍ଟ୍ରୋଲର । ସେଠାରେ ଚଢ଼ଉ କରିବା ପାଇଁ ଏସ୍‌ଟିଏଫ୍‌ର ସହଯୋଗ  ଲୋଡ଼ିଥିଲେ । 

ଗତକାଲି ଏସ୍‌ଟିଏଫ୍‌ ଓ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ମିଳିତ  ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ୨ଟି ଗୋଦାମରୁ ୨୬,୬୫୮  ବୋତଲ କଫ୍‌ ସିରପ୍‌ ଜବତ କରାଯାଇଥିଲା । ଏହି ଘଟଣାରେ ଏସ୍‌ଟିଏଫ୍‌  ଅଂଶୁମାନଙ୍କ ସହ ୬ଜଣଙ୍କୁ ଅଟକ ରଖିଥିଲା । ଅଂଶୁମାନଙ୍କ ଭଡ଼ା ଘରେ ଚଢ଼ଉ ସମୟରେ ୨୫ ଲକ୍ଷ ୪୧ ହଜାର ଟଙ୍କା ଜବତ କରିଛି ଏସ୍‌ଟିଏଫ୍‌ ।  ଅଂଶୁମାନ ଏ ସବୁ କଫ୍‌ ସିରପକୁ କେବଳ ନିଶା ମାଫିଆଙ୍କୁ ବିକ୍ରି କରୁଥିଲେ  ବୋଲି ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି।