ଭୁବନେଶ୍ୱର, ୨୫।୧୧ : ପଞ୍ଚମ ଜାତୀୟ ଅଡିଟ ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଦେଶର ପ୍ରଥମ ଅଡିଟ ଅଦାଲତ ଉଦଘାଟିତ ହୋଇଛି। ଓଡ଼ିଶାର ପ୍ରଧାନ ମହାଲେଖାକାର ଅଡିଟ-୧ ସୁବୁ. ଆରଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଛି l
ସମ୍ପୃକ୍ତ ବିଭାଗ ସହିତ ଜଡିତ ପୁରୁଣା IR ପାରାଗୁଡ଼ିକୁ ତଦାରଖ କରିବା ଅଡିଟ୍ ଅଦାଲତର ଉଦ୍ଦେଶ୍ୟ ଥିଲା । ଯାହା ଦ୍ୱାରା ବିଭାଗୀୟ ସ୍ତରରେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନିଆଯାଇପାରିବ । ବିଭାଗଗୁଡ଼ିକୁ ସମୟୋଚିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା, ଆଭ୍ୟନ୍ତରୀଣ ନିୟନ୍ତ୍ରଣକୁ ସୁଦୃଢ଼ କରିବା ଏବଂ ବାକି ଥିବା ଅଡିଟ୍ ପାରା ଗୁଡିକ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରା ଯାଇ ଥିଲା I ଏଣିକି ପ୍ରତି ମାସ ୨୫ ତାରିଖରେ ଅନଲାଇନ ସିଏଜି କନେକ୍ଟ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗମାନେ ଅଡିଟ ପାରା ସମ୍ବନ୍ଧରେ ଏଜିକୁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ l
ଓଡିଶା ସରକାରଙ୍କ ଛଅଟି ବିଭାଗ ଯଥା ମହିଳା ଏବଂ ଶିଶୁ ବିକାଶ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଅବକାରୀ ଏବଂ ଗ୍ରାମୀଣ ବିକାଶ ସହିତ ଜଡିତ ଦୀର୍ଘକାଳୀନ ଯାଞ୍ଚ ରିପୋର୍ଟ (IR) ପାରାଗୁଡ଼ିକୁ ସମୀକ୍ଷା ଏବଂ ସମ୍ପୃକ୍ତ ବିଭାଗ ଦ୍ୱାରା ତଦାରଖ କରିବା ପାଇଁ ଏକ ଅଡିଟ୍ ଅଦାଲତ ଆୟୋଜନ କରା ଯାଇଥିଲା । ଏହି ଅଦାଲତକୁ ଉପ ମହାଲେଖାକାର ଅଡିଟ ବେନୋଥ ରାକେଶ ନାୟକ ଏବଂ ଶ୍ରୀ ବିମଲେଶ କୁମାର ସଂଯୋଜନା କରିଥିଲେ।
ଏହି ଅଦାଲତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ୍., ପୋମା ଟୁଡୁ, ସ୍ୱତନ୍ତ୍ର ଶାସନ ସଚିବ ବିଜୟ କୁମାର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର ଶାସନ ସଚିବ ଯାମିନି ଷଡ଼ଙ୍ଗୀ ଓ ଛଅଟି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଅଡିଟ ପାରାର ତ୍ରୁଟି, ବିଚ୍ୟୁତି ଏହାର ସମାଧାନ ଉପରେ ନିଜର ମତାମତ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରଧାନ ମହଲେଖାକାରଙ୍କ ସଚିବ ଶ୍ରୀମନ୍ତ କୁମାର ପଣ୍ଡା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଉପେନ୍ଦ୍ର ନାରାୟଣ ଦାସ, ସୁକାନ୍ତି ପ୍ରଭା ଦାସ, ପ୍ରିୟଦର୍ଶନ କାନୁନଗୋ ଓ ଅନ୍ୟମାନେ ପରିଚାଳନା କରିଥିଲେ l