ନୂଆଦିଲ୍ଲୀ, ୦୯/୧୨ : କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସ୍ଵତନ୍ତ୍ର ଅଦାଲତ । ଏମ୍/ଏସ୍ ଅଭିଜିତ୍ ଇନଫ୍ରାଷ୍ଟ୍ରକଚରର ନିର୍ଦ୍ଦେଶକ ମନୋଜ କୁମାର ଜୟସୱାଲ, ପୂର୍ବତନ ନିର୍ଦ୍ଦେଶକ ରମେଶ କୁମାର ଜୟସୱାଲ ଏବଂ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାଟି ୨୦୧୬ ମସିହାର । ଝାଡ଼ଖଣ୍ଡରେ କୋଇଲା ଖଣି ହାତେଇବାରେ କମ୍ପାନିର ଭୂମିକା ସନ୍ଦେହଜନକ ଥିଲା। ଯାହାକୁ ନେଇ ଦୀର୍ଘ ଦିନ ଯାଏ ତଦନ୍ତ ହୋଇଥିଲା। ଏହପରେ କୋର୍ଟ ସୋମବାର ରାୟ ଶୁଣାଇଛନ୍ତି। 

୨୦୧୬ରେ ସିବିଆଇ, ସଂସ୍ଥା ବିରୋଧରେ ଆଇପିସି ବିଭିନ୍ନ ଧାରା ଏବଂ ଦୁର୍ନୀତି ନିରୋଧୀ ଅଧିନିୟମ ୧୯୮୮ ଅଧିନରେ ମାମଲା ରୁଜୁ କରିଥିଲା । M/s ଅଭିଜିତ୍ ଇନଫ୍ରାଷ୍ଟ୍ରକ୍ଚରକୁ ୨୦୦୫ ମସିହାରେ ଆବଣ୍ଟିତ କୋଲ୍ ବ୍ଲକ୍ ମୁଖ୍ୟତଃ ବ୍ରିନ୍ଦା, ସିସାଇ ଏବଂ ମେରାଲ କୋଇଲା ଖଣି ଉପରେ ତଦନ୍ତ କରାଯାଇଥିଲା । ଏହି ସଂସ୍ଥା ସରକାରୀ ଅଧିକାରୀଙ୍କ ସହ ମିଶି ନକଲି କାଗଜପତ୍ର ତିଆରି ଉପସ୍ଥାପନ କରିଥିଲା। ଯାହାକୁ ଆଧାର କରି କୋଇଲା ମନ୍ତ୍ରାଳୟ କୋଇଲା ଆବଣ୍ଟିତ କରିଥିଲା। ହେଲେ ଏହା ଦ୍ଵାରା ସରକାରୀ ରାଜକୋଷକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା।

୨୦୨୦ ମସିହାରେ ସିବିଆଇ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଜୟସୱାଲ ଏବଂ କମ୍ପାନି ବିରୋଧରେ ବିଭିନ୍ନ ଅପରାଧିକ ଗତିବିଧି, ଅପରାଧିକ ଷଡ଼ଯନ୍ତ୍ର ଏବଂ ଠକେଇ କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା । ୩୮ ଜଣ ସାକ୍ଷୀ ଏବଂ ୭୪ଟି ଦଲିଲକୁ ଆଧାର କରି ରାଉଜ୍ ଏଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଧ୍ୱାଜ ଏହି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।