ଗୋରୁ ଚାଲାଣର ହବ୍ ପାଲଟିଛି କଣିହାଁ: ନଦୀଘାଟ ଦେଇ ନିୟମିତ ଗୋ-ଚାଲାଣ, ପୁଲିସ୍,ପ୍ରଶାସନ ସାଜିଛନ୍ତି ନିରବ ଦ୍ରଷ୍ଟା

ଅନୁଗୁଳ/କଣିହାଁ,୨୮/୧୧: ଅନୁଗୁଳ ସମେତ ପଡ଼ୋଶୀ ଦେବଗଡ଼ ଜିଲ୍ଲାରୁ କଣିହାଁ ବ୍ଲକ୍ ଦେଇ ବେଧଡ଼କ ଚାଲାଣ ହେଉଛନ୍ତି ଗୋରୁ । ବ୍ରାହ୍ଣଣୀର ନାଲମ ଓ ଟିଟ୍ରିମା ଘାଟରୁ ପ୍ରତି ସପ୍ତାହରେ ଗୋରୁପଲକୁ ନଦୀ ପାର୍ କରାଯାଉଛି । ଡଙ୍ଗାରେ ବାନ୍ଧି ଦୟନୀୟ ଅବସ୍ଥାରେ ସେପଟକୁ ନେଲା ପରେ କେନ୍ଦୁଝର ଅଭିମୁଖେ ନେଉଥିବା ଜଣାପଡ଼ିଛି । ଚାରି ଚାରିଟି ଥାନା ଇଲାକା ଦେଇ ସପ୍ତାହକୁ ଦୁଇଥର ଗୋରୁ ଚାଲାଣ ହେଉଥିଲେ ମଧ୍ୟ ନା ପୁଲିସ, ପ୍ରଶାସନ କାହାର ନଜର ପଡୁଛି । ସମଲ ବ୍ୟାରେଜ୍ ପକ୍ଷରୁ ଦିଆଯାଇଥିବା ମୋଟର ଚାଳିତ ଡଙ୍ଗାରେ ଅତି ଦୟନୀୟ ଭାବେ ବାନ୍ଧି ନଦୀ ପାର୍ କରାଯାଉଛି । ଲୋକଙ୍କ ଚଳାଚଳ ପାଇଁ ସମଲ ବ୍ୟାରେଜ୍ କର୍ତ୍ତଅକ୍ଷ ଦେଇଥିବା ମୋଟର ଚାଳିତ ଡଙ୍ଗା ବେଆଇନ୍ ଗୋ ଚାଲାଣର ପ୍ରମୁଖ ମାଧ୍ୟମ ପାଲଟିଛି । ଏକାଧିକ ଥାନା ଇଲାକା ଦେଇ ଏଭଳି ବେଆଇନ୍ କାରବାର ଚାଲିଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, କିଶୋରନଗର, କୋଶଳା, ବାଗେଡିଆ ଏବଂ ଦେବଗଡ଼, ରିଆମାଳ ଇଲାକାରୁ ଶହଶହ ଗୋରୁ ସଂଗ୍ରହ କରି କଣିହାଁ ବ୍ଲକ୍ର ନାଲମ ଘାଟ ଓ ଟିଟ୍ରିମା ଘାଟକୁ ଅଣାଯାଇଥାଏ । ମୋଟର ଚାଳିତ ଡଙ୍ଗାରେ ଗୋରୁ ବାନ୍ଧି ନାଲମରୁ ଅକିଳି ଓ ଟିଟ୍ରିମା ଘାଟରୁ କର୍ଣ୍ଣପାଳ ଘାଟ ପର୍ଯ୍ୟନ୍ତ ନଦୀ ପାର କରାଯାଇଥାଏ । ସପ୍ତାହର ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ରେଙ୍ଗାଳି, କଣିହାଁ, ସମଲ, ଖମାର ଥାନା ଅଞ୍ଚଳର ଦେଇ ନିୟମିତ ଏଭଳି ବେଆଇନ୍ କାରବାର ଚାଲିଆସୁଛି । ଏ ନେଇ ଚାଲାଣକାରୀଙ୍କୁ ପଚାରିଲେ ସେମାନେ ଶନିବାର ବସୁଥିବା କେନ୍ଦୁଝର ଜିଲ୍ଲାର ଛାମୁଣ୍ଡା ହାଟକୁ ଗୋରୁ ବିକ୍ରି କରିବାକୁ ନେଉଥିବା କହି ଏଡ଼ାଇ ଯାଉଛନ୍ତି ।
ଅନ୍ୟପକ୍ଷରେ ନାଲମ ଘାଟରେ ଦୁଇଟି ଡଙ୍ଗା ରହିଛି । ଉଭୟ ୭ ଦିନିଆ ପାଳି କରି ଘାଟ ଜଗୁଛନ୍ତି । ସ୍ଥାନୀୟ ଅଞ୍ଚଳର ଏକ ଗୋଷ୍ଠୀ ଗୋ-ଚାଲାଣକାରୀଙ୍କୁ ପ୍ରୋତ୍ସାହନ ଯୋଗାଇଆସୁଛନ୍ତି । ଗୋରୁ ସଂଗ୍ରହଠାରୁ ଚାଲାଣ ପର୍ଯ୍ୟନ୍ତ ଏକ ସୁସଂଗଠିତ ର୍ୟାକେଟ୍ ଏଥିରେ କାର୍ଯ୍ୟ କରୁଛନ୍ତି । ପୁଲିସ ବେଳେ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରୁଥିଲେ ହେଁ ଅସଲ କାର୍ପଟଦାର ପାଖରେ ପହଞ୍ଚିପାରିନାହିଁ । ଗୋଚାଲାଣ ସଂକ୍ରାନ୍ତରେ କୌଣସି ଅଭିଯୋଗ ନଥିବା ସ୍ଥାନୀୟ ଥାନା ଅଧିକାରୀ ପ୍ରକାଶ କରୁଥିବା ବେଳେ ଖୋଦ୍ ଏସ୍ପି ଏଥିପ୍ରତି ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ସ୍କ୍ୱାଡ଼୍ ମୁତୟନ କଲେ ଗୋ-ଚାଲାଣରେ ରୋକ୍ ଲାଗିପାରନ୍ତା ବୋଲି ମତ ପ୍ରକାଶ ପାଇଛି ।