ଭଦ୍ରକ, ୧୮/୦୧: ଭଦ୍ରକର କୁଖ୍ୟାତ ଗୋ ମାଫିଆ ସେଖ ତାଜୁଦ୍ଦିନ ଓରଫ ରାଜନ ଘରେ ଶନିବାର କେନ୍ଦୁଝର ପୁଲିସ ପସିଛି । ଭଦ୍ରକ ଜିଲ୍ଲାର ୩ଟି ସ୍ଥାନରେ ରାଜନ ଦ୍ୱାରା ଚାଲିଥିବା କଳା ସାମ୍ରାଜ୍ୟର ଖୋଳତାଡ଼ କରିଛି । ପୁରୁଣା ବଜାର ଥାନା ଅଧୀନ ମୁଲାସାହି ଘରେ ରେଡ୍ କରିଛି । ରେଡ୍ବେଳେ ଟଙ୍କା ଦେଖି ପୁଲିସ ଆଖି ଟେରା ହୋଇଛି । ଅଳଙ୍କାର ସାଙ୍ଗକୁ ଦାମୀ ଗାଡ଼ି ବି ପୁଲିସ ଜବତ କରିଛି । ରାଜନକୁ ଗିରଫ କରି କେନ୍ଦୁଝର ପୁଲିସ ନେଇ ଫେରିଛି । ଏବେ ବି ଭଦ୍ରକ ବାଇପାସ୍ ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ କଲେଜରେ ପୁଲିସ ରେଡ୍ କରୁଛି ।
ପୁରୁଣା ବଜାର ଥାନା ଅଧୀନ ମୁଲାସାହିରେ ଶନିବାର ଭୋରରୁ ପହଞ୍ଚିଥିଲା କେନ୍ଦୁଝର ପୁଲିସ । କେନ୍ଦୁଝର ସଦର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ୧୦ ଅଧିକାରୀଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁଲାସାହି ଘରକୁ ଘେରିଥିଲେ । ଯାଞ୍ଚବେଳେ ବିଡ଼ାବିଡ଼ା ଟଙ୍କା ବଣ୍ଡଲ ଦେଖି ପୁଲିସ କାବା ହୋଇଥିଲା । ପରେ ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଇଥିଲା । ଶେଷ ରିପୋର୍ଟ ଅନୁଯାୟୀ ନଗଦ ୬୫ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଛି । ସେହିଭଳି ବହୁ ସୁନା ଅଳଙ୍କାର ସମେତ ରୁପା ଗହଣା ପୁଲିସ ପାଇଛି । ଦୁଇଟି ସ୍କର୍ପିଓ ସମେତ ସ୍କୁଟି ଓ ବାଇକ୍ ଏବଂ ରାଜନ ବ୍ୟବହାର କରୁଥିବା ମୋବାଇଲ ଜବତ କରାଯାଇଛି । ଗୋ ଚାଲାଣରେ ରାଜ୍ୟ ନେଟୱାର୍କ ଚଲାଉଥିଲା ରାଜନ । ବିଭିନ୍ନ ଜିଲ୍ଲାରୁ ଗୋ ଚାଲାଣ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲେ । ରାଜନଙ୍କ ନେଟୱାର୍କକୁ ପୁଲିସ ଭେଦ କରିପାରୁନଥିଲା। କେନ୍ଦୁଝର କୋର୍ଟରେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା । ପୁଲିସ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ କୋର୍ଟ ଉକ୍ତ ଆଦେଶ ଦେଇଥିଲେ । ଏହାକୁ ଆଧାର କରି ପୁଲିସ ପକ୍ଷରୁ ରାଜ୍ୟରେ ୪ଟି ଜିଲ୍ଲା କେନ୍ଦୁଝର, ଯାଜପୁର, ଭଦ୍ରକ ଓ ମୟୁରଭଞ୍ଜରେ ଚଢ଼ାଉ ଆରମ୍ଭ ହୋଇଛି । ଗୋଟିଏ ଟିମ୍ ଡିଏସପିଙ୍କ ନେତୃତ୍ୱରେ ଭଦ୍ରକ ଆସିଥିଲା । ବିଳମ୍ବିତ ରାତ୍ରିରେ ମୁଲାସାହି ଘରେ ପସିଥିଲା । ଅତି ସତର୍କତାର ସହ ପୁଲିସ ଘେରିଥିଲା । ଆଖପାଖ ଅଞ୍ଚଳକୁ ସିଲ୍ କରିଥିଲା । ଦିନସାରା ସେହି ଘରେ ଯାଞ୍ଚ ଚାଲିଥିଲା । ଟଙ୍କା ଓ ଅଳଙ୍କାର ସମେତ ସମ୍ପୃକ୍ତ ଘରକୁ ପୁଲିସ ମାପଚୁପ କରିଛି । ଟିମ୍ ସହ ଆସିଥିବା ଯନ୍ତ୍ରୀ ଜ୍ୟୋତିରଞ୍ଜନ ମହାନ୍ତି ଘରର ମୂଲ୍ୟାୟନ କରିଛନ୍ତି । ଏହି ଘର ୪୫ ଲକ୍ଷ ଟଙ୍କାର ବୋଲି ଯନ୍ତ୍ରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟ ବ୍ୟବସାୟିକ କମ୍ପେ୍ଲକ୍ସ ଓ କଲେଜର ମାପଚୁପ ଜାରି ରହିଛି । ସନ୍ଧ୍ୟାରେ ଭଦ୍ରକ ବାଇପାସ୍ ସ୍ଥିତ ବିଶାଳ ବ୍ୟବସାୟିକ ପ୍ରତିଷ୍ଠାନରେ ଛାନଭିନ୍ କରିଛି । ଏହାକୁ ଆଜି ଦିନରେ ପୁଲିସ ଘେରି ରହିଥିଲା । ସେହିଭଳି ଏକ ଘରୋଇ କଲେଜ ଯାହାକି ସରକାର ନଗରଠାରେ ରହିଛି ତାହା ଉପରେ ପୁଲିସ ରେଡ୍ କରିଛି ।
କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍
ମୁମ୍ବାଇ ସହରରେ ଛୋଟା ରାଜନ ଭଳି ଭଦ୍ରକ ସହରରେ ସେକ୍ ରାଜନ ୧୦ ବର୍ଷ ହେଲା ଗୋଚାଲାଣ କରି ନିଜର କଳା ସାମ୍ରାଜ୍ୟର କାୟା ବିସ୍ତାର କରିଥିଲା । ଏବେ ଏହି କଳା କାରନାମାର ପର୍ଦାଫାସ୍ ହୋଇଛି । ଭଦ୍ରକ ପୁଲିସ ନୁହଁ ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ପୁଲିସ ରାଜନର ନେଟୱର୍କକୁ ଭେଦ କରିଛି । ଆଜି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଚାଲିଥିବା ଚଢ଼ାଉ ପରେ ସବୁ କଳାକାରନାମାର କାହାଣୀ ପଦାକୁ ଆସିଛି । ଭଦ୍ରକ ଭଳି ସହରରେ ରାଜନର ଘର ପୁରୁଣା ବଜାର ଥାନା ଠାରୁ ୫୦୦ ମିଟିର ଦୂରରେ ରହିଥିଲା । କିନ୍ତୁ ପୁଲିସ ଜାଣିଶୁଣି ସବୁ ନଜାଣିଲା ପରି ରହୁଥିଲା । ରାଜନ କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, କଟକ, ଜଗସିଂହପୁର, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରୁ ଗୋରୁ ଆଣୁଥିଲା । ଛୋଟଛୋଟ ଗାଡ଼ିରେ ଗୋରୁ ଆଣି ଭଦ୍ରକ ଡିପୋରେ ରଖୁଥିଲା । ସେହିଠୁ ବଡ଼ଗାଡ଼ିରେ ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ଚାଲାଣ କରୁଥିଲା । ଦୀର୍ଘ ବର୍ଷର ଏହି କାରବାର ଚାଲୁଥିଲା । ଶତାଧିକ ଗାଡ଼ି ତାର ଗୋଚାଲାଣରେ ସାମିଲ ଥିଲେ । ମାମଲାକୁ ଡରୁନଥିଲା କି ପୁଲିସକୁ ଖାତିକରୁନଥିଲା । ରାତି ହେଲେ ଗୋରୁ ଗାଡ଼ି ଛୁଟୁଥିଲା । ଯେବେ ପୁଲିସ ହାବୁଡ଼ରେ ଗାଡ଼ି ପଡ଼ୁଥିଲା ଡ୍ରାଇଭର ଗାଡ଼ି ଛାଡ଼ି ଛୁ ମାରୁଥିଲା । ପୁଲିସ କେବଳ ଗୋରୁଙ୍କୁ ଜବତ କରିବା ସହ ଗାଡ଼ି ଟାଣିଆଣି କାମ ସାରୁଥିଲା । ଏହି କାରବାର ପଛରେ ରାଜନ ମୁଖ୍ୟ କାରର୍ପଟଦାର ଥିବା ପୁଲିସ ଭଲଭାବେ ଜାଣିଥିଲା । କିନ୍ତୁ ତାହା ନେଟୱାର୍କରେ ବାଧା ନ ଦେବା ନେଇ ସନ୍ଦେହ ବଢ଼ିଛି । ଅନ୍ୟ ଜିଲ୍ଲା ପୁଲିସକୁ ପ୍ରଶଂସା ମିଳୁଥିବାବେଳେ ଭଦ୍ରକ ପୁଲିସକୁ ବଦନାମ ମୁଣ୍ଡାଇବାକୁ ପଡ଼ୁଛି ।
ଟଙ୍କା ଗଣି ଥକିଗଲେ
ରାଜନ ଘରେ ପୁଲିସ ପାଇଥିଲା ବିଡ଼ାବିଡ଼ା ଟଙ୍କା । ଜୋତା ଷ୍ଟାଣ୍ଡରୁ, ଆଲମିରା, ଶୋଇବା ପଲଙ୍କ ତଳ ସହ ଘରର ତାଜା ସବୁଠି ଥିଲା ଟଙ୍କା । ଏହାକୁ ପ୍ରଥମେ ପୁଲିସ ରୁଣ୍ଡାଇ ଥିଲା । ଗଣିବା ଆରମ୍ଭ କରିଥିଲା । କିନ୍ତୁ ହାତ ଗଣତିରେ ହାର ମାନିଥିଲା । ପରେ ମେସିନ୍ ଅଣାଯାଇଥିଲା । ୫୦୦ ଟଙ୍କିଆ, ୨୦୦ ଟଙ୍କିଆ, ୧୦୦ ଟଙ୍କିଆ ଭଳି ବିଭିନ୍ନ ବଣ୍ଡଲ ହୋଇଥିଲା । ତାହାକୁ ଗଣା ଚାଲିଥିଲା । ସକାଳୁ ଟଙ୍କା ଗଣିବା ଆରମ୍ଭ ହୋଇଥିଲା ରାତି ପର୍ଯ୍ୟନ୍ତ ତାହା ଚାଲିଥିଲା । ଟଙ୍କା ବଣ୍ଡଲ ପାଇଁ ରବର ବି ଅଣ୍ଟି ନ ଥିଲା ।
ମୁଲାସାହିରେ ଭିଡ଼
ମୁଲାସାହିରେ ରାତି ନ ପାହିବା ଆଗରୁ ପୁଲିସ ଟିମ୍ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ଅନେକ ଘରୁ ବାହାରି ନଥିଲେ । ପୁଲିସର ବ୍ୟାରିକେଡ୍ ଭିତରେ ସକାଳ ସାଢ଼େ ୫ଟାରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ । ପରେ ପରେ ଭିଡ଼ ଜମିଥିଲା । କିଏ କ'ଣ ପାଇଁ ଚଢ଼ଉ କରୁଛି ତାହା ଜଣା ପଡ଼ିନଥିଲା । ୭ଟା ବେଳେ ପୁଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଗୋମାଫିଆ ରାଜନ ଘରେ କୋର୍ଟ ଆଦେଶ ମୂଳେ ଚଢ଼ଉ ହେଉଥିବା ସୂଚନା ମୂଳେ ଲୋକେ ଘରୁ ବାହାରି ଥିଲେ । ଦିନ ତମାମ ସେଠାରେ ସାମ୍ବାଦିକଙ୍କ ସମେତ ଅନେକ ଦେଖଣାହାରି ଭିଡ଼ ଜମାଇଥିଲେ ।
ଡରାଉଛି ରାଜନର ମୋବାଇଲ
ରାଜନର ମୋବାଇଲ ଜବତ ହୋଇଛି । ତାହାସହ ଡାଇରି ବି ମିଳିଛି । ଏହା ଭିତରେ ଅନେକ ତଥ୍ୟ ଲୁଚି ରହିଛି । ଯେଉଁ ତଥ୍ୟ ଭଦ୍ରକ ଜିଲ୍ଲାର ରାଜନେତା, ସାମ୍ବାଦିକ, ପୁଲିସ ଅଧିକାରୀଙ୍କ ନିଦ ହଜାଇଛି । ରାଜନର କଳାକାରବାରରେ କେଉଁମାନେ ଭାଗ ନେଉଥିଲେ ତାହା କେନ୍ଦୁଝର ପୁଲିସ ହାତରେ ଲାଗିଛି । ଏହାର ପର୍ଦ୍ଦାଫାସ୍ ଖୁବ୍ ଶୀଘ୍ର ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିବା ପରେ ଚାନ୍ଦା ନେଉଥିବା ବାବୁଙ୍କ ନିଦ ହଜିଛି । ଏତେ ବଡ଼ କାରବାରରେ ପୁଲିସ ଉପରେ ସନ୍ଦେହ ବଢ଼ିଥିବାରୁ କେଉଁ ପୁଲିସ ବାବୁଙ୍କ ସହ ରାଜନଙ୍କ ଭିତିରିଆ ସମ୍ପର୍କ ଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ବାଇପାସ୍ରେ ପୁଲିସ ଛାଉଣ
ବାଇପାସ୍ରେ ଦିନସାରା ପୁଲିସ ଜଗିଥିଲା । ରାଜନର ମାର୍କେଟ କମ୍ପେ୍ଲକ୍ସ କସମୋ ବଜାର ସମେତ ଅନ୍ୟ ସୋରୁମ୍କୁ ପୁଲିସ୍ ଘେରାଉ କରିଥିଲା । କେହି କିଛି ବୁଝି ପାରିନଥିଲେ । ଏପରିକି ବ୍ୟବସାୟୀ ଆସି ନିଜ ଅନୁଷ୍ଠାନ ଖୋଲିବାକୁ ଭୟ କରିଥିଲେ । ପୁଲିସକୁ ପଚାରି କାରଣ ଜାଣିବାକୁ ଚାହିଁଥିଲେ । କିନ୍ତୁ ପୁଲିସ କିଛି ସୂଚନା ଦେଇନଥିଲା । ଦିନ ୧୦ ଟା ବେଳକୁ ଧୀରେଧୀରେ ଚିତ୍ର ସ୍ପଷ୍ଟ ହୋଇଥିଲା । ସମ୍ପୃକ୍ତ କମ୍ପେକ୍ସ ରାଜନଙ୍କର ବୋଲି ଅନେକଙ୍କୁ ଅଜଣା ଥିଲା । ଆଜିର ରେଡ଼ ପରେ ତାହା ଜଣାପଡ଼ିଗଲା । ସେହିଭଳି ବାଇପାସ୍ ଚାନ୍ଦବାଲି ରାଜ୍ୟରାଜପଥ କଡ଼ରେ ଏକ ଘରୋଇ କଲେଜ ଉପରେ ଏହି ଟମ୍ ରେଡ୍ କରିଛି । ଭିତରେ ପସି ବହୁସମୟ ଛାନଭିନ୍ କରିଛି । ରାଜନ ନେଟ୍ୱାର୍କର ନକ୍ସା ପୁଲିସ ହାତରେ ପଡ଼ିଥିବା ଜଣା ପଡ଼ିଛି ।