ରାଉରକେଲା ୨୨/୧୨: ଦନ୍ତା ଆକ୍ରମଣରେ ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି କୁଆରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଅଙ୍କୁରପାଲି ଗ୍ରାମ ପଞ୍ଚାୟତ ବନରାଇ ଗ୍ରାମରେ। ସୂଚନା ମୁତାବକ, ଗତ ୫ ଦିନ ହେଲା ଏଠାରେ ୧୬ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଆଜି ସକାଳ ପ୍ରାୟ ୮ଟା ସମୟରେ ବନରାଇ ଗ୍ରାମର ଚନ୍ଦ୍ର ଗୌଡ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ହାତୀପଲକୁ ଘଉଡ଼ାଇବା ଲାଗି ବନ ବିଭାଗ ପକ୍ଷରୁ ସନ୍ଧ୍ୟାରେ ଉଦ୍ୟମ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।