ନୂଆଦିଲ୍ଲୀ,୧୪/୦୧: ଥାଇଲାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇ ପ୍ରଦେଶକୁ ଯାଉଥିବା ଏକ ଟ୍ରେନ୍ ଉପରେ ବାରଟ କ୍ରେନ୍ ଖସି ପଡ଼ିଛି । ଯାହାଫଳରେ ଯାତ୍ରୀବାହି ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରାକ୍ରୁ ଟ୍ରେନ୍ ଖସିବା ପରେ ନିଆଁ ଲାଗିଯାଇଥିଲା । ଭୟଙ୍କର ଦୁର୍ଘଟଣାରେ ଅତିକମ୍ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣ ଆହତ ହୋଇଛନ୍ତି । ଆଜି ସକାଳୁ ବ୍ୟାଙ୍କକରୁ ୨୩୦ କିଲୋମିଟର ଦୂର ନାଖୋନ୍ ରତଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏକ ହାଇସ୍ପିଡ୍ ରେଳୱେ ପ୍ରୋଜେକ୍ଟ କାମରେ ନିୟୋଜିତ ଥିଲା କ୍ରେନ୍ ।
ଟ୍ରେନଟି ଥାଇଲାଣ୍ଡର ଉବୋନ୍ ରାଚଥାନି ପ୍ରଦେଶ ଅଭିମୁଖେ ଯାଉଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ କ୍ରେନ୍ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା ସମୟରେ ଟ୍ରାକରେ ଅତିକ୍ରମ କରୁଥିବା ଏକ ଟ୍ରେନ ଉପରେ ସିଧା ଖସି ପଡ଼ିଗଲା । ଏହାପରେ ଟ୍ରେନଟି ଲାଇନଚ୍ୟୁତ ହୋଇଗଲା ଏବଂ କିଛି ସମୟ ପରେ ନିଆଁ ଲାଗିଗଲା । ଉଦ୍ଧାରକାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ଟ୍ରେନର ଭଗ୍ନାବଶେଷକୁ କାଟା ଯାଉଥିବାର ଦେଖିବାକୁ ମିଳିଛି ।
ଟ୍ରେନ୍ରେ ମୋଟ୍ ୧୯୫ ଲୋକ ଥିଲେ- ଏଏଫପି ରିପୋର୍ଟ ଅନୁସାରେ, ଥାଇଲାଣ୍ଡ ପରିବହନ ମନ୍ତ୍ରୀ ଫିଫାଟ ରାଚକିଟପ୍ରକର୍ଣ୍ଣ କହିଛନ୍ତି ଯେ, ଟ୍ରେନରେ ୧୯୫ ଜଣ ଲୋକ ଥିଲେ । କର୍ତ୍ତୃପକ୍ଷ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ଥାଇଲାଣ୍ଡରେ ଏକ ହାଇସ୍ପିଡ୍ ରେଳ ନେଟୱାର୍କ ନିର୍ମାଣ ପାଇଁ ୫୦୦କୋଟି ଟଙ୍କାର ପ୍ରକଳ୍ପରେ କ୍ରେନ୍ ନିୟୋଜିତ ଥିଲା । ଚୀନ୍ର ବିଶାଳ "ବେଲ୍ଟ ଆଣ୍ଡ୍ ରୋଡ୍" ଭିତ୍ତିଭୂମି ପଦକ୍ଷେପର ଅଂଶ ଭାବରେ ୨୦୨୮ ସୁଦ୍ଧା ଲାଓସ୍ ଦେଇ ବ୍ୟାଙ୍କକ୍କୁ ଚୀନ୍ର କୁନମିଂ ସହିତ ଟ୍ରେନଟିକୁ ସଂଯୋଗ କରିବାର ଲକ୍ଷ୍ୟ ରହିଛି । ଥାଇଲଣ୍ଡରେ ଶିଳ୍ପ ଏବଂ ନିର୍ମାଣ ସ୍ଥଳ ଦୁର୍ଘଟଣା ପାଇଁ ଜଣାଶୁଣା । ସୁରକ୍ଷା ନିୟମରେ ଢିଲା ଏହି ବଡ଼ ଦୁର୍ଘଟଣାର କାରଣ ହୋଇଥିବା ଅନୁମାନ କରାଯାଉଛି ।