ନୂଆଦିଲ୍ଲୀ,୨୩/୦୨: ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଚାମ୍ପିୟନ ଟ୍ରଫି ୨୦୨୫ର ଗ୍ରୁପ୍‌ ଏ'ର ପଞ୍ଚମ ମ୍ୟାଚ୍‌। ଦୁବାଇରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ମୁହାଁମୁହିଁ ହେବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ। ଏହାରି ଭିତରେ ସମସ୍ତଙ୍କ ନଜର ଏହି ପାଞ୍ଚ ଜଣ ଖେଳାଳିଙ୍କ ଉପରେ ରହିବ। ଶାହିନ ଶାହ ଆଫ୍ରିଦି ସର୍ବଦା ନୂଆ ବଲ୍ ସହିତ ଚମତ୍କାର ବୋଲିଂ କରନ୍ତି ଏବଂ ବଡ଼ ବ୍ୟାଟରଙ୍କୁ ଶିକାର କରନ୍ତି। ଏପରି ପରିସ୍ଥିତିରେ ସେ ଭାରତ ପାଇଁ ଘାତକ ହୋଇପାରନ୍ତି। 

ଶୁଭମନ ଗିଲ ତାଙ୍କର ଚାମ୍ପିଅନ୍ସ ଟ୍ରଫି ଡେବ୍ୟୁରେ ବାଂଲାଦେଶ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ପୁଣିଥରେ ସମସ୍ତେ ଗିଲଙ୍କଠାରୁ ଆଶା ରଖିବେ ଯେ ସେ ପାକିସ୍ତାନ ବିପକ୍ଷରେ ମଧ୍ୟ ଏକ ବଡ଼ ଇନିଂସ ଖେଳିବେ। ବାବର ଆଜମ ବହୁତ ଦିନ ଧରି ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ତଥାପି, ସେ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ପ୍ରଥମ ମ୍ୟାଚ୍‌ରେ ୬୪ ରନ୍ କରି ଫର୍ମକୁ ଫେରିଥିଲେ। ଏହାରି ଭିତରେ ବାବର ଭାରତ ପାଇଁ ବିପଦ ସାବ୍ୟସ୍ତ ହୋଇପାରନ୍ତି। 

ଭାରତୀୟ ବ୍ୟାଟର ଶ୍ରେୟସ ଆୟର ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ଆୟର ଶେଷ ଥର ପାଇଁ ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଜ୍ଞ ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। କିନ୍ତୁ ଯେତେବେଳେ ସେ ପାକିସ୍ତାନର ସାମ୍ନା କରନ୍ତି, ଅଧିକାଂଶ ସମୟରେ କୋହଲିଙ୍କ ବ୍ୟାଟରୁ ରନ୍‌ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ତେବେ ପାକିସ୍ତାନ ବିପକ୍ଷରେ ଦିନିକିଆରେ କୋହଲିଙ୍କ ହାରାହାରି ୫୦ ରୁ ଅଧିକ ରନ୍ ରହିଛି।