ନୂଆଦିଲ୍ଲୀ,୦୭/୦୭; ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଫିଫା ବିଶ୍ୱକପ୍ ଜିତିବାର ସ୍ୱପ୍ନ ଅଧୁରା ରହିଛି । ରାଉଣ୍ଡ ଅଫ୍ ୧୬ରେ ସ୍ପେନ୍ ବିପକ୍ଷରେ ପର୍ତ୍ତୁଗାଲ ୦-୧ରେ ପରାସ୍ତ ହୋଇଛି । ଏହା ପର୍ତ୍ତୁଗାଲ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି । ୪୧ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍ ଯାତ୍ରାକୁ ସବୁଦିନ ପାଇଁ ସମାପ୍ତ କରିଦେଇଛି । ମ୍ୟାଚ୍ ପରେ ନିରାଶ ରୋନାଲ୍ଡୋ ନିଶ୍ଚିତ କରିଥିଲେ ଯେ, ଏହା ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ । କିନ୍ତୁ ସେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେବାର ନିଷ୍ପତ୍ତି ନେଇନାହାଁନ୍ତି । ଆର୍ଲିଙ୍ଗଟନର ଡାଲାସ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ କଡା ମୁକାବିଲା ହୋଇଥିଲା । ପରାଜୟ ପରେ ରୋନାଲ୍ଡୋଙ୍କ ଯନ୍ତ୍ରଣା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା । ସେ ସ୍ୱୀକାର କରିଥିଲେ ଯେ, ତାଙ୍କ ଶେଷ ବିଶ୍ୱକପ୍ ପାଇଁ ବିଦାୟ ନେବା ତାଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଥିଲା ।

ଫୁଟବଲ୍ ଓ କ୍ରିଷ୍ଟିଆନୋ ରୋନାଲ୍ଡୋ । ଉଭୟ ପରସ୍ପର ପରିପୂରକ । ମୁଦ୍ରାର ଦୁଇଟି ପାର୍ଶ୍ୱ କହିଲେ ଭୁଲ୍ ହେବ ନାହିଁ । ବିଶ୍ବ ଫୁଲବଲ ର ଅନ୍ୟତମ ମହାନତମ ଖେଳାଳି ରୋନାଲ୍ଡୋ ନିଜ ଫୁଟବଲ କ୍ୟାରିୟରରେ ଅନ୍ତର୍ଜାତୀୟ ଫୁଟବଲରେ ଖେଳାଯାଉଥିବା ଏମିତି କୈାଣସି ଟ୍ରଫି ବା ଟୁର୍ଣ୍ଣାମେଣ୍ଟ ନାହିଁ ଯାହା ସେ ଜିତିନାହାନ୍ତି । କେବଳ ବିଶ୍ବକପ ଟ୍ରଫି ଜିତିପାରିନାହାନ୍ତି । ବିଶ୍ବ ଫୁଟବଲର ସବୁ ପ୍ରଶଂସକ ଓ ଖେଳାଳି ବି ଚାହୁଁଥିଲେ ମହାନ ରୋନାଲ୍ଡୋଙ୍କ ହାତରେ ଥରଟେ ସମ୍ମାନଜନକ ଫୁଟବଲ ବିଶ୍ବକପ ଟ୍ରଫି ଦେଖିବାକୁ । ହେଲେ ବେଳେବେଳେ ଏକ ଶକ୍ତିଶାଳୀ ଟିମ୍ ଆଗରେ ମହାନ, ଦକ୍ଷ, ବିଚକ୍ଷଣ, ପ୍ରତିଭାବାନ ଖେଳାଳି ହାର୍ ମାନିଯାଆନ୍ତି । ୫ଥର Ballon d'Or ବିଜେତା । ୫ ଥର ଚାମ୍ପିୟନ୍ସ ଲିଗ୍ ବିଜେତା, ୟୁରୋ ୨୦୧୬ ଚାମ୍ପିଅନ୍ ନିଜ ଦେଶ ଓ କ୍ଲବ୍ ପାଇଁ ବିଶ୍ବରେକର୍ଡ ୯୭୬ ଗୋଲ୍ କରିଛନ୍ତି । ହେଲେ ବିଶ୍ବକପ ଟ୍ରଫି ବିନା ଫୁଟବଲରୁ ବିଦାୟ ନେଇପାରନ୍ତି ।

​​​​​​​

ପର୍ତ୍ତୁଗାଲ୍‌କୁ ହରାଇ ସ୍ପେନ କ୍ୱାର୍ଟରରେ- ପର୍ତ୍ତୁଗାଲ ବିପକ୍ଷରେ ସ୍ପେନ୍ ରୋମାଞ୍ଚକର ବିଜୟ ସହ କ୍ୱାର୍ଟରରେ ପ୍ରବେଶ କରିଛି । ଏଥିସହ ଆଉ ଜଣେ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ଯାତ୍ରାରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଛି । ଡାଲାସ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ରାଉଣ୍ଡ-୧୬ ମୁକାବିଲାରେ ସ୍ପେନ୍ ୧-୦ ଗୋଲ୍‌ରେ ବିଜୟ ହାସଲ କରିଥିଲା । ମ୍ୟାଚ ଆରମ୍ଭରୁ ସ୍ପେନ ପ୍ରଭାବ ବିସ୍ତାର କରିଥିଲା । ଚତୁର୍ଥ ମିନିଟ୍ରେ ମିକେଲ ଓୟାରଜବାଲ ପ୍ରଥମ ପ୍ରୟାସ କରିଥିଲେ । ହେଲେ ତାଙ୍କ ସଟ୍କୁ ପର୍ତ୍ତୁଗାଲ୍ ଗୋଲ କିପର ଡିଏଗୋ କୋଷ୍ଟା ଅଟକାଇ ଦେଇଥିଲେ । ନବମ ମିନିଟ୍ରେ ଓୟାରଜବାଲଙ୍କ ଆଉ ଏକ ପ୍ରୟାସ ଲକ୍ଷ୍ୟଚ୍ୟୁତ ହୋଇଥିଲା । ପର୍ତ୍ତୁଗାଲ୍ ଧିରେ ଧିରେ ମ୍ୟାଚକୁ ନିୟନ୍ତ୍ରଣକୁ ଆଣି ଆକ୍ରମଣ ଆରମ୍ଭ କରିଥିଲା । ସ୍ପେନ୍ ଗୋଲ୍ କିପର ଉନାଇ ସିମନ୍ସ ପର୍ତ୍ତୁଗାଲ୍‌ର ପ୍ରତ୍ୟେକ ଫରୱାର୍ଡ ଖେଳାଳିଙ୍କ ପ୍ରତି ସତର୍କ ରହିଥିଲେ । ବିଶେଷ କରି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଅଟକାଇବା ପାଇଁ ସ୍ପେନ୍‌ର ସବୁ ଡିଫେଣ୍ଡର ପ୍ରସ୍ତୁତ ରହିଥିଲେ । 

ଏହା ବି ପଢନ୍ତୁ...MS Dhoni Birthday: କାହିଁକି ଫୋନ୍ ଉଠାନ୍ତିନି ଧୋନି ? ୧୫୦୦୦ ଫୁଟ୍ ଉଚ୍ଚରୁ କାହିଁକି ଡେଇଁଥିଲେ, ଜନ୍ମଦିନରେ ଜାଣନ୍ତୁ ୭ ବଡ଼ କଥା...   

୩୭ତମ ମିନିଟ୍ରେ ରୋନାଲ୍ଡୋଙ୍କ ଏକ ପ୍ରୟାସକୁ ଡାଇଭ ମାରି ଅଟକାଇଥିଲେ ସିମନ୍ସ । ଏହା ପୂର୍ବରୁ ୧୨ତମ ମିନଟ୍‌ରେ ରୋନାଲ୍ଡୋ ଏକ ପ୍ରୟାସ କରିଥିଲେ ହେଁ ଗୋଲ୍ କରିପାରି ନଥିଲେ । ୪୧ତମ ମିନିଟ୍‌ରେ ନ୍ୟୁନୋ ଭେଣ୍ଡିସ୍‌ଙ୍କ ଏକ ଶକ୍ତିଶାଳୀ ସଟ୍ ସ୍ପେନ୍ ଗୋଲ୍ ପୋଷ୍ଟ ବାର୍ରେ ବାଜିଥିଲା । ୯୦ ମିନିଟ୍ ଶେଷ ହୋଇ ଇନ୍‌ଜ୍ୟୁରୀ ଟାଇମ ଆରମ୍ଭ ହୋଇଥିଲା । ଶେଷରେ ସ୍ପେନ୍ ପରିଶ୍ରମର ଫଳ ପାଇଥିଲା । ୯୦+୧ତମ ମିନିଟ୍ରେ ସ୍ପେନ୍ ଗୋଲ୍ ଖାତା ଖୋଲିଥିଲା । ୮୫ତମ ମିନିଟ୍‌ରେ ଡାନି ଓଲମୋଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଓହ୍ଲାଇଥିବା ମିକେଲ ମେରିନୋ ଏହି ଗୋଲ୍ କରିଥିଲେ । ଶେଷ ମିନିଟ୍‌ରେ ପର୍ତ୍ତୁଗାଲକୁ ମିଳିଥିବା ଫ୍ରି-କିକ ମଧ୍ୟ ବିଫଳ ହୋଇଥିଲା । ଏଥିସହ ପର୍ତ୍ତୁଗାଲ୍‌ରେ ଅଭିଯାନ ଶେଷ ହୋଇଥିଲା ।