ନୂଆଦିଲ୍ଲୀ,୦୫/୦୮: ମୃତ୍ୟୁ ପରେ ଆକାଉଣ୍ଟକୁ ଆସିଲା ଟଙ୍କା । ଜଣେ ମହିଳାଙ୍କର ମୃତ୍ୟୁର ଦୁଇ ମାସ ପରେ ଆକାଉଣ୍ଟକୁ ଟଙ୍କା ଆସିଛି। ତାହା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ। କୋଟି କୋଟି ଟଙ୍କା । ଗ୍ରେଟର ନୋଏଡାର ଉଞ୍ଚି ଦାନକୌର ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।ଆକାଉଣ୍ଟକୁ ଟଙ୍କା ଆସିଥିବା ନେଇ ଜାଣିବା ପରେ, ମୃତ ମହିଳାଙ୍କ ପୁଅ ସମ୍ପୃକ୍ତ ବ୍ୟାଙ୍କକୁ ବୁଝିବାକୁ ଯାଇଥିଲେ। ବ୍ୟାଙ୍କ ଅଧିକାରୀ ଯୁବକଙ୍କୁ ଜଣାଇଥିଲେ ଯେ ଆକାଉଣ୍ଟଟି ଫ୍ରିଜ୍ କରାଯାଇଛି।
ସୂଚନା ମୁତାବକ, ଗ୍ରେଟର ନୋଏଡାର ଦନକୌର ଅଞ୍ଚଳରେ ଜଣେ ମୃତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ୧୦,୦୧,୩୫,୬୦,୦୦,୦୦,୦ ୦,୦୦,୦୦,୦୧,୦୦,୨୩,୫୬,୦୦,୦୦,୦୦,୦୦,୨୯୯ ଟଙ୍କା ଜମା ହୋଇଥିଲା। ଯାହାର ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ପୁଲିସ କିମ୍ବା ବ୍ୟାଙ୍କ ଅଧିକାରୀମାନେ ଏତେ ବିପୁଳ ପରିମାଣର ଟଙ୍କା କିପରି ଆସିଲା ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାଁନ୍ତି।
ମୃତ ମହିଳା ଗାୟତ୍ରୀ ଦେବୀଙ୍କ ପୁଅ ଦୀପକ କୁମାର କହିଛନ୍ତି ଯେ, ତାଙ୍କ ମାଆ ପ୍ରାୟ ଦୁଇ ମାସ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମାଆଙ୍କ ମୃତ୍ୟୁ ପରେ, ସେ କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ତାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ୟୁପିଆଇ ବ୍ୟବହାର କରୁଥିଲେ। ହେଲେ ସୋମବାର ସନ୍ଧ୍ୟାରେ, ଦୀପକଙ୍କ ମୋବାଇଲରେ ଏକ ମେସେଜ ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା ଯେ ଆକାଉଣ୍ଟରେ ବହୁତ ପରିମାଣର ଟଙ୍କା ଜମା ହୋଇଛି। ଦୀପକ ବାଲାନ୍ସ ଯାଞ୍ଚ କରିବା ମାତ୍ରେ ଏତେ ପରିମାଣର ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ବ୍ୟାଙ୍କକୁ ଯାଇ ଏ ବିଷୟରେ ପଚାରିଥିଲେ, କିନ୍ତୁ ବ୍ୟାଙ୍କ କର୍ମଚାରୀମାନେ ଅଧିକ ସୂଚନା ଦେବାକୁ ମନା କରିଦେଲେ, କହିଲେ ଯେ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। ବ୍ୟାଙ୍କ ପରିଚାଳନା ଏହି ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ଜାରି ରହିଛି।