ଭୁବନେଶ୍ୱର, ୧୮/୦୭: (ପ୍ରଜ୍ଞା ଚୌଧୁରୀ): ଆରେ କାଉ ଆ..ଆ, କାହିଁକି ରାବୁଛୁ କା କା, ଚାଉଳ ଦଉଛି ଖା.. କାହୁଁ ଅଇଲୁ କହି ଉଡ଼ି ଯା.. । ଆମ ସାମାଜିକ ଚଳଣିରେ କାଉ ଏକ ସାଥୀ ପରି ଥିଲା । ତେଣୁ କାଉକୁ ନେଇ ଏପରି ଅନେକ ଗୀତ, କବିତା ଲେଖାଯାଇଛି । ଦିନ ଥିଲା ଅଝଟ ପିଲାକୁ ମା’ କାଖେଇ କାଉକୁ ଆ ଆ କହି ଡାକୁଥିଲେ । ଆଉ ପିଲା କାଉକୁ ଦେଖି ଆନମନା ହେଲେ ଗୁଣ୍ଡେ ଗୁଣ୍ଡେ କରି ଖୁଆଇ ଦେଉଥିଲେ । ଆଧୁନିକତାର ଚାକଚକ୍ୟ ଭିତରେ ଆଉ ଏ କଥା ଦେଖିବାକୁ ମିଳୁନି, କି ପାହାନ୍ତାରେ ବି କାଉ କୋଇଲି ଆଉ ରାବୁ ନାହାନ୍ତି ।
ସତରେ କ’ଣ କାଉ ଆଉ ନାହାନ୍ତି ନା ଆମକୁ ଦେଖାଯାଉ ନାହାନ୍ତି! ପାହାନ୍ତାରୁ କାଉର କା କା ରାବ ଏବେ ସହରରେ ସାତ ସପନ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ସଂଖ୍ୟାରେ କାଉକୁ ଦେଖିବାକୁ ମିଳୁଛି । ସହରର ଡମ୍ପିଂୟାର୍ଡ କିମ୍ବା ମାଛ ହାଟ ନିକଟରେ ଏମାନଙ୍କୁ ନିଜ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ବିଶିଷ୍ଟ ପକ୍ଷୀ ବିଶେଷଜ୍ଞ ତଥା ବାର୍ଡସ୍ ଅଫ୍ ଓଡ଼ିଶାର ଲେଖକ ପ୍ରମୋଦ ଧଳ ନିଜ ଅନୁଧ୍ୟାନରୁ କହିଛନ୍ତି, ଢେଙ୍କାନାଳର ଗଁନ୍ଦିଆ ବ୍ଲକ ଅଧୀନ ଢାଳସିଂଘାମାର୍ଥାପୁର ଗ୍ରାମରେ ଶହ ଶହ କାଉ ଆଜି ବି ଅଛନ୍ତି । ଡାକିଲେ ବି ପାଖକୁ ଆସନ୍ତି । ଜିଲ୍ଲାର ଖଙ୍କିରା ପଞ୍ଚାୟତ କଣ୍ଟାମାଳିଆ ଗାଁରେ ବି ଅଳ୍ପ ସଂଖ୍ୟାରେ କାଉ ଦେଖିବାକୁ ମିଳୁଛି । ସେହିପରି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକରେ କାଉ ପ୍ରାୟ ଦେଖିବାକୁ ମିଳୁନି ।
ଗତ ଦଶନ୍ଧି ଭିତରେ ସହରରେ ଜନ୍ମିତ ଅନେକ ଶିଶୁ ହୁଏତ କାଉ କେବଳ ଚିତ୍ରରେ ଦେଖିଥିବେ । ଅପରପକ୍ଷେ କାଉକୁ ସର୍ବନିମ୍ନ ଗୁରୁତ୍ୱ ଦିଆଯାଉଥିବା ବର୍ଗରେ ରଖାଯାଇଥିବାରୁ ସେମାନଙ୍କ ଉପରେ ବିଶେଷ କିଛି ତଥ୍ୟ ନାହିଁ କିମ୍ବା ଅନୁଧ୍ୟାନ ବି ହୋଇନାହିଁ । ତେବେ ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ବାର୍ଡସ୍ ତଥ୍ୟ ଅନୁଯାୟୀ, ସାରା ଦେଶରେ କାଉ ସଂଖ୍ୟା ବାର୍ଷିକ ହାରାହାରି -୨.୧୨ ପ୍ରତିଶତ କମୁଛି ବୋଲି ଆକଳନ କରାଯାଇଛି । ଏହିକ୍ରମରେ ଯଦି ଲଗାତର କାଉ ସଂଖ୍ୟା ହ୍ରାସ ପାଏ, ତେବେ ଭବିଷ୍ୟତରେ କାଉ ବିଲୁପ୍ତପ୍ରାୟ ପକ୍ଷୀ ବର୍ଗରେ ଅନ୍ତର୍ଭୂକ୍ତ ହୋଇଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି ।
କାଉ ଏଣେତେଣେ ବୁଲି ବୁଲି ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରିଥାନ୍ତି । ଏମାନେ ଏକ ପ୍ରକାର ସଫେଇ କର୍ମଚାରୀ ସଦୃଶ । କାଉ ସବୁ ଖାଆନ୍ତି । ଏଣୁ ଏମାନଙ୍କୁ ଇଂରାଜୀରେ ସ୍କାଭେନଞ୍ଜର୍ ବୋଲି ମଧ୍ୟ କୁହାଯାଏ । କିନ୍ତୁ ସହରରେ ଆବର୍ଜନା ପରିଚାଳନାକୁ ଗୁରୁତ୍ୱ ଦିଆଯାଉଥିବାରୁ ଏମାନଙ୍କୁ ଏଣେ ତେଣେ ଆଉ ଖାଦ୍ୟ ମିଳିଲା ନାହିଁ । ଏହାବ୍ୟତୀତ ଚାଷକାର୍ଯ୍ୟରେ ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର ହେଉଥିବାରୁ ବିଷ ଖାଇ ପୋକଜୋକ ଜିଆ ଆଦି ଜୀବ ମରିଯାଉଛନ୍ତି । ସେହି ଜୀବାଂଶ ଖାଇ କାଉଙ୍କ ଜୀବନ ଯାଉଥିବା କୁହାଯାଉଛି । ସେହିପରି ଆପାର୍ଟମେଣ୍ଟ, ବଡ଼ ବଡ଼ ମଲ୍, ବିଲ୍ଡିଂ ଯୋଗୁ ମଧ୍ୟ ଏମାନେ ରହିବାକୁ ସ୍ଥାନ ପାଇଲେ ନାହିଁ । ପାରା କଂକ୍ରିଟ ଘରେ ଝରକା, ସ୍କାଏ ଲାଇଟ୍ରେ ରହି ବଂଶ ବଇାଇପାରେ । କିନ୍ତୁ କାଉକୁ ଆବଶ୍ୟକ ପୁରୁଣା ଆଉ ଉଚ୍ଚ ବୃକ୍ଷ । ସାଧାରଣତଃ ତାଳ, ନଡ଼ିଆ ଭଳି ଉଚ୍ଚ ଗଛ କିମ୍ବା ବୟସ୍କ ବର, ଆମ୍ବ ଭଳି ଗଛରେ କାଉ ବସା ବାନ୍ଧନ୍ତି ଓ ଅଣ୍ଡା ଦିଅନ୍ତି । ଯାହା ସହରରେ କାଉ ଖୋଜି ପାଇଲେ ନାହିଁ ।
ଆହୁରି ପଢ଼ନ୍ତୁ...Forget Things Frequently ? : ବାରମ୍ବାର କଥା ଭୁଲି ଯାଆନ୍ତି କି ? ଜାଣନ୍ତୁ କେବେଠୁ ହେବେ ସତର୍କ ..
ସେହିପରି ଶବ୍ଦ ପ୍ରଦୂଷଣ ମଧ୍ୟ କାଉ ଅଦୃଶ୍ୟ ହେବାର ଅନ୍ୟତମ କାରଣ ବୋଲି କୁହାଯାଉଛି । ବ୍ୟାପକ ନିର୍ମାଣ କାର୍ଯ୍ୟ ଓ ଭଙ୍ଗାରୁଜା, ଅତ୍ୟଧିକ ମାତ୍ରାରେ ଗାଡ଼ିମୋଟରରୁ ଜାତ ଶଦ୍ଧ କାଉଙ୍କୁ ସହର ଛାଡ଼ି ଯିବାକୁ ବାଧ୍ୟ କରୁଛି ବୋଲି ପରିବେଶବିତ୍ମାନେ କହୁଛନ୍ତି । ଏଭଳି ଅନେକ କାରଣରୁ କାଉ ବଂଶ ପ୍ରଭାବିତ ହୋଇଛନ୍ତି । ମଣିଷଙ୍କ ସୁବିଧା ପାଇଁ ଗଢା ହୋଇଥିବା କଂକ୍ରିଟ୍ ସହର କାଉର ଖାଦ୍ୟ, ବାସସ୍ଥାନ, ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ତେବେ କାଉ ବଂଶ ପ୍ରଭାବିତ ହେଲେ କୋଇଲି ବି ପ୍ରଭାବିତ ହେବେ । ସାଧାରଣତଃ କାଉ ନଥିବା ଜାଗାରେ କୋଇଲି ବି ଦେଖିବାକୁ ମିଳନ୍ତିନି । କାରଣ କାଉ ବସାରେ ଅଣ୍ଡା ଦିଏ ବୋଲି କୋଇଲି ସବୁବେଳେ କାଉ ଉପରେ ନିର୍ଭରଶୀଳ ।