ନୀଳଗିରି, ୧୪।୭: ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ପାଇଁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ନଦୀରୁ ଜଳ ଧାରଣ କରି ମାନସିକ ପୂରଣ ପାଇଁ କାଉଡ଼ିଆମାନେ ଲମ୍ବାଧାଡ଼ି ଲଗାଇଛନ୍ତି । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଶ୍ରାବଣର ପ୍ରଥମ ସୋମବାରରେ ଜଳାଭିଷେକ ପାଇଁ ହଜାର ହଜାର କାଉଡ଼ିଆମାନେ ବାଲେଶ୍ୱର ବାଲିଘାଟ, ଟାଙ୍ଗଣା ସୋନ ନଦୀ, ବୁଢ଼ାବଳଙ୍ଗ, ସାପୁଆ, ସାଳନ୍ଦୀ, କଲରା ନଦୀପ୍ରମୁଖ ନଈରୁ ଜଳଧାରଣ କରିଛନ୍ତି ।
କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚଲିଙ୍ଗେଶ୍ୱର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି । ଏଥିରେ ଆଲୋକି କରଣ, ଶୁଦ୍ଧ ପାନୀୟ ଜଳ, ଗାଡ଼ି ଷ୍ଟାଣ୍ଡ, କାଉଡ଼ିଆଙ୍କ ସେବା ଭଳି ପ୍ରମୁଖ ସୁବନ୍ଦୋବସ୍ତ କମିଟି ପକ୍ଷରୁ କରାଯାଇଛି । ଅପରପକ୍ଷେ ନୀଳଗିରି ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।