ନୂଆଦିଲ୍ଲୀ, ୨୪/୦୭:  ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ିଚାଲିଛି ଅଶାନ୍ତି । ପ୍ରଭାବରେ ଅଶୋଧିତ ତୈଳ ଦର ଏବେ ଉପରମୁହାଁ । ଆଜି ଏହା ୬%ରୁ ଅଧିକ ବଢ଼ି ୧୦୦ ଡଲାର ପାର କରିଯାଇଛି । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ୧୦୦.୪ ଡଲାରରେ ପହଞ୍ଚିଛି । ଅନ୍ୟପକ୍ଷରେ, ଡବ୍ଲ୍ୟୁଟିଆଇ କ୍ରୁଡ୍ ୫%ରୁ ଅଧିକ ବଢ଼ି ୯୧.୪୫ ଡଲାର ହୋଇଛି । ଏହା ପୂର୍ବ ୬ ସପ୍ତାହ ମଧ୍ୟରେ ସର୍ବବୃହତ୍ ସ୍ତର ।

ଅଶୋଧିତ ତୈଳ ଦରରେ ବୃଦ୍ଧି ଦ୍ୱାରା ଭାରତରେ ଦରଦାମ ସ୍ଥିତି ଉତ୍କଟ ହେବ । ତୈଳ ବିପଣନ କମ୍ପାନିଗୁଡ଼ିକର ଇନ୍ଧନ ବାବଦ ଲାଭ ଉପରେ ପଡ଼ିବ ଚାପ । ଯଦି ଲମ୍ବା ସମୟ ଧରି ତୈଳ ମହଙ୍ଗା ରହିବ ତେବେ ପେଟ୍ରୋଲ ଏବଂ ଡିଜେଲ ଦର ପୁନଃ ବଢ଼ିଚାଲିବ । ଅତ୍ୟାବଶ୍ୟକ ସାମଗ୍ରୀ ଦର ମୁଣ୍ଡବ୍ୟଥାର କାରଣ ପାଲଟିବ । ପୁଞ୍ଜି ବଜାରରେ ବି ପ୍ରଭାବ ଦେଖିବାକୁ ମିଳିବ। ତୈଳ ଦରରେ ହଠାତ ଆସିଥିବା ଏହି ବୃଦ୍ଧିର ବଡ଼ କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବଲୀଳା । ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଅଶାନ୍ତି ସହ ଏବେ ଏହି ବିବାଦ ପର୍ସିଆନ୍ ଗଲ୍ଫର ଅନ୍ୟ ପ୍ରାନ୍ତକୁ ବ୍ୟାପିଗଲାଣି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୟେମେନ୍ର ହୂତୀ ବିଦ୍ରୋହୀ ଲୋହିତ ସାଗରରେ ସାଉଦି ଆରବର ତେଲ ଟ୍ୟାଙ୍କରଗୁଡ଼ିକ ଉପରେ ହମ୍ଲା କରୁଛନ୍ତି । ଏହି ହମ୍ଲା ହୂତୀ ଗ୍ରୁପ୍ ପକ୍ଷରୁ ବାବ୍ ଅଲ୍- ମନ୍ଦେବ ଜଳମାର୍ଗରେ ନାକାବନ୍ଦୀ ଘୋଷଣା କରାଯିବାର ଠିକ୍ ଦିନକ ପରେ ହୋଇଛି, ଯାହାଦ୍ୱାରା ବିଶ୍ୱ ତୈଳ ଯୋଗାଣ ଶୃଙ୍ଖଳ ଉପରେ ଭୟଙ୍କର ବିପତ୍ତି ମାଡ଼ିଆସିଲାଣି ।

ବାବ୍-ଅଲ୍- ମନ୍ଦେବ ଜଳମାର୍ଗର ବିଶେଷତ୍ୱ ହେଉଛି ବିଶ୍ୱ ସାମୁଦ୍ରିକ କାରବାରର ୧୦% ଏହି ମାର୍ଗ ଦେଇ ହୋଇଥାଏ । ଦୈନିକ ୬୦ରୁ୭୦ ଲକ୍ଷ ବ୍ୟାରେଲ ତେଲ ଏହି ବାଟ ଦେଇ ପରିବହନ ହୋଇଥାଏ । ସୁଏଜ୍ କେନାଲ ଜରିଆରେ ଏହା ୟୁରୋପ ଏବଂ ଏସିଆକୁ ଯୋଡ଼ିଥାଏ । ଏଠାରେ ଅସ୍ଥିରତା ଯୋଗୁ ଏସୀୟ ଏବଂ ୟୁରୋପୀୟ ଦେଶକୁ ତୈଳ ଯୋଗାଣ ବାଧା ପାଇବ ।

ଅଧିକ ପଢ଼ନ୍ତୁ ;-  OMC Ethanol Blending: ଇଥାନଲ୍ ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାରୀ ତେଲ କମ୍ପାନୀ ? ସଂସଦରେ ପୁରା ହିସାବ ରଖିଲେ କେନ୍ଦ୍ରମନ୍ତ୍ରୀ

ଅଶୋଧିତ ତୈଳ ଦର ବୃଦ୍ଧିର ସିଧା ପ୍ରଭାବ ଭାରତର ତୈଳ ବିପଣନ କମ୍ପାନିଗୁଡ଼ିକ ଉପରେ ଆଜି ପଡ଼ିଛି । ହିନ୍ଦୁସ୍ତାନ ପେଟ୍ରୋଲିୟମର ସେୟାର ମୂଲ୍ୟରେ ୨.୫୦% ହ୍ରାସ ଦେଖାଦେଇଛି । ଇଣ୍ଡିଆନ୍ ଅଏଲ୍ ଏବଂ ଭାରତ ପେଟ୍ରୋଲିୟମର ସେୟାର ମୂଲ୍ୟରେ ଯଥାକ୍ରମେ ୨% ଏବଂ ୧% ହ୍ରାସ ଘଟିଛି । ଭାରତ ଏହାର ଆବଶ୍ୟକତାର ପ୍ରାୟ ୮୫% ଅଶୋଧିତ ତୈଳ ଆମଦାନି ମାଧ୍ୟମରେ ପୂରଣ କରିଥାଏ । ଅଶୋଧିତ ତୈଳ ମହଙ୍ଗା ହେବା ଦ୍ୱାରା ଦେଶର ଆମଦାନି ବିଲ୍ ବଢ଼ିବ, ଯଦ୍ଦ୍ୱାରା ଦରଦାମ ବଢ଼ିବା ସହ କମ୍ପାନିଗୁଡ଼ିକର ଲାଭ ଉପରେ ଚାପ ପଡ଼ିବ ।

ବ୍ଲୁମ୍ବର୍ଗର ରିପୋର୍ଟ ଅନୁସାରେ, କତାର ଏନର୍ଜି ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ଲିକ୍ୱିଫାଏଡ୍ ନାଚୁରାଲ ଗ୍ୟାସ ଅର୍ଥାତ ଏଲ୍ଏନ୍ଜିର ପରିବହନ ଉପରେ ‘ଫୋର୍ସ ମେଜ୍ୟୋର’ କୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତି କରୁଛି । କତାର ଜୁନ୍ରେ ହିଁ ଏସିଆ ଏବଂ ୟୁରୋପର କିଛି ଗ୍ରାହକଙ୍କୁ ସୂଚିତ କରିଥିଲା ଯେ, ଅଗଷ୍ଟ ଏବଂ ସେପ୍ଟେମ୍ବରର କାର୍ଗୋ ରଦ୍ଦ ରହିବ । ଯଦି ଏହି କଟକଣା ଅଧିକ ଦିନ ପର୍ଯ୍ୟନ୍ତ ରୁହେ ତେବେ ଶୀତ ଆରମ୍ଭ ହେବା ପୂର୍ବରୁ ଗ୍ୟାସ୍ ସଂକଟ ସମଗ୍ର ବିଶ୍ୱରେ ଗମ୍ଭୀର ହୋଇଯିବ । କାରଣ ୟୁରୋପ ଏବଂ ଏସୀୟ ଦେଶ ସୀମିତ ଏଲ୍ଏନ୍ଜି ପାଇଁ ଟଣାଓଟରା ହେବେ।