ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ ଲାଗି ମେଗା ନିଲାମୀ ଜାରି ରହିଛି । ସାଉଦି ଆରବର ଜେଦା ସହରରେ ନିଜ ପସନ୍ଦର ଖେଳାଳିଙ୍କୁ ମୋଟା ଅଙ୍କର ଟଙ୍କା ଦେଇ କିଣୁଛନ୍ତି ଟିମ୍‌ । ନଭେମ୍ବର ୨୪ (ରବିବାର) ୭୨ ଜଣ ଖେଳାଳିଙ୍କୁ ଟିମ୍‌ କିଣିଥିବା ବେଳେ ଆଜି ମଧ୍ୟ ଅକ୍ସନ ଜାରି ରହିଛି । ପ୍ରଥମ ଦିନରେ ଖେଳାଳିଙ୍କୁ କ୍ରୟ କରିବା ଲାଗି ମୋଟ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପଞ୍ଜାବ କିଙ୍ଗ୍ସ ବ୍ୟତୀତ ଖେଳ ପ୍ରେମୀଙ୍କ ନଜର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟେବୁଲ ଉପରେ ଥିଲା ।   ପ୍ରଥମ ଦିନର ନିଲାମୀ ପରେ ଚେନ୍ନାଇ ଏବଂ ବେଙ୍ଗାଲୁରୁ ଟିମ୍‌ରେ କେଉଁମାନେ ସାମିଲ ହୋଇଛନ୍ତି ଆସନ୍ତୁ ଜାଣିବା । 

 ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୫ ଲାଗି ୫ ଜଣ ଖେଳାଳିଙ୍କୁ ରିଟେନ୍‌ କରିଥିଲା । ଏହା ପରେ ଟିମ୍ ପର୍ସରେ ୫୫ କୋଟି ଟଙ୍କା ବଞ୍ଚିଥିଲା ।  ୨୦୨୫ ଆଇପିଏଲର ମେଗା ଅକ୍ସନର ପ୍ରଥମ ଦିନରେ ଚେନ୍ନାଇ ମୋଟ ୭ ଜଣ ଖେଳାଳିଙ୍କୁ କିଣିଛି । ଏହି ୭ ଖେଳାଳିଙ୍କ ମଧ୍ୟରେ ୩ ଜଣ ବିଦେଶୀ, ୬ କ୍ୟାପଡ୍‌ ଏବଂ ଜ‌ଣେ ଅନକ୍ୟାପଡ୍‌ ଖେଳାଳି ଅଛନ୍ତି ।   ଏହା ବ୍ୟତୀତ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡ ଜରିଆରେ ଜଣେ ପ୍ଲେୟାରଙ୍କୁ କିଣିଛି ଟିମ୍‌ । ପ୍ରଥମ ଦିନ ଚେନ୍ନାଇ ୩୯.୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବେ ଟିମ୍‌ ପାଖରେ ୧୫.୬୦ କୋଟି ରହିଛି । 

ଚେନ୍ନାଇ ଟିମ୍‌, ନୁର ଅହମଦ (ବିଦେଶୀ ଖେଳାଳି), ରବିଚନ୍ଦ୍ରନ ଅଶ୍ବିନ, ଡେବନ କନଓ୍ବେ (ବିଦେଶୀ ଖେଳାଳି), ସୟଦ ଖଲିଲ ଅହମଦ, ରଚିନ ରବୀନ୍ଦ୍ର (ବିଦେଶୀ ଖେଳାଳି), ରାହୁଲ ତ୍ରିପାଠୀ, ବିଜୟ ଶଙ୍କର (ଅନକ୍ୟାପଡ୍‌ ଖେଳାଳି)ଙ୍କୁ କ୍ରୟ କରିଛି ।  ସେହିଭଳି ଚେନ୍ନାଇର ରିଟେନ୍‌ ଖେଳାଳିଙ୍କ ତାଲିକାରେ ଋତୁରାଜ ଗାଏକ୍ବାଡ, ମଥିଶା ପାଥିରାନା (ବିଦେଶୀ ଖେଳାଳି), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା ଏବଂ ମନ୍ଦେ୍ର ସିଂ ଧୋନୀ ରହିଛନ୍ତି । 

ସେପଟେ ବେଙ୍ଗାଲୁରୁ ଟିମ୍‌ ୩ ଜଣ ଖେଳାଳିଙ୍କୁ ରିଟେନ କରିଥିଲା ।  ଏହା ପରେ ଟିମ୍‌ ପାଖରେ ଥିଲା ୮୩ କୋଟି ଟଙ୍କା । ଅକ୍ସନର ପ୍ରଥମ ଦିନରେ ଆରସିବି ୬ ଖେଳାଳିଙ୍କୁ କିଣିଥିଲା । ସେମାନଙ୍କ ମଧ୍ୟରୁ ୩ ବିଦେଶୀ ଖେଳାଳି, ୪ କ୍ୟାପ୍‌ଡ ପ୍ଲେୟାର ଏବଂ ୨ ଅନକ୍ୟାପଡ୍‌ ଖେଳାଳି ରହିଛନ୍ତି । ପ୍ରଥମ ଦିନରେ ଟିମ୍‌ ୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଟିମ୍‌ ଜୋଶ ହେଜଲଉଡ୍‌(ବିଦେଶୀ ଖେଳାଳି), ଫିଲ୍‌ ସଲ୍ଟ (ବିଦେଶୀ ଖେଳାଳି), ଜିତେଶ ଶର୍ମା, ଲିୟାମ ଲିଭିଂଷ୍ଟୋନ୍‌ (ବିଦେଶୀ ଖେଳାଳି), ରସିଖ ଡାର ଏବଂ ସୁୟଶ ଶର୍ମାଙ୍କୁ କ୍ରୟ କରିଛି ।  ଏହା ପୂର୍ବରୁ ବେଙ୍ଗାଲୁରୁ, ବିରାଟ କୋହଲି, ରଜତ ପାଟିଦାର ଏବଂ ୟଶ ଦୟାଲଙ୍କୁ ରିଟେନ୍‌ କରିଥିଲା ।