ନୂଆଦିଲ୍ଲୀ: ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଧୋନୀ ଫେରିବେ ବୋଲି ଆଶା ରଖିଥିଲେ ଫ୍ୟାନ୍ସ । କିନ୍ତୁ ଆଶା ଆଶାରେ ରହିଯାଇଛି । ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ବୋଲିଂ କରିବ ହାଇଦ୍ରାବାଦ । ତେବେ ଟସ୍ ପରେ ଟିମ୍ ସମ୍ପର୍କରେ ସୂଚନା ଦେବା ପରେ ଗାଏକ୍ବାଡ ଧୋନୀ ଆଜି ମଧ୍ୟ ଖେଳିବେ ନାହିଁ ବୋଲି କହିଛନ୍ତି ।
ଋତୁରାଜ ବାହିନୀଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । ଫଳରେ ଘରୋଇ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଅନ୍ୟ ପଟରେ ହାଇଦ୍ରାବାଦ ମଧ୍ୟ ବିଜୟ ସହ ପ୍ଲେ-ଅଫ୍ ସ୍ଥାନ ଦୃଢ଼ କରିବା ଲକ୍ଷ୍ୟରେ ରହିଛି । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଚେନ୍ନାଇ ୧୨ଟି ମ୍ୟାଚ୍ ଖେଳି ୬ବିଜୟ ଓ ୬ ପରାଜୟ ସହ ୧୨ପଏଣ୍ଟ ପାଇଛି । ଦଳର ଆଉ ୨ଟି ମ୍ୟାଚ୍ ବାକି ରହିଛି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ଉଭୟ ମ୍ୟାଚ୍ ଜିତିବା ଜରୁରୀ । ହାଇଦ୍ରାବାଦ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୭ବିଜୟ ଓ ୫ପରାଜୟ ସହ ୧୪ପଏଣ୍ଟ ପାଇଛି । ଆଜି ଚେନ୍ନାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ ଏବଂ ପ୍ଲେ-ଅଫ୍ ସ୍ଥାନ ଦୃଢ଼ ହେବ ।
ଗତ ଏପ୍ରିଲ ୧୮ ତାରିଖରେ ହାଇଦ୍ରାବାଦ ଓ ଚେନ୍ନାଇ ସାମ୍ନାସାମ୍ନି ହୋଇଥିଲେ । ହାଇଦ୍ରାବାଦ ୧୦ରନ୍ରେ ଏହି ମ୍ୟାଚ୍ ଜିତିଥିଲା । ଏଥର ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍ରେ ପରାଜିତ ହୋଇଥିଲେ । ଗୁଜରାଟର ୫/୧୬୮ରନ୍ ଜବାବରେ ହାଇଦ୍ରାବାଦ ଦଳ ମାତ୍ର ୮୬ରନ୍ରେ ଅଲଆଉଟ୍ ହୋଇଥିଲା । ବ୍ୟାଟିଂ ବିଭାଗର ବିଫଳତା ପରାଜୟର କାରଣ ହୋଇଥିଲା । ଚେନ୍ନାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳ ସବୁ ତ୍ରୁଟି ସୁଧାରି ନେଇଛି ।
ଏହାସହ ପଢ଼ନ୍ତୁ : ଡେବ୍ୟୁ ଫିଲ୍ମ ସୁପରହିଟ୍, ଅଜବ ସର୍ତ୍ତ ପାଇଁ ବୁଡ଼ିଗଲା ନାୟିକାଙ୍କ କ୍ୟାରିୟର