୨୯ ରୁ କଟକ ବୈଶାଖୀ ବାଣିଜ୍ୟ ମେଳା, ଖୋଲିବ ୫୨୦ ଷ୍ଟଲ୍

କଟକ, ୨୫/୦୩ : ଆସନ୍ତା ୨୯ ରୁ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ୧୮ ତମ କଟକ ବୈଶାଖୀ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ୧୦ଟି ଦେଶର ଉଦ୍ୟୋଗୀ ଓ ୨୨ଟି ରାଜ୍ୟର କ୍ଷୁଦ୍ର, ମଧ୍ୟମ ଓ ବୃହତ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିବେ । ମେଳାରେ ୫୨୦ଟି ଷ୍ଟଲ ଖୋଲିବ । ଏହି ଅବସରରେ କଟକର ବରିଷ୍ଠ ନାଗରିକ ତଥା ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍ଗୋଙ୍କୁ ରୁଚି ବୈଶାଖୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।
ଚଳିତ ବର୍ଷ ଆଫଗାନିସ୍ଥାନ, ଥାଇଲାଣ୍ଡ, ବାଂଲାଦେଶ, ମାଲେସିଆ, ଦୁବାଇ, ଇରାନ ଓ ତୁର୍କୀର ଶିଳ୍ପୋଦ୍ୟୋଗୀମାନେ ବିଭିନ୍ନ ସୌଖିନ ଓ ଘରକରଣା ସାମଗ୍ରୀ ବିକ୍ରି କରିବାକୁ ପ୍ରଥମଥର ପାଇଁ ଷ୍ଟଲ ଖୋଲିବେ । ଦିଲ୍ଳୀ, ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜାମ୍ମୁକାଶ୍ମୀର ଆଦି ରାଜ୍ୟର ବ୍ୟବସାୟୀମାନେ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପୀ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ହେବ । ଓଡ଼ିଶାର ପ୍ରତିଷ୍ଠିତ ରୁଚି ଫୁଡ୍ଲାଇନ୍ ପକ୍ଷରୁ ମଧ୍ୟ ମେଳା ଅବସରରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ରଖାଯାଇଛି । ରୁଚି-ଫ୍ରୋଜିଟ୍ ପକ୍ଷରୁ ମେଳା ପରିସରରେ ଫୁଡ୍କୋର୍ଟର ବ୍ୟବସ୍ଥା କରାଯିବ । ମେଳା ପରିସରରେ ଏକ ଅଟୋ ଏକ୍ସପୋ ମଧ୍ୟ ଆୟୋଜନ କରାଯିବ । ପିଲାଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା କରାଯିବ । ଏହା ସହିତ ମଞ୍ଚରେ ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବ । ସମସ୍ତଙ୍କର ସହଯୋଗରେ ଏହି ମେଳା କରାଯିବ ବୋଲି ମେଳାର ସଂଯୋଜକ ଦେବୀପ୍ରସାଦ ଦାଶ ସୂଚନା ଦେଇଥିଲେ।