କଟକ,୨୬/୦୯: ଐତିହାସିକ କଟକ ବାଲିଯାତ୍ରା- ୨୦୨୫ ପାଇଁ ଆଜିଠୁ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବ୍ୟବସାୟୀମାନେ ପ୍ଲଟ୍‌ ପାଇଁ ଉଭୟ ଅନ୍‌ଲାଇନ୍‌ ଏବଂ  ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ । ଆବେଦନ ପକ୍ରିୟା  ଶେଷ ହେବା ପରେ ଅକ୍ଟୋବର ୧୩ ତାରିଖରୁ ନିଲାମ ଜରିଆରେ  ପ୍ଲଟ୍‌ ଆବଣ୍ଟନ ଆରମ୍ଭ ହେବ ବୋଲି ଗୁରୁବାର ଜିଲ୍ଲା ପ୍ରଶାସନ  ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।  

ବାଲିଯାତ୍ରା ପ୍ଲଟ୍‌ ଆବଣ୍ଟନ ସଂପର୍କରେ ସୂଚନା ଦେଇ ଅତିରିକ୍ତ  ଜିଲ୍ଲାପାଳ(ରାଜସ୍ୱ) ତଥା ବାଲିଯାତ୍ରା ପ୍ଲଟ ଆବଣ୍ଟନ କମିଟି  ଅଧ୍ୟକ୍ଷ ଡକ୍ଟର ଦିବ୍ୟଲାଚନ ମହାନ୍ତ କହିଛନ୍ତି ଯେ, ଆସନ୍ତା  ନଭେମ୍ବର ୫ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ  ହେବ । ଏଥିପାଇଁ ପ୍ଳଟ୍‌ ପଞ୍ଜୀକରଣ ପ୍ରକ୍ରିୟା ଶୁକ୍ରବାରଠୁ  ଆରମ୍ଭ ହେବ । ଆଗ୍ରହୀ ବ୍ୟବସାୟୀମାନେ ବାରବାଟି  ଷ୍ଟାଡିୟମ ସନ୍ନିକଟ ବାରବାଟି ପ୍ୟାଲେସଠାରେ ସରକାରୀ  ଛୁଟିଦିନ ବ୍ୟତୀତ ଅନ୍ୟଦିନମାନଙ୍କରେ ପ୍ଲଟ୍‌ ପାଇଁ ଆବେଦନ  କରିପାରିବେ । ଦୈନିକ ପୂର୍ବାହ୍ନ ୧୧ ଘଟିକାଠାରୁ ଅପରାହ୍ନ ୫ଘଟିକା ମଧ୍ୟରେ ଆବେଦନପତ୍ର ଦାଖଲ କରି ପଞ୍ଜୀକରଣ ପତ୍ର  ଗ୍ରହଣ କରିପାରିବେ । ଚଳିତ ବର୍ଷ ନିଲାମ ପାଇଁ ପ୍ରତି ବର୍ଗଫୁଟ୍‌  ପିଛା ସର୍ବନିମ୍ନ ୪୦ ଟଙ୍କା, ୫୦ଟଙ୍କା ଓ ୬୦ ଟଙ୍କା ରଖାଯାଇଛି ।  

ଆସନ୍ତା ଅକ୍ଟୋବର ୧୩ତାରିଖଠାରୁ ଏହି ନିଲାମ ପ୍ରକ୍ରିୟା  ଆରମ୍ଭ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ମହାନ୍ତ  ସୂଚନା ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ  ବ୍ୟକ୍ତିମାନେ ନିଲାମ ସରିବାର  ୪୮ଘଣ୍ଟା ମଧ୍ୟରେ ପ୍ରଶାସନ  ନିକଟରେ ନିଲାମ ରାଶି  ଦାଖଲ କରିବେ । ନଚେତ୍‌  ସେମାନଙ୍କୁ ଅଯୋଗ୍ୟ  ଘୋଷଣା କରାଯିବ ।  ପରବର୍ତ୍ତୀ ନିଲାମଧାରୀଙ୍କୁ  ଉକ୍ତ ପ୍ଲଟ୍‌ ନେବା ଲାଗି ସୁଯୋଗ  ଦିଆଯିବ । ଏତଦ୍‌ବ୍ୟତୀତ ଛୋଟଛୋଟ ବ୍ୟବସାୟୀମାନଙ୍କୁ ୮୦  ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ  ଦିଆଯିବାକୁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି ।  ଗୁରୁବାର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ଲଟ ଆବଣ୍ଟନ କମିଟିର  ଅନ୍ୟତମ ସଦସ୍ୟ କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟାତି  ସ୍ମୃତିରଞ୍ଜନ ଦେଓ, କଟକ ସଦର ତହସିଲଦାର ଦେବଦତ୍ତ  ପ୍ରଧାନ, ଜିଲ୍ଲା ସୂଚନା ଓ ଲାକ ସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଥାଟୋଇ, ଜିଲ୍ଲା  ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।