କଟକ ୧୩/୧୧: ଛୋଟ ପିଲା ଓ ବୟସ୍କଙ୍କୁ ବାଲିଯାତ୍ରାକୁ ନେଇ ଆସନାହିଁ। ପ୍ରବଳ ଭିଡ଼ ଆଶାଙ୍କା କରି ରାଜ୍ୟବାସୀଙ୍କୁ ନିବେଦନ କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ। ଆଜି ଐତିହାସିକ କଟକ ବାଲିଯାତ୍ରା ଅନ୍ତମ ଦିନ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶେଷ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ନାଇଟ୍। ଏଥିପାଇଁ ପଡିଆରେ ଏଲ୍ଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି। ଠିଆ ହୋଇ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ରବିବାର ଭଳି ଆଜି ବାଲିଯାତ୍ରରେ ଭିଡ଼ ହେବ ବୋଲି ଆଶଙ୍କା କରାଯାଇଛି। ତେଣୁ ବର୍ତ୍ତମାନଠୁ ଟ୍ରାଫିକ୍ କଟକଣା ଓ ଗାଡ଼ି ପରିଚାଳନା ଆରମ୍ଭ ହୋଇଛି। ଦର୍ଶକମାନେ ଶାନ୍ତିଶୃଙ୍ଖଳାରେ ମେଳା ବୁଲିବାକୁ ଆସିବାକୁ ଅପିଲ କରାଯାଇଛି।
ସୂଚନା ଅନୁଯାଇ ,ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା । ଆଠଦିନର ଏହି ମୁକ୍ତାକାଶ ବାଣିଜ୍ୟ ମେଳା ବୁଧବାର ଅର୍ଥାତ୍ ୧୨ତାରିଖ ସରିଥାନ୍ତା । କିନ୍ତୁ ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରେ ରଖି ଅବଧି ଦିନଟିଏ ବୃଦ୍ଧି କରାଯାଇଥିଲା । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦିନଟିଏ ବୃଦ୍ଧି ପାଇଛି, ତେଣୁ ବ୍ୟବସାୟୀମାନେ ପ୍ଲଟ୍ ବାବଦରେ ଅତିରିକ୍ତ ଦିନ ପାଇଁ ଆଉ କୌଣସି ଦେୟ ଦେବେ ନାହିଁ । ଗୁରୁବାର ରାତି ୧୧ଟାରେ ବାଲିଯାତ୍ରା ଶେଷ ହେବ ।