କଟକ,୧୯/୧: ସହରରେ ପଞ୍ଜିକୃତ ଉଠା ଦୋକାନୀଙ୍କ ସଂଖ୍ୟା ୩ ହଜାରରୁ ବୃଦ୍ଧି ପାଇ ଏବେ ୧୨ ହଜାର ଛୁଇଁଲାଣି । କିନ୍ତୁ ୪ବର୍ଷ ମଧ୍ୟରେ ଥଇଥାନ ହୋଇଛନ୍ତି ମାତ୍ର ୩୦ରୁ ୪୦ ଜଣ ବ୍ୟବସାୟୀ । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଗଲା ଦୁଇ ବର୍ଷ ଭିତରେ ସହରର ଅନେକ ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇ ଉଦ୍‌ଘାଟନ ସରିଛି । ଏହିସବୁ ଭେଣ୍ଡିଂ ଜୋନ୍‌ରେ ୩ଶହରୁ ଅଧିକ ଦୋକାନ ଘର ପଡ଼ି ନଷ୍ଟ ହେଉଛି ମାତ୍ର ବ୍ୟବସାୟୀଙ୍କୁ ଆବଣ୍ଟିତ କରାଯାଉନାହିଁ । ଏମିତିକି ୨୦୨୩ ମସିହାରୁ ଆଜି ପର୍ଯ୍ୟନ୍ତ ଜଣେ ବି ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ୍ ମିଳିନାହିଁ । ଯାହାଦ୍ୱାରା କଟକରେ ଉଚ୍ଛେଦର ଶିକାର ହୋଇଥିବା ହଜାର ହଜାର ଉଠାଦୋକାନୀଙ୍କୁ ଥଇଥାନ କରିବାରେ କଟକ ମହାନଗର ନିଗମ(ସିଏମ୍‌ସି ) ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଜଣାପଡିଛି ।

ମିଳିଥିବା ସୂଚନାନୁସାରେ, ସହରରେ ଥିବା ଉଠା ଦୋକାନୀଙ୍କ ପାଇଁ ୨୦୧୭ ମସିହାରେ ଶେଷ ଥର ପାଇଁ ସର୍ଭେ ହୋଇଥିଲା । ଏଥିରେ ସହରରେ ୩୫୦୦ ଦୋକାନୀଙ୍କୁ ଚିହ୍ନଟ କରାଯାଇ ପଞ୍ଜିକୃତ କରାଯାଇଥିଲା । ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯଇଥିଲା । ଏହାପରଠୁ ଆଜି ପର୍ଯ୍ୟନ୍ତ ସର୍ଭେ ହୋଇ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସ୍ୱନିଧି ଯୋଜନା ପାଇଁ ବ୍ୟବସାୟୀମାନେ ନିଜ ଆଡୁ ଆବେଦନ କରିବା ପରେ ସିଏମ୍‌ସି ଯାଞ୍ଚ୍ କରି ସେମାନଙ୍କୁ ପଞ୍ଜିକୃତ କରୁଛି । ଯାହାଦ୍ୱାରା ଏବେ ସହରରେ ପ୍ରାୟ ୧୨ହଜାର ଉଠା ଦୋକାନୀ ପଞ୍ଜିକୃତ ହୋଇଛନ୍ତି । ତେବେ ସେମାନଙ୍କୁ ଥଇଥାନ କରିବା ପାଇଁ ସିଏମ୍ସି ଗୋଟିଏ ପରେ ଗୋଟିଏ ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରୁଛି କିନ୍ତୁ ଏହା କାମରେ ଲାଗୁନାହିଁ । କାରଣ ଗତ ୨୦୨୨-୨୩ମସିହା ମଧ୍ୟରେ ୬ଟି ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ କିଛି ଆବଣ୍ଟନ ହୋଇଥିଲା । ସେହିକ୍ରମରେ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରୁ ଆରମ୍ଭ କରି ସିଡିଏର ଦୁଇଟି ସ୍ଥାନ, ବିଡାନାସୀ, କଲେଜ ଛକ ଓ କ୍ୟାଣ୍ଟନ୍ମେଣ୍ଟ୍ ଥାନା ପଛ ପାଶ୍ୱର୍ରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ଆବଣ୍ଟନ କରାଯାଇଥିଲା । ତେବେ ସେହିବର୍ଷ ନିର୍ମିତ ସିଡିଏ ଓ ଖାନନଗର ଭେଣ୍ଡିଂ ଜୋନ୍ ଦୋକାନ ଘର ସେମିତି ପଡିରହିଛି । ଅନ୍ୟପକ୍ଷରେ ଗତ ୨୦୨୪ ଓ ୨୦୨୫ମସିହାରେ ପାଖାପାଖି ୩ ଶହ ଭେଣ୍ଡିଂ ଜୋନ୍ ନିର୍ମାଣ ହେଉଛି ।

ଗତ ୨୦୨୪ମସିହାରେ ସ୍ୱାୟତ୍ତ ଶାସନ ଦିବସରେ ୪୨ନମ୍ବର ୱାର୍ଡରେ ଭେଣ୍ଡିଂ ଜୋନ୍ ପାଇଁ ୮୦ଟି ଦୋକାନ ଘର ଓ ୪୧ନମ୍ବର ୱାର୍ଡରେ ୩୦ଟି ଦୋକାନ ଘର ପାଇଁ ଶୁଭ ଦିଆଯାଇଥିଲାବେଳେ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି । ସେହିଭଳି ୨୦୨୫ମସିହାରେ ୱାର୍ଡ ନମ୍ବର ୩୪ ସ୍ଥିତ ମାତାମଠ ଠାରେ ଭେଣ୍ଡିଂ ଜୋନ୍, ୩୭ନମ୍ବର ୱାର୍ଡ ନାକେଇ ପଡିଆରେ ଠାରେ ଭେଣ୍ଡିଂ ଜୋନ୍ ଶୁଭାରମ୍ଭ ହେବା ସହିତ ୩୮ନମ୍ବର ୱାର୍ଡରେ ଭେଣ୍ଡିଂ ଜୋନ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହାବାଦ୍ ବିଭିନ୍ନ ପ୍ରକଳ୍ପରେ କେଶରପୁର ନିକଟରେ ଏକ ଭେଣ୍ଡିଂ ଜୋନ୍ ନିର୍ମାଣ ସରିଥିଲାବେଳେ ଆଉ ଏକ ନିର୍ମାଣ ଚାଲିଛି । ଅନେକ ସ୍ଥାନରେ ଯୋଜନା ଥିଲେ ମଧ୍ୟ ସ୍ଥାନ ସମସ୍ୟା ପାଇଁ ଏହା କେବଳ ଯୋଜନାରେ ରହିଛି । ସେହିଭଳି ସହରଯାକ ମାଳ ମାଳ ଭେଣ୍ଡିଂ ଜୋନ୍ ତିଆରି ହେଉଥିଲେ ମଧ୍ୟ ତାହା ଆବଣ୍ଟନ କରାଯାଇପାରୁନାହିଁ । ବିଶେଷକରି ଯନ୍ତ୍ରୀ ବିଭାଗ ଓ ବସ୍ତି ଉନ୍ନୟନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ପାଇଁ ସହରରେ ଥିବା ହଜାର ହଜାର ଉଠା ଦୋକାନୀ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହେଉଛି । ଏ ନେଇ କମିସନର କିରନଦୀପ କୌର ସହୋତା କହିଛନ୍ତି ଯେ, କିଛି ଭେଣ୍ଡିଂ ଜୋନ୍ ମାମଲା ବିଚାରାଧୀନ ଥିବାରୁ ଏହା ଆବଣ୍ଟନ ହୋଇନାହିଁ । ବାକି ଯାହା ଉଦ୍ଘାଟନ ହୋଇଛି ତାହାକୁ ଖୁବ୍ ଶୀଘ୍ର ଆବଣ୍ଟନ କରାଯିବ ବୋଲି କମିସନର କହିଛନ୍ତି।