କଟକ,୨୧/୧୨: ରାଜଧାନୀ ଭଳି  ଏଣିକି କଟକରେ ବି ଦେଖିବାକୁ ମିଳିବ  ପଥୋତ୍ସବ । ସକାଳ ପ୍ରାତଃ ଭ୍ରମଣ ସହିତ  ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମକୁ  ଉପଭୋଗ କରିବେ କଟକବାସୀ ।  ନାଚ, ଗୀତ ଓ ରଙ୍ଗୋଲିକୁ ନେଇ  ଆୟୋଜିତ ହେବ ବିଭିନ୍ନ ପ୍ରକାରର  କାର୍ଯ୍ୟକ୍ରମ । କଟକ ଜିଲ୍ଲା ପ୍ରଶାସନ ଓ  କଟକ ମହାନଗର ନିଗମ(ସିଏମ୍‌ସି) ର ମିଳିତ ଉଦ୍ୟମରେ ଆସନ୍ତା  ରବିବାର ଦିନ ପ୍ରଥମ ଥର ପାଇଁ  ବାରବାଟୀ ଦୁର୍ଗ ରାସ୍ତାରେ ଆୟୋଜିତ  ହେବ ଏହି କଟକ ପଥୋତ୍ସବ । ଯାହା ଆଗାମୀ  ଦିନରେ ସାଧାରଣଲୋକଙ୍କ ପାଇଁ ମନୋରଞ୍ଜନର  କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି । 

ଗତ କିଛି ବର୍ଷ ହେବ ବାଲିଯାତ୍ରା ଆସିଲେ  ଜିଲ୍ଲା ପ୍ରଶାସନ ଦ୍ୱାରା ରିଂବନ୍ଧ ରାସ୍ତାରେ  ପଥୋତ୍ସବ ଆୟୋଜନ କରାଯାଉଛି । ଏଥିରେ ସକାଳ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ  ବିଭିନ୍ନ ଖେଳକୁଦ ଆୟୋଜନ କରାଯାଇଥାଏ ।  ଯେଉଁଥିରେ ବହୁ ସଂଖ୍ୟକ ଲୋକମାନେ  ସାମିଲ୍‌ ହୋଇଥାନ୍ତି । କିନ୍ତୁ ଏହି କିଛି ଦିନର  ମନୋରଞ୍ଜନକୁ ଏଣିକି ନିୟମିତ ଭାବେ  କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପ୍ରଥମ ଥର ପାଇଁ ବାରବାଟୀ ଦୁର୍ଗ ଗେଟ୍‌  ପାଖରୁ ମ୍ୟୁଜିୟମ୍‌ ଅଫ୍‌ ଜଷ୍ଟିସ୍‌ ପର୍ଯ୍ୟନ୍ତ  ରାସ୍ତାରେ ପଥୋତ୍ସବ ଆୟୋଜନ ହେବ । ଶୀତ  ସକାଳରେ ଇଣ୍ଡୋର୍‌ ଷ୍ଟାଡିୟମ୍‌କୁ ପ୍ରତ୍ୟେହ ଦୁଇ  ହଜାରରୁ ଅଧିକ ବିଭିନ୍ନ ବର୍ଗର ଲୋକମାନେ  ଖେଳକୁଦ ଓ ପ୍ରାତଃ ଭ୍ରମଣରେ ଆସୁଥିବାରୁ ଏହି ବାରବାଟୀ ଦୁର୍ଗ ରାସ୍ତାରେ ପଥୋତ୍ସବ  ପାଇଁ ନିଷ୍ପତ୍ତି ହୋଇଛି । 

ଆସନ୍ତା  ୨୨ତାରିଖ ତଥା ରବିବାର ଦିନ ଏହା  ପ୍ରଥମ ଥର ହେବାକୁ ଥିଲାବେଳେ  ଏଥିରେ ବହୁ ସଂଖ୍ୟକ କଳାକାର  ଓ ଖେଳାଳିମାନେ ସାମିଲ୍‌ ହେବେ ।  ପଥୋତ୍ସବରେ କଲ୍‌ଚରାଲ୍‌ କାର୍ଯ୍ୟକ୍ରମ,  ସେଲ୍‌ଫି ବୁଥ୍‌, ତାଇକାଣ୍ଡୋ, ଚିତ୍ରାଙ୍କନ,  ରଙ୍ଗୋଲି, ଦସ୍ତଖତ ଅଭିଯାନ, ସ୍କେଟିଂ, ଜୁମ୍ବା, ମୋ ଖତ ବିକ୍ରୟ କେନ୍ଦ୍ର, ବାଲୁକା ଶିଳ୍ପ,  କାନ୍ଥରେ ଚିତ୍ର, କୁସ୍ତି, ଫେସ୍‌ରେ ଚିତ୍ର ଅଙ୍କାଯିବ,  ସ୍ୱାସ୍ଥ୍ୟ ଶିବିର, ଲୋକନୃତ୍ୟ, ଯୋଗ, ନୁକ୍କଡ ନାଟକ, ରାଲି, ସ୍ୱଚ୍ଛତା ସମ୍ପର୍କରେ ସଚେତନତା  ଆଦି କାର୍ଯ୍ୟକ୍ରମ ହେବ । ସକାଳ ସାଢ଼େ  ୭ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏହା ଚାଲିବ । ।