କଟକ, ୨୦/୦୩: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ଫସିଛନ୍ତି କଟକର ଜଣେ ନାବିକ । ଏଲ୍‌ପିଜି ଆଣିବା ପାଇଁ ଯାଇଥିବା ଏକ ଜାହାଜରେ ମୁଖ୍ୟ ଅଧିକାରୀ ଥିବା କଟକ ସିଡିଏର ଅଶୋକ କୁମାର ଦୀକ୍ଷିତ ଫସିରହିଛନ୍ତି । ଗଲା ୨୦ ଦିନ ହେବ ସେ’ କତାର ପାଖରେ ଥିବା ‘ ରାସ୍ ଲଫାନ୍’ ପୋର୍ଟର ଆଙ୍କର ସ୍ଥଳୀରେ ଜାହାଜକୁ ଅଟକାଇ ଛିଡ଼ା ହୋଇଛନ୍ତି । ସେଠାରୁ ଜାହାଜକୁ ବାହାର କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।

ଶ୍ରୀ ଦୀକ୍ଷିତ ଏକ ଭିଡିଓ ବାର୍ତ୍ତା ଜାରି କରି ସେଠାକାର ଲୋମଟାଙ୍କୁରା ଦୃଶ୍ୟ ବୟାନ କରିଛନ୍ତି । ସେ ଏକ ଜାହାଜ ନେଇ କତାର ଯାଇଥିଲେ । ପ୍ରାୟ ୨୦ ଦିନ ପୂର୍ବରୁ ସେ ଜାହାଜରେ ଏଲ୍‌ପିଜି ଭର୍ତ୍ତି କରାଇ ଭାରତ ଅଭିମୁଖେ ବାହାରିଲେ । ମାତ୍ର କିଛି ବାଟ ଆସିବା ପରେ ହଠାତ୍ ଇରାନ-ଇସ୍ରାଇଲ୍ ଯୁଦ୍ଧ ଆରମ୍ଭ ହେଲା । ଫଳରେ ତାଙ୍କ ଜାହାଜକୁ ‘ରାସ୍ ଲଫାନ୍’ ପୋର୍ଟ ବା ବନ୍ଦର ପାଖରେ ଥିବା ଆଙ୍କର ସ୍ଥଳୀରେ ଅଟକାଇବାକୁ ପଡ଼ିଲା । ଏହା କତାରର ଏକ ପ୍ରମୁଖ ପୋର୍ଟ । ତେବେ ଗଲା ୨୦ ଦିନ ହେବ ସେ ଉକ୍ତ ପୋର୍ଟ ପାଖରେ ଜାହାଜକୁ ଅଟକାଇ ରହିଛନ୍ତି । ଏହା ମଧ୍ୟରେ ଇରାନ୍ ପକ୍ଷରୁ କତାରର ଏଲ୍ଏନ୍‌ଟି  ଟର୍ମିନାଲ୍‌କୁ ମିସାଇଲ୍ ମାଡ଼ କରାଯାଉଛି । ଏଥିରେ ଏକ ଏଲ୍ଏନ୍‌ଜି ଉତ୍ପାଦନ କେନ୍ଦ୍ର ନଷ୍ଟ ହୋଇଛି । ଏହା ପ୍ରଭାବରେ କତାରରେ ଏଲ୍ଏନ୍‌ଜି ଉତ୍ପାଦନ ବନ୍ଦ କରାଯାଇଛି ।

ଅଧିକ ପଢ଼ନ୍ତୁ :- ବକେୟା ଇ-ଚାଲାଣରୁ ମୁକ୍ତି : ୫୦% ପର୍ଯ୍ୟନ୍ତ ଛାଡ଼ ଘୋଷଣା କଲେ ରାଜ୍ୟ ସରକାର

ତେବେ କିଛି ଦିନ ହେବ ଇରାନ୍ ତାର ଆକ୍ରମଣ କତାର ଉପରେ ବଢ଼ାଇଥିବାରୁ ସେଠାରେ ବିପଦ ବଢ଼ିଛି । ଆସୁଥିବା ମିସାଇଲ୍କୁ ନଷ୍ଟ କରିବା ପାଇଁ କତାର ପକ୍ଷରୁ ଇଣ୍ଟରସେପ୍ଟର ମିସାଇଲ୍ ଛଡ଼ାଯାଉଛି । ଫଳରେ ଇରାନ ମିସାଇଲ୍ ଆକାଶରେ ନଷ୍ଟ ହୋଇ ତାର ଅଂଶ ବିଶେଷ ଆସି ବନ୍ଦର ପାଖରେ ଥିବା ଜାହାଜ ଉପରେ ପଡ଼ୁଛି । ଜାହାଜରେ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ରହିଥିବାରୁ ଏହି ଅଂଶ ପଡ଼ିବାରୁ ନିଆଁ ଲାଗିବାର ଆଶଙ୍କା ଦେଖାଦେଉଛି । ଶ୍ରୀ ଦୀକ୍ଷିତଙ୍କ କହିବାନୁସାରେ, ଗଲା ୮ ଦିନ ପୂର୍ବେ ଏହି ସ୍ଥାନରୁ ଦୁଇଟି ଏଲ୍ପିଜି ଜାହାଜ ‘ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ବା ହର୍ମୁଜ ଜଳପଥ ହୋଇ ଭାରତ ଯାଇଛି । ମାତ୍ର ଏବେ ବି ସେଠାରେ ପେଟ୍ରୋଲିୟମ୍ ଜିନିଷ ଧରି ପ୍ରାୟ ୨୦ଟି ଜାହାଜ ଅଟକିଛି । ଇରାନ୍ ସେନା ହର୍ମୁଜ ଜଳପଥ ପାଖରେ କୌଣସି ଜାହାଜକୁ ରଖାଇ ଦେଉନାହାନ୍ତି । ଅତି ପାଖରେ ଥିବା ଜାହାଜକୁ ପଛକୁ ଫେରିଯିବା ପାଇଁ ତାଗିଦ୍ କରିବାରୁ ଏବେ ସବୁ ଜାହାଜ ‘ପର୍ସିଆନ୍ ଗଲ୍ଫ’ ସାଗର ଭିତରେ ଅଛନ୍ତି ।

ତେବେ ଏହି ଭିଡିଓ ବାର୍ତ୍ତା ପରିବାର ଲୋକ ପାଇବା ପରେ ଏନେଇ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ସରକାରଙ୍କୁ ଅବଗତ କରିଛନ୍ତି । ସାଂସଦ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏହି ଭିଡିଓ ପ୍ରମାଣ ଦିଆଯାଇ ସେଠାରୁ ଜାହାଜକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି ।