କଟକ,୧୯/୦୨: ଏସିଆ ବଧିର କ୍ରିକେଟ ସଂଘ(ଏଡିସିଏ) ଏବଂ ଭାରତୀୟ ବଧିର କ୍ରିକେଟ ସଂଘର ମିଳିତ ଆନୁକୂଲ୍ୟରେ ଆଜିଠୁ ବାରବାଟୀ ଷ୍ଟାଡିୟମରେ ଏସିଆ କପ୍ ଟି-ଟ୍ୱେଣ୍ଟି ଆରମ୍ଭ ହେଉଛି। ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ବୁଧବାର ଅପରାହ୍ଣରେ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ଅଧିନାୟକ ବିରେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଜର୍ସି ଉନ୍ମୋଚିତ ହୋଇଥିଲା ।
ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ଶ୍ରୀଲଙ୍କା ଏବଂ ନେପାଳ ଭାଗନେବେ । ପ୍ରତ୍ୟେକ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବେ । ପଏଣ୍ଟ ଆଧାରରେ ଶ୍ରେଷ୍ଠ ଦୁଇ ଦଳ ଫାଇନାଲରେ ପ୍ରବେଶ କରିବେ । ୨୨ ଜଣିଆ ଭାରତୀୟ ଦଳରେ ୨ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅଲରାଉଣ୍ଡର ସନ୍ତାଷ କୁମାର ମହାପାତ୍ର ଓ ଦ୍ରୁତ ବୋଲର ଶିବୁନ ନନ୍ଦ । ଶକ୍ତି ସ୍ୱରୂପ ଦାସ ସହକାରୀ କୋଚ୍ ଏବଂ ଜଗନ୍ନାଥ ଟ୍ରେନର ଭାବେ ଦଳରେ ସାମିଲ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ :- ଭାରତ ମାରିଲା ବିଜୟର ଚୌକା; ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ ୧୭ ରନ୍ରେ ପରାସ୍ତ କଲା ସୂର୍ଯ୍ୟସେନା
ଏଡିସିଏ ସଭାପତି ସୁମିତ ଜୈନ କହିଛନ୍ତି ଯେ, ଏସିଆ ବଧିର କ୍ରିକେଟ ସଂଘର ଯାତ୍ରାରେ ଏଭଳି ଏକ ଟୁର୍ଣ୍ଣାମେଣ୍ଟ ନୂଆ ମାଇଲଖୁଣ୍ଟ ସଦୃଶ । ଏସିଆ ମହାଦେଶର ବଧିର କ୍ରିକେଟ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜନ ହେଉଥିବା ଟୁର୍ଣ୍ଣାମେଣ୍ଟକୁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଏବଂ ଓଡ଼ିଶା ବଧିର କ୍ରିକେଟ ସଂଘ(ଓଡିସିଏ) ପକ୍ଷରୁ ସମର୍ଥନ ମିଳୁଛି ।’