ସାଇବର ଠକ ହାବୁଡ଼ରେ ଶିକ୍ଷକ, ଝିଅ ବାହାଘର ପାଇଁ ରଖିଥିବା ୨ ଲକ୍ଷ ୮୫ ହଜାର ଟଙ୍କା ଆକାଉଣ୍ଟରୁ ଗାଏବ

pic- internet
ମାଲକାନଗିରି, ୬।୧୨: ଝିଅ ବାହାଘର ପାଇଁ ବ୍ୟାଙ୍କ ପାସବୁକରେ ଥିବା ୨ ଲକ୍ଷ ୮୫ ହଜାର ଟଙ୍କା ଚଳୁ କରିଦେଲା ସାଇବର ଠକ। ଜଣେ ଶିକ୍ଷକ ଝିଅ ବାହାଘର ପାଇଁ ବ୍ୟାଙ୍କ ପାସବୁକରେ ୨ ଲକ୍ଷ ୮୫ ହଜାର ଟଙ୍କା ଜମା ରଖିଥିଲେ। ସେ ଏବେ ସାଇବର ଠକଙ୍କ ଦ୍ଵାରା ଠକାମିର ଶିକାର ହୋଇଛନ୍ତି। ତାଙ୍କ ବ୍ୟାଙ୍କ ଖାତାରୁ ୨ ଲକ୍ଷ ୮୫ ହଜାର ଟଙ୍କା ଗାଏବ ହୋଇଯାଇଥିବାରୁ ଝିଅ ବାହାଘର କେମିତି କରିବେ ସେନେଇ ଚିନ୍ତିତ ହୋଇପଡିଛନ୍ତି।
ଏପରି ଠକାମିର ଶିକାର ହୋଇଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି-୩୧ ଗ୍ରାମର ସମୀର କୁମାର ଗୋପ ନାମକ ଜଣେ ଶିକ୍ଷକ। ସାଇବର ଠକେଇର ଶିକାର ହୋଇଥିବା ସେ ଏସମ୍ପର୍କରେ ମାଲକାନଗିରି ସାଇବର ସେଲରେ ଅଭିଯୋଗ କରିଛନ୍ତି। ଏନେଇ ସମୀର ଥାନାରେ ଏତଲା ଦେବା ପରେ ସାଇବର ସେଲ ଓ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଘଟଣାରୁ ପ୍ରକାଶ ଯେ ସମୀର ଗୋପେ କାଲିମେଳା ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥିବାବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା। ସେଥିପାଇଁ ତାଙ୍କୁ ସମସ୍ତ ଡକୁମେଣ୍ଟ ଦେବାକୁ କୁହାଯାଇଥିଲା। ସେ ବ୍ୟାଙ୍କରୁ ଫେରିବା ପରେ ଏନେଇ ଚିନ୍ତା କରୁଥିଲେ। ତେବେ ହଠାତ୍ ଦିନେ ତାଙ୍କ ମୋବାଇଲକୁ ଏକ ଲିଙ୍କ ଆସିଥିଲା। ସେହି ଲିଙ୍କରେ ତୁମର ୟୁନୋ ବ୍ୟାଙ୍କ କାମ କରୁନଥିବା ଦର୍ଶାଇ ତୁରନ୍ତ ଚାଲୁ କରିବାକୁ କୁହାଯାଇଥିଲା। ସମୀର ୟୁନୋ ବନ୍ଦ ପଡିଥିବାରୁ ହୁଏତ ଚାଲୁ କଲେ କ୍ରେଡିଟ କାର୍ଡ ମିଳିବ ଭାବି ଲିଙ୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। କିଛି ସମୟ ପରେ ବ୍ୟାଙ୍କରୁ କହୁଛି କହି ଏକ ଫୋନ ଆସିଥିଲା। ମୋତେ ତୁମର ଓଟିପି ନମ୍ବର ଦିଅ ନାହିଁ। ତେବେ ତୁମର ସମସ୍ତ କାମ ମୁଁ କରିଦେଉଛି କହି ସେ ଏନିଡେସ୍କ ଆପ ଡାଉନଲୋଡ କରିବାକୁ କହିଥିଲା।
ସମୀର ଗତ ୨୦ ତାରିଖରେ ଏନିଡେସ୍କ ଡାଉନଲୋଡ କରୁ କରୁ କିଛି ମିନିଟ ଭିତରେ ପ୍ରଥମେ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚାଲିଯାଇଥିଲା। ସମୀର କିଛି ଭାବୁ ଭାବୁ ପୁଣି ୬୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଆଉ ଥରେ ୨୪, ୯୯୦ ଟଙ୍କା ତାଙ୍କ ଆକାଉଣ୍ଟରୁ କଟି ଚାଲିଗଲା। ସମୀର ସେହି ବ୍ୟକ୍ତିଙ୍କୁ ଫୋନ କରିବାରୁ ତାଙ୍କ ଫୋନସୁଇଚ ଅଫ ହୋଇଯାଇଥିଲା। ଏସମ୍ପର୍କରେ ସେ ଷ୍ଟେଟ ବ୍ୟାଙ୍କ ଯାଇ ଏସବୁ ବିଷୟରେ କହିବା ପରେ ବ୍ୟାଙ୍କ କର୍ମଚାରୀ କହି ଥିଲେ ଏହା ଆମ ବ୍ୟାଙ୍କ ପକ୍ଷରୁ ହୋଇନାହିଁ ଆପଣ ସାଇବର ଠକାମିର ଶିକାର ହୋଇଛନ୍ତି। ସାଇବର ଥାନାରେ କେସ ରୁଜୁ କରନ୍ତୁ କହି ଫେରାଇ ଦେଇଥିଲେ।
ଗତ ୨୦ ତାରିଖ ଠାରୁ ଥାନା ଓ ସାଇବର ସେଲରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଠକଙ୍କର କିଛି ସୁରାକ ପାଇ ପାରୁ ନଥିବାରୁ ସମୀର ମନ ଦୁଃଖରେ ଅଛନ୍ତି। ତେବେ ଏତେ ଟଙ୍କା ସାଇବର ଠକ ଲୁଟି ନେଇଥିବାରୁ ସେ ଏବେ ଚିନ୍ତାରେ ପଡିଛନ୍ତି। କେମିତି ଝିଅ ବାହାଘର କରିବେ ସେନେଇ ଚିନ୍ତିତ ହୋଇ ପଡିଛନ୍ତି।