ନୂଆଦିଲ୍ଲୀ,୧୨/୦୬; ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ବଜାର ଚିନ୍ତା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବା ତଥା ହୋର୍ମୁଜ ଜଳମାର୍ଗ ଖୋଲିବା ନେଇ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ଚୂଡାନ୍ତ ହୋଇଛି । ଉଭୟ ପକ୍ଷ ଏଥିରେ ସ୍ୱାକ୍ଷର କରିବାକୁ ଯାଉଛନ୍ତି । ତେବେ ଏହା କେବେ ସ୍ୱାକ୍ଷର ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେଭାରେ ରବିବାର ଅର୍ଥାତ ଆଜି ଏହି ଶାନ୍ତି ବୁଝାମଣା ସ୍ୱାକ୍ଷର ହେବ ବୋଲି କହିଛନ୍ତି । ସେହିଭଳି ମଧ୍ୟସ୍ଥ ଭୂମିକା ନିର୍ବାହ କରିଥିବା ପାକିସ୍ତାନ ଆଗାମୀ ୨୪ ଘଣ୍ଟା ଭିତରେ ବୁଝାମଣାରେ ସ୍ୱାକ୍ଷର କରାଯିବ ବୋଲି କହିଛି । କିନ୍ତୁ ଇରାନ ଏହାକୁ ଅସ୍ୱୀକାର କରିଛି । କହିଛି ବୁଝାମଣା ଚୂଡାନ୍ତ ହୋଇଛି । କିନ୍ତୁ କେବେ ସ୍ୱାକ୍ଷର ହେବ ତାହା ସ୍ଥିର ହୋଇନି ।

ଟ୍ରମ୍ପ କହିଛନ୍ତି ଜୁନ୍ ୧୪ ତାରିଖରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଏକ ବହୁ ପ୍ରତୀକ୍ଷିତ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଏହାକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ଐତିହାସିକ ପରିବର୍ତ୍ତନ ବୋଲି କହି ସେ ଆହୁରି କହିଛନ୍ତି ଯେ ଚୁକ୍ତି ପରେ ହୋର୍ମୁଜ ପ୍ରଣାଳୀ ତୁରନ୍ତ ଖୋଲାଯିବ । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ପ୍ରସ୍ତାବିତ ଚୁକ୍ତିନାମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଇରାନର ପରମାମୁ କାର୍ଯ୍ୟକ୍ରମ । ତାଙ୍କ ମତରେ, ଏହି ଚୁକ୍ତନାମା ଗ୍ୟାରେଣ୍ଟି ଦେବ ଯେ, ଭବିଷ୍ୟତରେ ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ । ଟ୍ରମ୍ପ ଏହି ଚୁକ୍ତିନାମାକୁ ପରମାଣୁ ଅସ୍ତ୍ର ବିକଶିତରେ ପ୍ରତିବନ୍ଧକ ବୋଲି କହିଥିଲେ । ଇରାନ ଆଉ କୌଣସି ଉପାୟରେ ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ ।

ଏହା ବି ପଢନ୍ତୁ...‘୨୪ ଘଣ୍ଟାରେ ଇରାନ-ଆମେରିକା ଶାନ୍ତି ଚୁକ୍ତି’, ପାକିସ୍ତାନର ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ୍…  

ରାଷ୍ଟ୍ରପତି ଟ୍ରମ୍ପ ଆହୁରି କହିଛନ୍ତି, ଏହି ଚୁକ୍ତିନାମା ଇରାନକୁ ପରମାଣୁ ଅସ୍ତ୍ର ହାସଲ, ବିକାଶ କିମ୍ବା ଅନ୍ୟଥା ହାସଲ କରିବାରୁ ରୋକିବ । ଏହି ବ୍ୟବସ୍ଥା ଏହି ଅଞ୍ଚଳର ସ୍ଥିରତା ବଢାଇବ । ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ହୋର୍ମୁଜ ପ୍ରଣାଳୀକୁ ଆନ୍ତର୍ଜାତୀୟ ପରିହନ ପାଇଁ ପୁନର୍ବାର ଖୋଲାଯିବ । ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଏହି ସମୁଦ୍ର ପଥ ଦେଇ ଗତି କରେ, ତେଣୁ ଏହାର ଖୋଲାଯିବା ଦ୍ୱାରା ଅନ୍ତର୍ଜାତୀୟ ବଜାରକୁ ମଧ୍ୟ ଆଶ୍ୱସ୍ତି ମିଳିପାରିବ । ଟ୍ରମ୍ପ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ପ୍ରତିକୂଳ ପରିସ୍ଥିତିରେ ତାଙ୍କ ପାଖରେ ଅନ୍ୟ ବିକଳ୍ପ ଅଛି ।