କଟକ,୧୪/୬: ନିମ୍ନ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ସ୍ଥାନୀୟ ଥାନା ଅଧିକାରୀଙ୍କର । ଯଦି ଥାନା ଅଧିକାରୀ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ ନ କରନ୍ତି ତାହେଲେ ବାଧ୍ୟହୋଇ କ୍ଷତିଗ୍ରସ୍ତ ବ୍ୟକ୍ତି ବା ମହିଳାମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । ଯାହାଦ୍ୱାରା ହାଇକୋର୍ଟଙ୍କ ଉପରେ ଅଯଥାରେ ମାମଲାର ପାହାଡ଼ ସୃଷ୍ଟି ହେବ । ନିମ୍ନ ଅଦାଲତଙ୍କ ଆଦେଶକୁ ସ୍ଥାନୀୟ ଥାନା ପକ୍ଷରୁ କାର୍ଯ୍ୟକାରୀ କରାଯାଉ ନାହିଁ । ପୁଲିସ ଅଧିକାରୀଙ୍କ ଏଭଳି ମନୁମୁଖି କାର୍ଯ୍ୟକୁ ନେଇ ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପୁଲିସ ଡିଜିଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ କମିସନର ଏବଂ ଜିଲ୍ଲା ଏସ୍ପି ପ୍ରତ୍ୟେକ ଥାନା ଅଧିକାରୀଙ୍କୁ ନିମ୍ନ ଅଦାଲତଙ୍କ ଆଦେଶକୁ ଯେପରି କାର୍ଯ୍ୟକାରୀ କରାଯାଏ ତାହା ପୁଲିସ ଡିଜି ନିଶ୍ଚିତ କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯାହାଦ୍ୱାରା ହାଇକୋର୍ଟ ଉପରେ ଏଭଳି ମାମଲା ଆଉ ବୋଝ ହେବ ନାହିଁ । ଏହି ପରିପ୍ରେକ୍ଷୀରେ ପୁଲିସ ଡିଜି ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ ବୋଲି ହାଇକୋର୍ଟ ଆଶାବ୍ୟକ୍ତ କରିଛନ୍ତି ।
ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳର ଜଣେ ୬୫ବର୍ଷୀୟ ବୃଦ୍ଧା ସୁବାସିନୀ ଦେଈଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ସୁବାସିନୀ ଦେଈ ଜଣେ ବ୍ୟକ୍ତିଙ୍କ ନିକଟରୁ ଜମି କିଣିବେ ବୋଲି ତାଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ନା ସୁବାସିନୀଙ୍କ ନାମରେ ଜମି କଲେ ନା ଅର୍ଥ ଫେରସ୍ତ କଲେ । ଫଳରେ ସୁବାସିନୀ ରଣପୁର ଥାନାରେ ଏନେଇ ଏଫ୍ଆଇଆର ରୁଜୁ କରିଥିଲେ । କିନ୍ତୁ ଏହାକୁ ପୁଲିସ ପଞ୍ଜୀକରଣ କରିନଥିଲା । ବାଧ୍ୟହୋଇ ସମ୍ପୃକ୍ତା ମହିଳା ପୁଲିସର ଏଭଳି ଅସହଯୋଗକୁ ନେଇ ସ୍ଥାନୀୟ ଜେଏମ୍ଏଫ୍ସିଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ଜେଏମ୍ଏଫ୍ସିଙ୍କ ଅଦାଲତ ରଣପୁର ଥାନାକୁ ବାରମ୍ବାର ନୋଟିସ୍ କରିବା ସତ୍ତେ୍ୱ ସେ ଏହାର କୌଣସି ଜବାବ ରଖିନଥିଲେ । ଏପରିକି ଅଭିଯୁକ୍ତ ବିରୋଧରେ ଜେଏମ୍ଏଫ୍ସିଙ୍କ ଅଦାଲତ ପକ୍ଷରୁ ଏନ୍ବିଡବ୍ଲୁ ଜାରି କରାଯାଇଥିଲା । କିନ୍ତୁ ଏହି ଏନ୍ବିଡବ୍ଲୁକୁ ପୁଲିସ କାର୍ଯ୍ୟକାରୀ କରିନଥିଲା । ଫଳରେ ସୁବାସିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ । ରାଜ୍ୟ ସରକାର ଜବାବ ଦାଖଲ କରି ଦର୍ଶାଇଥିଲେ ଯେ, ରଣପୁର ଥାନା ପକ୍ଷରୁ ଉକ୍ତ ମାମଲାକୁ ପଞ୍ଜୀକରଣ କରାଯାଇ ସରିଛି । କିନ୍ତୁ କ’ଣ ପାଇଁ ନିମ୍ନ ଅଦାଲତଙ୍କ ଆଦେଶକୁ ରଣପୁର ଥାନା କାର୍ଯ୍ୟକାରୀ କରିନଥିଲା ଏବଂ ମାମଲା ଏତେ ବିଳମ୍ବରେ କ’ଣ ପାଇଁ ପଞ୍ଜୀକରଣ କରାଗଲା ତାହା ଉପରେ ହାଇକୋର୍ଟ ରିପୋର୍ଟ ଲୋଡ଼ିଥିଲେ । ନିମ୍ନ ଅଦାଲତଙ୍କ ଆଦେଶ ମିଳୁ ନଥିବାରୁ ତାହାକୁ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ ବୋଲି ରଣପୁର ଥାନା ପକ୍ଷରୁ ଜବାବରେ କୁହାଯାଇଥିଲା । ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଜେଏମ୍ଏଫ୍ସିଙ୍କ ଆଦେଶର ପ୍ରାୟ ୮ ମାସ ପରେ ରଣପୁର ଥାନା ପକ୍ଷରୁ ମାମଲାକୁ ପଞ୍ଜୀକରଣ କରାଯାଇଛି । ଫାଇଲ୍ ହଜିଯାଉଥିବାରୁ ବା ପାଉ ନ ଥିବାରୁ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଯେଉଁ ଆଳ ପୁଲିସ ପକ୍ଷରୁ ନିଆଯାଇଛି ତାହାକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି । କେବଳ ଏହି ଗୋଟିଏ ମାମଲା ନୁହେଁ ପୁଲିସର ଏଭଳି ଅସହଯୋଗକୁ ନେଇ ଶହ ଶହ ମାମଲା ହାଇକୋର୍ଟକୁ ଆସୁଛି । ନିମ୍ନ ଅଦାଲତଙ୍କ ଆଦେଶ ସ୍ଥାନୀୟ ପୁଲିସ ଦ୍ୱାରା ଜାଣିଶୁଣି କାର୍ଯ୍ୟକାରୀ ହେଉ ନଥିବା ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରି ପୁଲିସ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଉମାକାନ୍ତ ସାହୁ ମାମଲା ପରିଚାଳନା କରୁଥିଲେ ।
ଅଧିକ ପଢନ୍ତୁ- ସରପଞ୍ଚ ଚାମେଲି ଓଝା ଜେଲ୍ ଯିବା ଘଟଣା; ଆଇନମନ୍ତ୍ରୀ କହିଲେ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର, ଦୋଷୀଙ୍କ ବିରୋଧ ହେବ କାର୍ଯ୍ୟାନୁଷ୍ଠାନ