ବ୍ରହ୍ମପୁର, ୧୩।୭(ବ୍ୟୁରୋ): କେବିସି ଲଟେରୀ ଜିତିଥିବା କହି ବୟସ୍କ ମହିଳାଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକେଇ ହୋଇଛି। ଏ ନେଇ ମହିଳା ଜଣଙ୍କ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, କୌନ ବନେଗା କରୋଡପତି(କେବିସି)ରୁ କହୁଥିବା ପରିଚୟ ଦେଇ ମହିଳାଙ୍କୁ ଜଣେ ଫୋନ କରିଥିଲେ। ଏପରିକି କେବିସି ଲଟେରୀ ଜିତିଥିବା ମହିଳାଙ୍କୁ ଜଣାଇଥିଲେ। ଟଙ୍କା ଜିତିଥିବା ପ୍ରଲୋଭନ ଦେଖାଇବା ପରେ କିଛି ସହଜ ପ୍ରଶ୍ନୋତ୍ତର କରିଥିଲେ। ଏହାପରେ ଜିତିଥିବା ଟଙ୍କା ପାଇବାକୁ ହେଲେ ତାଙ୍କୁ କିଛି ତଥ୍ୟ ଦେବାକୁ ପଡିବ ବୋଲି କହିଥିଲେ। ମହିଳା ଜଣଙ୍କ ନିଜ ବ୍ୟାଙ୍କ୍ ତଥ୍ୟ ଦେଇଥିଲେ। ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ପର୍ଯ୍ୟାୟକ୍ରମେ ୩୨ ଲକ୍ଷ ଟଙ୍କା ଉଭାନ ହୋଇ ଯାଇଥିଲା। ସେ ବ୍ୟାଙ୍କ କୁ ଯାଇ ପଚରାଉଚରା କରିଥିଲେ। ମହିଳା ଠକେଇର ଶିକାର ହୋଇଥିବା ବ୍ୟାଙ୍କ କର୍ମଚାରୀ ଜଣାଇଥିଲେ। ଏ ନେଇ ମହିଳା ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଗାୟତ୍ରୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ : ଆସନ୍ତା ୪ ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା : ସିଇସି