ପୁରୀ,୨୫/୧୦: ସାମୁଦ୍ରିକ ଝଡ଼ ‘ଦାନା’କୁ ମୁକାବିଲା କରିବା ପାଇଁ ଅନେକ ନିୟମ ଲାଗୁ କରିଥିଲା ପ୍ରଶାସନ । ସେଥିମଧ୍ୟରୁ ଜୀବନକୁ ବାଜି ଲଗାଇ କେହି  ବାହାରକୁ ନଆସି ଘର ଭିତରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।  ବର୍ଷା ଓ ପବନରେ ବାହାରେ ବୁଲି ରିଲ୍ସ ନକରିବାକୁ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ  ନିବେଦନ କରିଥିଲେ । କିନ୍ତୁ ଏହାକୁ ଅମାନ୍ୟ କଲେ ଅନେକ ଅମାନିଆ । 

ଗୁରୁବାର ସମୁଦ୍ର ବେଳାଭୂମିରୁ ବାଲୁଖଣ୍ଡ ଅଭୟାରଣ୍ୟ ଯାଏଁ ଅମାନିଆମାନେ ବୁଲି ରିଲ୍ସ  କରିବାରେ ମାତିଥିଲେ । ବେଳାଭୂମିରେ ପୁଲିସ ଏହି ଅମାନିଆଙ୍କୁ ବାରଣ କରିଥିଲା ।  ତଥାପି ଯେଉଁ ଅଞ୍ଚଳରେ ପୁଲିସ ନଜର ରହୁନଥିଲା ସେଠାକୁ ଯାଇ ସମୁଦ୍ର ସହ  ସେଲ୍ଫି ନେବା ସହ ରିଲ୍ସ ମଧ୍ୟ ପ୍ରସ୍ତୁତ କରିଥିଲେ । ବାତ୍ୟାର ପ୍ରଭାବରେ ବେଳାମାର୍ଗରେ  ଯାନବାହନ ଯାତାୟତ ନଥିଲା । ତେଣୁ ଅମାନିଆମା ଚିକ୍କଣିଆ ରାସ୍ତା ସାଙ୍ଗକୁ ପବନରେ  ଦୋଳାୟମାନ ବୃକ୍ଷମାନଙ୍କ ସହ ରିଲ୍ସ ପ୍ରସ୍ତୁତ କରିବାରେ ମଜ୍ଜି ଯାଇଥିବା ଦେଖିବାକୁ  ମିଳିଥିଲା । ଏପରିକି ବେଳାମାର୍ଗର ନୂଆନଈର ୨ଟି ବ୍ରିଜ୍‌ ଓ ଲିଆଖିଆ ବ୍ରିଜ୍‌ ଉପରେ  ମଧ୍ୟ ଅମାନିଆଙ୍କ ଉତ୍ପାତ ସୀମା ଟପିଥିବା ଦେଖିବାକୁ ମିଳିଥିଲା । ବାତ୍ୟାର ପ୍ରଭାବରେ  ବର୍ଷା ଓ ପବନର ମଜ୍ଜା ନେବାକୁ ବହୁ ରିଲ୍ସ ପ୍ରେମୀମାନେ ପଦାରେ ବୁଲିଥିଲେ ।