PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରେଳ ଷ୍ଟେସନ ଭିଡିଓ ଭାଇରାଲ: ବଟି ଆଦାୟ କରୁଛି ଜିଆରପି ଓ ଆର୍‌ପିଏଫ୍‌, ଏଥିରେ ଟିଟିଇ ବି ସାମିଲ!

ଭୁବନେଶ୍ୱର୨୬/୦୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନରେ ଖୋଲାଖୋଲି ଭାବେ ବଟି ଆଦାୟ ହେଉଛି । ଗୁଣ୍ଡା କି ଅସାମାଜିକ ନୁହନ୍ତି, ଏହି ବଟି ଆଦାୟ କରୁଛନ୍ତି ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଖୋଦ ଜିଆରପି ଓ ଆରପିଏଫ୍‌ ପୁଲିସ । ଯେଉଁ ରେଳଯାତ୍ରୀ ବଟି ନ ଦେଲା ତାଙ୍କ ବେଳା ଖରାପ । ପୁଲିସ୍‌ ସଂପୃକ୍ତ ଯାତ୍ରୀଙ୍କ ଟିକେଟ୍‌ ଛଡ଼ାଇ ନେଇ ଟ୍ରେନ୍‌ ଫେଲ୍‌ କରି ଦେଉଛନ୍ତି । ଯିଏ ପ୍ରତିବାଦ କଲା ଥାନାରେ ଘଣ୍ଟା ଘଣ୍ଟା ବସିଲା । ଏଭଳି ଦାଦା ବଟି ଦୀର୍ଘ ବର୍ଷ ହେବ ଆଦାୟ ଚାଲିଛି । ବରିଷ୍ଠ ପୁଲିସ୍‌ କର୍ମଚାରୀ ସବୁ ଜାଣି ନ ଜାଣିଲା ଭଳି ରହୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଆରପିଏଫ୍‌ ଓ ଜିଆରପି କର୍ମଚାରୀମାନଙ୍କ ଟଙ୍କା ଆଦାୟର ୪ ଟି ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଏହି ଭିଡିଓ ଗତ ସପ୍ତାହରେ ଉତ୍ତୋଳିତ ବୋଲି ଜଣାପଡ଼ିଛି ।

 ପ୍ରମେୟର ଅନୁସନ୍ଧାନ

ବଟି ଆଦାୟ ଭିଡିଓ ଦେଖିବା ପରେ ଷ୍ଟେସନରେ କ’ଣ ଚାଲିଛି ତାହା ଜାଣିବା ଲାଗି ପ୍ରମେୟ ଟିମ୍‌ ଦୁଇଦିନ ଷ୍ଟେସନର ସବୁ ପ୍ଲାଟ୍‌ଫର୍ମରେ ବୁଲି ଯାଞ୍ଚ କରିଥିଲେ । ସେଥିରୁ ଜଣାପଡ଼ିଛି ଷ୍ଟେସନରେ ଥିବା ରକ୍ଷକ ଏବେ ଭକ୍ଷକ ସାଜିଛି । ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କୁ ଟାର୍ଗେଟ କରି ସେମାନଙ୍କ ଠାରୁ ବଟି ଆଦାୟ କରୁଛନ୍ତି । ଏମିତି ଲୁଟୁଛନ୍ତି ଯେ ଯାତ୍ରୀମାନେ ନାକେଦମ ହେଲେଣି । ମଙ୍ଗଳବାର ଭୋର ସାଢ଼େ ୪ଟାରେ ଆମେ ପହଞ୍ଚିଥିଲୁ ଷ୍ଟେସନରେ ପଛ ପଟ ଟିକେଟ୍‌ କାଉଣ୍ଟରରେ । ୫ଟା ବେଳେ ପ୍ରଶାନ୍ତି ଏକ୍ସପ୍ରେସ୍‌ ଛାଡ଼ିବ ବୋଲି ଟିକେଟ୍‌ କାଉଣ୍ଟରରେ ପ୍ରବଳ ଭିଡ଼ ଲାଗିଥିଲା । ଯାତ୍ରୀମାନେ ଧାଡ଼ି ଲଗାଇ ଟିକେଟ୍‌ କରୁଥିଲେ । ସେଠାରେ ଜଣେ ଆରପିଏଫ୍‌ କନଷ୍ଟେବଳ ଠିଆ ହୋଇଥିଲେ । ଯେଉଁ ବ୍ୟକ୍ତି ୫ଟାରୁ ଅଧିକ ଜେନେରାଲ୍‌ ଟିକେଟ୍‌ କରୁଥିଲା ତାକୁ ନଜର ରଖି ପିଛା କରୁଥିଲେ । ଟ୍ରେନ୍‌ ଚଢ଼ିବା ପୂର୍ବରୁ ଟିଟିଇଙ୍କ ଭଳି ସେ ଯାଞ୍ଚ ପାଇଁ ଟିକେଟ୍‌ ମାଗୁଥିଲେ । ଯାତ୍ରୀ ଜଣଙ୍କ ପୁଲିସ ହାତକୁ ଟିକେଟ୍‌ ଦେବା ପରେ ବଟି ଦେବାକୁ ତାଙ୍କୁ ନାକେଦମ କରୁଥିଲେ ।

ଏହି ସମୟରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବେଣାପୁର ଅଞ୍ଚଳର ପ୍ରକାଶ ସାହୁ ବାଙ୍ଗାଲୋର ଯିବା ପାଇଁ ୧୧ ଟି ଟିକେଟ୍‌ କରି ୬ ନମ୍ବର ପ୍ଲାଟ୍‌ଫର୍ମରେ ଅନ୍ୟ ସାଥୀମାନଙ୍କ ପାଖକୁ ଯାଉଥିଲେ । ସଙ୍ଗେସଙ୍ଗେ ଜଣେ ଆରପିଏଫ୍‌ କର୍ମଚାରୀ ପ୍ରକାଶଙ୍କୁ ଧରି ଟିକେଟ୍‌ ମାଗିଥିଲେ । ପ୍ରକାଶ ତାଙ୍କୁ ଟିକେଟ୍‌ ଦେଖାଇଥିଲେ । ଏତେ ଟିକେଟ୍‌ କ’ଣ ପାଇଁ କରିଛୁ ବୋଲି ପ୍ରଶ୍ନ କରିଥିଲେ । ପ୍ରକାଶ କହିଥିଲେ ମୋ ସାଙ୍ଗମାନେ ଅଛନ୍ତି । ଆରପିଏଫ୍‌ କର୍ମଚାରୀ ଜଣଙ୍କ ହଠାତ୍‌ ତାଙ୍କୁ କହିଥିଲେ ତୁ’ ବାଙ୍ଗାଲୋରକୁ ଲେବର ସପ୍ଲାଏ କରୁଛୁ । ଚାଲ୍‌ ଥାନାକୁ … । ଆମକୁ ଦେଖି ସଂପୃକ୍ତ ଆରପିଏଫ୍‌ କର୍ମଚାରୀ କହିଥିଲେ କ’ଣ ଶୁଣୁଛ… ସିଆଡ଼େ ଯାଅ । ପ୍ରକାଶଙ୍କୁ ଧମକ ଦେଇ ସଂପୃକ୍ତ ପୁଲିସ ଥାନାକୁ ନେଇଥିଲେ । ସେ ତାଙ୍କୁ କାକୁତି ମିନତି ହେଲେ ବି କେହି କିଛି ଶୁଣିନଥିଲେ । ୫ ମିନିଟ୍‌ ପରେ ପ୍ରକାଶ ଫେରିଥିଲେ । ପ୍ରକାଶଙ୍କୁ ଆମେ ଘଟଣା ବିଷୟରେ ପଚାରିଥିଲୁ ।

ସେ କହିଲେ ଆରପିଏଫ୍‌ ପୁଲିସ ଥାନାକୁ ନେବା ବାଟରେ ମୋତେ ୩ ହଜାର ଟଙ୍କା ମାଗିଥିଲେ । ମୁଁ ୨ ହଜାର ଦେଲା ପରେ ସେ ଛାଡ଼ିଦେଲେ । ଏହାପରେ ପ୍ଲାଟ୍‌ଫର୍ମରେ ୧ରେ ଥିବା ଜିଆରପି ଥାନାରେ ୫ ଜଣ ଯୁବକ ବସିଥିବା ଦେଖା ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବଡ଼ପାଟିରେ କାନ୍ଦୁଥିଲେ । କାନ୍ଦୁଥିବା ଯୁବକଙ୍କୁ ଜିଆରପି କନଷ୍ଟେବଳ ଛାଡି ଦେଇଥିଲେ । ଉକ୍ତ ଯୁବକଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେ କହିଥିଲେ ଆମେ ୬ଜଣ ଆନ୍ଧ୍ରପ୍ରଦେଶ ଯିବୁ । ମୁଁ ସମସ୍ତଙ୍କ ଟିକେଟ କରି ସେମାନଙ୍କୁ ବାଣ୍ଟି ଦେଲି । ପୁଲିିସ ମୋତେ ଧରିଆଣି ମୋ ଟିକେଟ୍‌ ନେଇଗଲେ । କହିଲେ ତୁ ଲେବର ଚାଲାଣ କରୁଛୁ । ମୁଁ ଥାନାରେ କାନ୍ଦିଲି ବୋଲି ଛାଡ଼ିଦେଲେ । ନ ହେଲେ ଟଙ୍କା ନେଇଥାନ୍ତେ । ଗଲାଥର ୨ ହଜାର ଟଙ୍କା ଦେଇଥିଲି ।

ଖୋଳତାଡ଼ କରିବାକୁ ଜଣାପଡ଼ିଲା ଯେ ଷ୍ଟେସନରେ ଥିବା ୬ଟି ପ୍ଲାଟଫର୍ମକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ୩ ଟି ଜିଆରପି ଓ ୩ ଟି ଆରପିଏଫ୍‌ ଭାଗରେ ପଡିଛି । ଦୈନିକ ଏମାନେ ୩୦ରୁ ୫୦ ହଜାର ଟଙ୍କା ବଟି ଆଦାୟ କରୁଛନ୍ତି । ଏମାନଙ୍କର ବଟି ଆଦାୟ କରିବା ସମୟ ରାତି ୧୦ରୁ ସକାଳ ୮ ଟା । ଟିଟିଇ ମଧ୍ୟ ଘଟଣା ବିଷୟରେ ସବୁ ଜାଣିଛନ୍ତି । ସେମାନେ ମଧ୍ୟ ଏମିତି ଅସାଧୁ ଢଙ୍ଗରେ ଟଙ୍କା ଆଦାୟ କରୁଛନ୍ତି । ଏହା ଛଡ଼଼ା ଟ୍ରେନ୍‌ରେ ଚା’, ବାଦାମ, କାକୁଡ଼ି, କଦଳୀ ଭଳି ଜିନିଷପତ୍ର ବିକୁଥିବା ବୁଲାବିକାଳୀଙ୍କ ଠାରୁ ଦୈନିକ ୫୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି ଆରପିଏଫ୍‌ ପୁଲିସ । ଏ ସବୁ ଘଟଣା ବିଷୟରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଜାଣିଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ କାହାର ହାତ ଯାଉନି ।