ସୁନ୍ଦରଗଡ଼, ୩୧/୫(ଜୟକୃଷ୍ଣ ସେଠ୍‌): ବିଷ୍ଣୁ (ଛଦ୍ମନାମ) । ସକାଳ ହେଲେ ନିଶାଡ଼ି ଖୋଜିଖୋଜି ପହଞ୍ଚି ଯାଉଥିଲେ ତାଙ୍କ ପାଖରେ । ଦେଶୀ ମଦ ପିଇ ମାତାଲ୍‌ ହୋଇ ଫେରୁଥିଲେ । ଏହାପରେ ଘରେ ଆରମ୍ଭ ହୋଇଯାଉଥିଲା ଯାବତୀୟ ବିଶୃଙ୍ଖଳା । ମଦ ବେପାରୀ ବିଷ୍ଣୁଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ସାହସ କରିପାରୁ ନ ଥିଲେ । କିନ୍ତୁ ତାଙ୍କ ପ୍ରତି ଅନେକଙ୍କ ମନରେ କୁହୁଳୁଥିଲା କ୍ଷୋଭ ଓ ଅସନ୍ତୋଷ । ଏବେ କିନ୍ତୁ ଚିତ୍ର ଅଲଗା । ସୁନ୍ଦରଗଡ଼ ସହର ରାସ୍ତାକଡ଼ରେ ଦଣ୍ଡି ଧରି ପରିବା ବିକୁଛନ୍ତି ବିଷ୍ଣୁ । ବଦନାମ ଗଳିରୁ ବାହୁଡ଼ି ସମ୍ମାନର ସହ ମୁଣ୍ଡ ଟେକି ଚାଲୁଛନ୍ତି । ତାଙ୍କ ବ୍ୟବହାରରେ ଏବେ ଆକାଶ-ପାତାଳ ତଫାତ୍‌ । ବିଷ୍ଣୁ ଏବେ ସମସ୍ତଙ୍କ ପ୍ରିୟ ପରିବା ବ୍ୟବସାୟୀ ।

ଝାରମୁଣ୍ଡା ଅଞ୍ଚଳର ସୁଲୋଚନା (ଛଦ୍ମନାମ) । କେବେ ମଦ ବିକିଲେ ଚଳୁଥିଲା ତାଙ୍କ ପରିବାର । ଏଥିପାଇଁ ତାଙ୍କୁ ଏବଂ ପରିବାରକୁ ଭିନ୍ନ ନଜରରେ ଦେଖାଯାଉଥିଲା । ପିଲାମାନେ ଅପନିନ୍ଦିତ ହେଉଥିଲେ । କିନ୍ତୁ ନିଶାର ଭୟାବହ ପରିଣାମ ଜାଣିବା ପରେ ସେ ଏଭଳି ବେଆଇନ ବୃତ୍ତିରୁ ଦୂରେଇ ଯାଇଛନ୍ତି । ଛୋଟ ପରିବା ଦୋକାନ କରିଛନ୍ତି । ରୋଜଗାର ଯଦିଓ କମ୍‌ ହେଉଛି ତଥାପି ପରିବାର ଶାନ୍ତି ଓ ସମ୍ମାନର ସହ ବଞ୍ଚୁଛନ୍ତି । କେବଳ ବିଷ୍ଣୁ କିମ୍ବା ସୁଲୋଚନା ନୁହନ୍ତି ଏମାନଙ୍କ ଭଳି ୪୦ରୁ ଉର୍ଦ୍ଧ୍ବ କୋଚିଆ ମଦ ବେପାରୀ ନିଶା ସାମ୍ରାଜ୍ୟରୁ ମୁଖ୍ୟସ୍ରୋତକୁ ବାହୁଡ଼ିଛନ୍ତି ।

ନିଶାମୁକ୍ତିର ପଣ କରିଥିବା ପ୍ରଧାନ ଶିକ୍ଷକ ଧନଞ୍ଜୟ ନାଏକ ଏଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ବାବାଜୀଙ୍କ ଭଳି ପାଚିଲା ଲମ୍ବା ଦାଢ଼ି । କାନ୍ଧ ପର୍ଯ୍ୟନ୍ତ ଲମ୍ବା ଚୁଟି । କାନ୍ଧରେ ଝୁଲା ବ୍ୟାଗ୍‌ । ଯାଯାବର ଭଳି ଦେଖାଯାଉଥିବା ଧନଞ୍ଜୟ ସାର୍‌ଙ୍କ ଚେହେରାରୁ କେହି ତାଙ୍କ ଅଟଳ ଲକ୍ଷ୍ୟର କଳନା କରି ପାରିବେନି । ୫୮ ବର୍ଷୀୟ ମଣିଷଙ୍କ ସହ ଥରେ ଯିଏ ମିଶିଛି ସେ ଆପଣାଛାଏଁ ବାନ୍ଧି ହୋଇଯାଇଛି ତାଙ୍କ ଆପଣାପଣ ଓ ଆତ୍ମୀୟତାରେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଜରଙ୍ଗଲୋଇର ଧନଞ୍ଜୟ ଏବେ ସାଲବିରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଦାଢ଼ିଆ ଆଜ୍ଞା ଭାବେ ବେଶ୍‌ ପରିଚିତ । ଦିନତମାମ କାଟନ୍ତି ବିଦ୍ୟାଳୟରେ । ସାମାନ୍ୟ ଫୁରସତ୍‌ କିମ୍ବା ଛୁଟି ମିଳିଲେ ମାତିଉଠନ୍ତି ନିଶାମୁକ୍ତି ଅଭିଯାନରେ । ଘର ଘର ବୁଲି ଲୋକଙ୍କୁ ମଦ ନ ପିଇବାକୁ ବୁଝାନ୍ତି । ମଦ ବେପାରୀଙ୍କୁ ଏଭଳି କାମ ଛାଡ଼ି ଦେବାକୁ ନିବେଦନ କରନ୍ତି । ତାଙ୍କର ନିରନ୍ତର ଉଦ୍ୟମରେ ବଡ଼ଗାଁ ନିଶାମୁକ୍ତି କ୍ଷେତ୍ରରେ ଆଗକୁ ବଢୁଛି । ବଡ଼ଗାଁ ଅଞ୍ଚଳରେ କୁଟୀରଶିଳ୍ପ ପାଲଟିଥିଲା ଚୋରା ମଦ ବେପାର । ନିଶା କାରବାର ଅଞ୍ଚଳର ଅର୍ଥନୀତିକୁ ଗଭୀର ପ୍ରଭାବିତ କରୁଥିଲା । ପାରିବାରିକ ଅଶାନ୍ତି ସାଙ୍ଗକୁ ଅସାମାଜିକ କାର୍ଯ୍ୟ ବଢୁଥିଲା । ଖାତାକଲମ ଧରିବା ବୟସରେ କୋମଳମତି ପିଲାମାନେ ମଦ ବୋତଲ ଧରୁଥିଲେ ।

ମଦ୍ୟପାନରୁ ଦୁରାରୋଗ୍ୟ ବ୍ୟାଧି ମାଡ଼ି ବସୁଥିଲା । ଘରର ରୋଜଗାରିଆ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିବା ପରେ ମାଡ଼ି ଆସୁଥିଲା ବିପତ୍ତି । ନିଶାର ଏଭଳି ଭୟଙ୍କର ରୂପକୁ ହୃଦୟଙ୍ଗମ କରିଥିଲେ ଧନଞ୍ଜୟ । ଏହାପରେ ଅଞ୍ଚଳରୁ ନିଶା ହଟାଇବାକୁ ସଂକଳ୍ପ ନେଇଥିଲେ । ୧୯୮୬ରୁ ସେ ସାଜିଛନ୍ତି ନିଶାମୁକ୍ତି ଆନ୍ଦୋଳନର ଅଗ୍ରଣୀ ସାରଥୀ । ତାଙ୍କର ନିରନ୍ତର ଉଦ୍ୟମରେ ୪୦ରୁ ଅଧିକ ଚୋରା ମଦ ବ୍ୟବସାୟୀ ମୁଖ୍ୟସ୍ରାତରେ ସାମିଲ ହୋଇଛନ୍ତି । ସେମାନେ ଏବେ ସମ୍ମାନଜନକ ବୃତ୍ତିରେ ନିୟୋଜିତ ହୋଇ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି । ଏକଦା ଚୋରା ମଦ ବେପାରୀ ଭାବେ ଦୁର୍ନାମ ମୁଣ୍ଡାଇଥିବା ସାଲବିରା ଅଞ୍ଚଳର ବ୍ରଜବନ୍ଧୁ (ଛଦ୍ମନାମ) କହିଛନ୍ତି, ମଦ ବିକିବା ଅପରାଧରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା । ଜେଲ୍‌ରୁ ଫେରିବା ପରେ ଏହି କାରବାର ଛାଡ଼ି ଦେଇବାକୁ ଧନଞ୍ଜୟ ସାର୍‌ ପରାମର୍ଶ ଦେଇଥିଲେ । ତାଙ୍କ କଥା ମାନି ମଦ ବେପାର ଛାଡ଼ିଦେଲେ । ଏବେ ଏକ ପୁରୁଣା ଟ୍ରକ୍‌ କିଣି ଚଳାଉଛନ୍ତି । ଭଲ ରୋଜଗାର ହେଉଛି । ଜୀବନ ଥିବା ଯାଏ ଅସାମାଜିକ କାମ ନ କରିବାକୁ ଶପଥ ନେଇଛନ୍ତି ।

ଧନଞ୍ଜୟ ସାର୍‌ଙ୍କ ନିଶା ନିବାରଣ ଅଭିଯାନ ସୁଦୂରପ୍ରସାରୀ ହୋଇପାରିଛିଛି । ଅନେକ ଯୁବକ ନିଶାକୁ ନାଁ କରି ତାଙ୍କ ସହ ଯୋଡ଼ି ହୋଇଛନ୍ତି । ତାଙ୍କ ଉଦ୍ୟମରେ ମଦମୁକ୍ତି ପାଇଁ ଗଢ଼ା ହୋଇଛି ‘ଯୁବକ ସଂଘ’ । ସଦର ବ୍ଲକ ଧରୁଆଡ଼ିହିସ୍ଥିତ ‘ସିଂହବାହିନୀ ୟୁଥ୍‌ କ୍ଲବ’ ସହ ସେ ଯୋଡ଼ିହୋଇ ନିଶା ବିରୋଧୀ ଆନ୍ଦୋଳନକୁ ଆହୁରି ବ୍ୟାପକ କରିଛନ୍ତି । ଶତାଧିକ ମହିଳା ଗୋଷ୍ଠୀ ଏବେ ଏହି ରାସ୍ତାରେ ଆଗକୁ ବଢୁଛନ୍ତି । ବ୍ଲକର ଜରଙ୍ଗଲୋଇ, ତିଲେଇମାଲ, ବେହେରାମାଲ, ଝାରମୁଣ୍ଡା, ବାଗବୁଡ଼, ମକୁସ୍ତୁନା, ସାଲବିରାରେ ମଦ ବିରୋଧୀ ଆନ୍ଦୋଳନକୁ ବଳ ମିଳିଛି । ନିଜର ଦୃଢ଼ ସଂକଳ୍ପ ସମ୍ପର୍କରେ ଧନଞ୍ଜୟ କୁହନ୍ତି, ୧୯୯୭ରେ ୟୁଥ କ୍ଲବ ସମ୍ପାଦକ ଡିଲେଶ୍ୱର ଦଣ୍ଡସେନା ଏବଂ ଏହାର କିଛିଦିନ ପରେ ତତ୍କାଳୀନ କୁଲଟା ପଞ୍ଚାୟତର ସମିତିସଭ୍ୟା ତଥା ନିଶା ନିବାରଣ ଆନ୍ଦୋଳନର ଅନ୍ୟତମ ନେତ୍ରୀ ଊର୍ମିଳା କୁଅଁରଙ୍କୁ ଚୋରା ମଦ ବେପାରୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ତାଙ୍କ ପାଇଁ ଶକ୍ତ ଧକ୍କା ଥିଲା । ହେଲେ ସେ ଲକ୍ଷ୍ୟରୁ ହଟି ନ ଥିଲେ । ମଦ ବିରୋଧରେ ସ୍ୱର ଉଠାଇ ଅନେକ ମିଥ୍ୟା ମାମଲାରେ ଫସିଛନ୍ତି । ବଡ଼ବଡ଼ିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ନିଶା ନିବାରଣରେ ଅଧା ଦରମା ଖର୍ଚ୍ଚ ହେଉଛି । ତଥାପି ଏହି କାର୍ଯ୍ୟ ଗଭୀର ଆତ୍ମସନ୍ତୋଷ ଦେଉଛି । କିନ୍ତୁ ଏବେ ଆଉ ଏକ ସମସ୍ୟା ଦେଖାଦେଇଛି । ପରିସ୍ଥିତିରେ ପଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ଅନେକ ବ୍ୟକ୍ତି ପୁଣି ମଦ ବେପାର ଆଡ଼କୁ ମୁହାଁଉଛନ୍ତି । ଏଥିରେ ଅଞ୍ଚଳର ନିଶା ମାଫିଆଙ୍କ ହାତ ରହୁଛି । ଜିଲ୍ଲା ପ୍ରଶାସନ, ପୁଲିସ୍‌ ପ୍ରଶାସନ, ଅବକାରୀ ବିଭାଗର ସହାୟତା ମିଳିଲେ ଯାଇ ଅଞ୍ଚଳରୁ ନିଶା ହଟିପାରିବ । ଅବସର ପରେ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ପ୍ରତିଜ୍ଞାବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଧନଞ୍ଜୟଙ୍କ ପରିବାରରେ ୪ ସଦସ୍ୟ । ସ୍ତ୍ରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଏମ୍‌ବିବିଏସ୍‌ ଏବଂ ଅନ୍ୟ ଜଣେ କମ୍ପ୍ୟୁଟର ସାଇନ୍ସରେ ଅଧ୍ୟୟନ କରୁଛନ୍ତି ।

ଅଧିକ ପଢ଼ନ୍ତୁ- OPS Reshuffle : ଓଡ଼ିଶା ପୋଲିସରେ ବଡ଼ ଧରଣର ଅଦଳବଦଳ: ୫୮ ଜଣ ଓପିଏସ ଅଧିକାରୀଙ୍କୁ ବଦଳି