ଦଶରଥପୁର/ମଙ୍ଗଳପୁର/ଝୁମ୍ପୁରୀ,୦୩/୦୫: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ରେ ଦହିବରା ଖାଇ ଝାଡ଼ାବାନ୍ତି ବ୍ୟାପିଛି । ୭ଟି ଗ୍ରାମରୁ ଶହେରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।ସେଭିତରେ ୪୨ ଶିଶୁ ଥିବା ବେଳେ ୫୦ ଜଣ ବଡ଼ ଲୋକ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ବେଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ପାଟପୁର ଗ୍ରାମ ନିଆରୀ ସାହିର ସୁନ୍ଦରୀ ବେୱା(୭୨) । ୧୫ଜଣ ମହିଳା ଓ ୫ଜଣ ଶିଶୁ ଜିଲ୍ଲା ମେଡିକାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ଦଶରଥପୁର ଓ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଛି।

ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହିର ଦହିବରା ବ୍ୟବସାୟୀ ଗୁରୁଡ଼ା ସାହୁ। ଶୁକ୍ରବାର ସକାଳେ ଜୟନ୍ତରା ପଞ୍ଚାୟତର ପାଟପୁର, ଜୁନିନ୍ଦା, ବନ୍ଧସାହି, କଟିକଟା, ଚମ୍ପେଇପାଳ, କଳିଙ୍ଗପୁର ଗ୍ରାମରେ ବୁଲି ଦହିବରା ଆଳୁଦମ ବିକ୍ରି କରିଥିଲେ । ସନ୍ଧ୍ୟାରେ ଏହି ସବୁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା । ରାତିପାହିଲା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ସୁନ୍ଦରୀ ବେୱା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସାମାନ୍ୟ ସୁସ୍ଥ ହେବାରୁ ସେ ଡାକ୍ତରଖାନାରୁ ଔଷଧ ଧରି ଘରକୁ ଚାଲି ଆସିଥିଲେ । ଘରେ ଅପରାହ୍ଣ ପ୍ରାୟ ୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ :- ଦହିବରା ଖାଇ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ: ୩୦ଜଣ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସନ୍ଧ୍ୟାରେ ଜିଲ୍ଲା ମେଡିକାଲ୍‌ରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସିଡିଏମ୍ଓଙ୍କ ସହ ଆଲୋଚନା କରିଥିଲେ । ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି ।