ହ୍ୟୁଷ୍ଟନ,ଆମେରିକା/ ମୁମ୍ବାଇ,ଭାରତ ୨୧/୦୪: ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ (ଡିଏଆଇଏସ), ମୁମ୍ବାଇର ଦୁଇଟି ରୋବୋଟିକ୍ସ ଦଳ ଟିମ୍‌ ମାଟ୍ରିକ୍ସ ଏବଂ ଟିମ୍‌ ୟୁରେକା ଫାଷ୍ଟ ଟେକ୍‌ ଚ୍ୟାଲେଞ୍ଜ ବିଶ୍ୱ ଚାମ୍ପିଅନସିପ ୨୦୨୫ରେ ଇତିହାସ ସୃଷ୍ଟି କରିଛନ୍ତି। ଉଭୟ ଦଳ ଫାଇନାଲରେ ପରସ୍ପରର ମୁହାଁମୁହିଁ ହୋଇଥିଲେ ଏବଂ ଟିମ୍‌ ମାଟ୍ରିକ୍ସ ବିଜୟୀ ହୋଇ ଭାରତକୁ ପ୍ରଥମ ଥର ପାଇଁ ଟାଇଟଲ ଦେଇଥିଲେ ।

ଏହି ପ୍ରତିଯୋଗିତା ଆମେରିକାର ହ୍ୟୁଷ୍ଟନରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ୩୦ରୁ ଅଧିକ ଦେଶର ୨୫୬ ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିଥିଲେ । ଟିମ୍‌ ମାଟ୍ରିକ୍ସ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲା ଏବଂ ଫାଇନାଲରେ ମୋଟ ୫୪୧ ପଏଣ୍ଟ ସ୍କୋର କରିଥିଲା । ଏହା ଥିଙ୍କ ପୁରସ୍କାରରେ ଦ୍ୱିତୀୟ ସ୍ଥାନ ମଧ୍ୟ ଅଧିକାର କରିଥିଲା । ଟିମ୍‌ ୟୁରେକା ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ଏବଂ କନେକ୍ଟ ପୁରସ୍କାର ଜିତିଥିଲା ।

ଭାରତରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଉଭୟ ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ ଏବଂ ଅନେକ ରେକର୍ଡ ଭାଙ୍ଗିଥିଲେ। ଡ଼ିଏଆଇଏସରେ ରୋବୋଟିକ୍ସ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା, ଏବଂ ମାତ୍ର କିଛି ବର୍ଷ ମଧ୍ୟରେ, ସ୍କୁଲର ଦଳଗୁଡ଼ିକ ଜାତୀୟ ଏବଂ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଚମକ ଦେଖାଇବା ଆରମ୍ଭ କରିଛନ୍ତି ।

ଏହି ଅବସରରେ, ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀ କହିଛନ୍ତି: "ଏହା ଆମ ସମସ୍ତଙ୍କ ପାଇଁ, ଡ଼ିଏଆଇଏସ ଏବଂ ଭାରତ ପାଇଁ ଏକ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ । ଆମର ଉଭୟ ଏଫଟିସି ଦଳ, ଟିମ୍‌ ମାଟ୍ରିକ୍ସ ଏବଂ ଟିମ୍‌ ୟୁରେକା, ଫାଇନାଲରେ ପହଞ୍ଚି ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରେ ପରସ୍ପର ବିପକ୍ଷରେ ପ୍ରତିଯୋଗିତା କରିଥିଲେ । ଏହା ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅନନ୍ୟ ସଫଳତା । ଆମେ ବିଶେଷ ଭାବରେ ଗର୍ବିତ ଯେ ଆମର ଗୋଟିଏ ଦଳ ବିଶ୍ୱ ଚାମ୍ପିଅନସିପ୍‌ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି । ଏହି ସଫଳତା ଭାରତର ଯୁବପିଢ଼ି ପାଇଁ ପ୍ରେରଣା ହେବ । ୨୦୧୮ ରେ ଛୋଟ ଭାବରେ ଆରମ୍ଭ ହୋଇଥିବା ରୋବୋଟିକ୍ସ ପ୍ରକଳ୍ପ ଆଜି ଭାରତକୁ ଷ୍ଟେମ (ଝଞଋଗ) ର ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିଛି । ମୁଁ ଆମର ଛାତ୍ର, ଶିକ୍ଷକ, ଅଭିଭାବକ ଏବଂ ଏହି ଯାତ୍ରାର ଅଂଶୀଦାର ରହିଥିବା ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ସେମାନେ ଭବିଷ୍ୟତ ପାଇଁ ଯେଉଁ ସ୍ୱପ୍ନ ଦେଖନ୍ତି, ତାହାକୁ ସାକାର କରିବାର ସାହସ ରଖନ୍ତି ଏବଂ ଆମର ଛାତ୍ରମାନେ ତାହା କରିଛନ୍ତି । ସେମାନେ 'ସ୍ୱପ୍ନ ଦେଖିବାକୁ ସାହସ କରନ୍ତୁ, ଉତ୍କର୍ଷ ହାସଲ ଶିଖନ୍ତୁ' ର ଆମ ସ୍କୁଲର ମୂଳମନ୍ତ୍ରକୁ ସାକାର କରିଛନ୍ତି । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଡ଼ିଏଆଇଏସ (ଊଇଓଝ) ଏହାର ମିଶନକୁ ଜାରି ରଖିବ।