ଚନ୍ଦ୍ରଶେଖରପୁର,୧୪/୦୯: ଡମଣା ଦୁର୍ଗାପୂଜା ପଡିଆରେ ଛିଡା ହେବ ପଶ୍ଚିମବଙ୍ଗ ‘ମାୟାପୁର’ର ଇସ୍କନ ମନ୍ଦିର । ଫାଇବର, ଗ୍ଲାସ, ସନମାଇକା ଓ ପ୍ଲାଏଉଡ୍ରେ ହେବ ଅବିକଳ ତୋରଣ । ପଶ୍ଚିମବଙ୍ଗ ମେଦିନାପୁରରୁ ଆସିଥିବା ୨୨ ଜଣ କାରିଗର ଏହା ତିଆରି କରୁଛନ୍ତି । ତୋରଣର ଉଚ୍ଚତା ୭୫ ଫୁଟ୍, ଚଉଡା ୧୧୦ ଫୁଟ ରହିବ । ଟୋପାଏ ବି ରାସାୟନିକ ରଙ୍ଗ ଲାଗିବନି ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ । କୃତ୍ରିମ ହେଲେ ବି ଜୀବନ୍ତ ଲାଗିବ ସମ୍ପୂର୍ଣ୍ଣ ପୂଜା ମଣ୍ଡପ । ଏଭଳି ଢ଼ଙ୍ଗରେ ଏଥର ଦୁର୍ଗାପୂଜା ଆୟୋଜନ କରିବ ଡମଣା ଗୋପୀନାଥ ଜିୟୁ ଦୁର୍ଗାପୂଜା କମିଟି ।
ଚଳିତବର୍ଷ ଏଠାରେ ପୂଜା ୧୪ବର୍ଷରେ ପଦାର୍ପଣ କରିଛି । ଏ ବର୍ଷ ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । କେବଳ ତୋରଣ ପାଇଁ ପ୍ରାୟ ୨୭ ଲକ୍ଷ ଖର୍ଚ୍ଚ ହେବ । ମା’ଙ୍କ ୧୪ ଫୁଟର ମୃଣ୍ମୟୀ ମୂର୍ତ୍ତି ସହ ୧୬ ଫୁଟର ମେଢ ତିଆରି କରୁଛନ୍ତି ପୁରୁଣା ଭୁବନେଶ୍ୱରର ୪ କାରିଗର । ମା’ଙ୍କ ମୁଣ୍ଡରେ ଚାନ୍ଦି ମୁକୁଟ, ଦେହରେ ଚାନ୍ଦି ଅଳଙ୍କାର ଲାଗିବ । ତୋରଣ ସହ ରାସ୍ତାର ଉଭୟ ପାର୍ଶ୍ୱରେ ୬ଟି ଏଲ୍ଇଡି ଗେଟ୍ ଲଗାଯିବ ।
ଷଷ୍ଠୀରୁ ଆରମ୍ଭ ହେବ ସାଂସ୍କୃତି କାର୍ଯ୍ୟକ୍ରମ । ବିନା ଆତସବାଜିରେ ୫୦ ଫୁଟର ଇ-ରାବଣପୋଡି ଆକର୍ଷଣ ସାଜିବ । ଷଷ୍ଠୀରେ ବିଲ୍ୱ ବରଣ, ସପ୍ତମୀରେ ୧୦୮ ଜଣ ମହିଳା ଡମଣା ଅଲେଖ ମହିମା ଆଶ୍ରମ ପୁଷ୍କରିଣୀରୁ ଆଣିଥିବା ପବିତ୍ର ଜଳକୁ ମା’ଙ୍କ ପାଖରେ ଅଭିଷେକ କରାଯିବ । ନବମୀରେ ୨୧ ଜଣ କୁମାରୀଙ୍କ ପୂଜା କରାଯିବା ସହ ୧୦୮ ଦୀପ ପ୍ରଜ୍ଜଳନ କରାଯିବ । ନବମୀରେ ଚରୁ ଅନ୍ନ ଓ ଦଶମୀରେ ଦହି ପଖାଳ ଶାଗ ଭଜା ଭୋଗ ହୋଇ ଭକ୍ତଙ୍କୁ ବଣ୍ଟାଯିବ ।
ମଣ୍ଡପ ବାହାରେ ମୀନା ବଜାର ଏବଂ ରାମଦୋଳୀ ପଡ଼ିବ । ପୂଜା ମଣ୍ଡପରେ ଗହଳି ନିୟନ୍ତ୍ରଣ ପାଇଁ ୨୦୦ ଜଣ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ସୁରକ୍ଷା ବ୍ୟବସ୍ଥା ପାଇଁ ମଣ୍ଡପ ପରିସରରେ ସିସିଟିଭି କ୍ୟାମେରା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ । ପୂଜା ପରିଚାଳନାରେ ଗୋପୀନାଥ ଜିଉ କ୍ଲବ, ଲକ୍ଷ୍ମୀ ନାରାୟଣ କ୍ଲବ୍, କ୍ରିଷ୍ଣା କ୍ଲବ୍, ମହାଦେବ କ୍ଲବ୍ ଓ ଡମଣା ବାଉତେଇ ମହିଳା ସମିତି ସହଯୋଗ କରିବେ । ଭସାଣିରେ ପାରମ୍ପରିକ ବାଜା ସହ ଘଣ୍ଟ ଓ ସଂକୀର୍ତ୍ତନରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।